ED seizes assets: ଆଜମ ଖାନ୍ଙ୍କ ଜୌହର ବିଶ୍ୱବିଦ୍ୟାଳୟର ୧୧୭୦ କୋଟିର ସମ୍ପତ୍ତି ଜବତ
ରାମପୁର: ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମହମ୍ମଦ ଆଜମ ଖାନ୍ଙ୍କ ସହ ଜଡ଼ିତ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ଜମି ଓ କୋଠାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି )।
ମନିଲଣ୍ଡରିଂ ମାମଲାର ତଦନ୍ତ ଆଧାରରେ ବୁଧବାର ଇଡିର ଲକ୍ଷ୍ନୌ ଜୋନାଲ କାର୍ଯ୍ୟାଳୟ ଏହି ପଦକ୍ଷେପ ନେଇଛି।
ଜବତ ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୧୧୭୦ କୋଟି ଟଙ୍କା ହୋଇଥିବାବେଳେ ଏହା ମଧ୍ୟରୁ ୪୨୬.୪୬ କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଉପାୟରେ ଅର୍ଜିତ ଅର୍ଥ ସହ ଜଡ଼ିତ ବୋଲି ଇଡି ଦର୍ଶାଇଛି।
ରାମପୁରର ଜୌହର ନଗରସ୍ଥିତ ଏହି ବିଶ୍ୱବିଦ୍ୟାଳୟ ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟ ଅଧୀନରେ ରହିଛି।
ଆଜମ ଖାନ୍ ଏହି ଟ୍ରଷ୍ଟର ପ୍ରତିଷ୍ଠାତା ତଥା ନିୟନ୍ତ୍ରକ ହୋଇଥିବାବେଳେ ବିଶ୍ୱବିଦ୍ୟାଳୟର ସମ୍ମାନସୂଚକ କୁଳାଧ୍ୟକ୍ଷ ମଧ୍ୟ ଅଛନ୍ତି।
Advertisment ଇଡିର ତଦନ୍ତ ରାମପୁରର ଆଜିମନଗର ଥାନାରେ ରୁଜୁ ହୋଇଥିବା ୨୬ଟି ଏଫ୍ଆଇଆର୍ ଆଧାରରେ ଆରମ୍ଭ ହୋଇଥିଲା।
ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ କୃଷକଙ୍କ ଚାଷଜମି ଜବରଦସ୍ତି ଅକ୍ତିଆର କରାଯାଇଥିବା ଏଥିରେ ଅଭିଯୋଗ ହୋଇଥିଲା।
ଏହାସହ ସିଂହନଖେଡ଼ା ଗାଁରେ ପ୍ରାୟ ୩୪ ଏକର ଶତ୍ରୁ ସମ୍ପତ୍ତି ବେଆଇନ ଭାବେ ଅକ୍ତିଆର କରାଯାଇଥିବା ଇଡି ଅଭିଯୋଗ କରିଛି।
ତେବେ ଏହି ଜମିକୁ ପ୍ରଶାସନ ଜରିଆରେ ଶତ୍ରୁ ସମ୍ପତ୍ତିର ରକ୍ଷକ ପୁନର୍ବାର ନିଜ ଅଧୀନକୁ ନେଇଛନ୍ତି।
Israel Iran tensions: ଇସ୍ରାଏଲ ସେନା ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଫାଟ: ଇରାନ ଉପରେ ଆକ୍ରମଣ କରିବାକୁ ମନା କଲେ ଆଇଡିଏଫ୍ ମୁଖ୍ୟ ଇଡିର କହିବା ଅନୁସାରେ, ସରକାରୀ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଅର୍ଥ ଓ ନିର୍ମାଣ ସାମଗ୍ରୀକୁ ବିଶ୍ୱବିଦ୍ୟାଳୟ କାମରେ ଲଗାଯାଇଥିଲା।
ସରକାରୀ ଠିକା ପାଇଥିବା ଠିକାଦାରମାନେ ସରକାରୀ କାମ ପାଇଁ ପାଇଥିବା ଅର୍ଥ ବିଶ୍ବବିଦ୍ୟାଳୟ ଟ୍ରଷ୍ଟକୁ ଦାନ ଆକାରରେ ଦେଇଥିବା ତଦନ୍ତରୁ ଜଣାପଡ଼ିଛି।
ପ୍ରାୟ ୧୮୬ କୋଟି ଟଙ୍କାର ଲୋକ ନିର୍ମାଣ ବିଭାଗ (ପିଡବ୍ଲ୍ୟୁଡି) ଠିକା ପାଇଥିବା ଏକ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଠିକା ଅର୍ଥର ୩୦ରୁ ୪୦ ପ୍ରତିଶତ ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ ସାମଗ୍ରୀ କିଣିଥିବା ସ୍ୱୀକାର କରିଛନ୍ତି।
ବିଧାୟକ ଓ ବିଧାନ ପରିଷଦ ସଦସ୍ୟଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିରୁ ୬.୬୦ କୋଟି ଟଙ୍କାର କାମ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଏହାବ୍ୟତୀତ ପାଭିଲିୟନ୍, ଅନ୍ୟାନ୍ୟ ପଛୁଆ ବର୍ଗ ଛାତ୍ରଙ୍କ ଛାତ୍ରାବାସ ଓ ହସ୍ପିଟାଲ୍ ବ୍ଲକ୍ ନିର୍ମାଣ ପାଇଁ ସରକାର ୨୩.୪୧ କୋଟି ଟଙ୍କା ମଞ୍ଜୁର କରିଥିଲେ।
ଏହି ସରକାରୀ ଅର୍ଥରେ ନିର୍ମିତ ସମ୍ପତ୍ତିର ମାଲିକାନା ପରେ ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର ହୋଇଥିବା ଇଡି ଅଭିଯୋଗ କରିଛି।
ଇଡି ଅନୁସାରେ, ୧୦ ନଭେମ୍ବର ୨୦୨୩ର ମୂଲ୍ୟାୟନ ରିପୋର୍ଟରେ ବିଶ୍ୱବିଦ୍ୟାଳୟର ୫୯ଟି କୋଠାର ନିର୍ମାଣ ଖର୍ଚ୍ଚ ୪୯୪.୪୬ କୋଟି ଟଙ୍କା ଆକଳନ କରାଯାଇଥିଲା।
ଜମିର ମୂଲ୍ୟ ୪.୬୩ କୋଟି ମିଶାଇ ମୋଟ ମୂଲ୍ୟ ୪୯୯.୦୯ କୋଟି ଟଙ୍କା ହୋଇଥିଲା।
ଅନ୍ୟପକ୍ଷରେ, ଟ୍ରଷ୍ଟର ଆୟକର ରିଟର୍ଣ୍ଣରେ ୭୮.୩୨ କୋଟି ଟଙ୍କାର ପୁଞ୍ଜିଗତ ଖର୍ଚ୍ଚ ଦର୍ଶାଯାଇଥିଲା।
ତଦନ୍ତରେ ମାତ୍ର ୭୨.୬୩ କୋଟି ଟଙ୍କାର ବୈଧ ଉତ୍ସ ଦିଆଯାଇଥିବାରୁ ଅବଶିଷ୍ଟ ୪୨୬.୪୬ କୋଟି ଟଙ୍କାକୁ ଅପରାଧରୁ ଅର୍ଜିତ ଅର୍ଥ ବୋଲି ଇଡି ଚିହ୍ନଟ କରିଛି।
ଏହାବ୍ୟତୀତ ଆଜମ ଖାନ୍ ଓ ଅନ୍ୟମାନଙ୍କ ବିରୋଧରେ ରାମପୁର ପୁଲିସ ରୁଜୁ କରିଥିବା ଆଉ ୨୮ଟି ମାମଲାର ତଦନ୍ତ ମଧ୍ୟ ଇଡି ହାତକୁ ନେଇଛି।
ଅଗଷ୍ଟ ୧୯ରେ ବିଶ୍ୱବିଦ୍ୟାଳୟ ଓ ଏହା ସହ ଜଡ଼ିତ ସ୍ଥାନରେ ଚଢ଼ଉ କରାଯାଇ ଇଲେକ୍ଟ୍ରୋନିକ୍ ଉପକରଣ ଓ ଦସ୍ତାବିଜ ଜବତ ହୋଇଥିଲା।
ମାମଲାର ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।