Editorial: ଅସରନ୍ତି ସଂଘର୍ଷ
"ନିକଟରେ ଜାତିସଂଘର ଜେନେରାଲ ଆସେଂବ୍ଲିର ମଞ୍ଚ ଉପରୁ, ଡୋନାଲ୍ଡ ଟ୍ରମ୍ପ, ପୃଥିବୀର ପ୍ରଭୁ ଭଳି, ଘୋଷଣା କଲେ ଯେ କଥା ନ ମାନିଲେ ଇରାନକୁ ସମୂଳ ଧ୍ବଂସ କରି ଦିଆଯିବ।
କିନ୍ତୁ, ଯଦି ସେ ସାଂପ୍ରତିକ ସଂଘର୍ଷର ରୂପରେଖ ଉପରେ ଦୃଷ୍ଟି ରଖିଥାଆନ୍ତେ, ତେବେ ହୁଏତ ବୁଝିପାରିଥାଆନ୍ତେ ଯେ ତାଙ୍କର ଆକ୍ରମଣ ସତ୍ତ୍ବେ କୌଣସି ନା କୌଣସି କୋଣରେ ଇରାନ ନିଜକୁ ଜୀବିତ ରଖି ଅସଂଖ୍ୟ ସଂଘର୍ଷର ସୂତ୍ରପାତ ଘଟାଇବ; ଫଳରେ ଯୁଦ୍ଧ ଅସରନ୍ତି ହେବ ଏବଂ ଜୟ ପରାଜୟର ପ୍ରଶ୍ନ ଅମୂଳକ ହୋଇ ଉଠିବ।Advertisment Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଜାତିସଂଘର "ଜେନେରାଲ ଆସେଂବ୍ଲି" ବା "ସାଧାରଣ ସଭା"ର ୮୧ତମ ବାର୍ଷିକ ଅଧିବେଶନର ସମାପ୍ତି ସହିତ ଯାହା ଜଣାପଡ଼ି ଉଦ୍ବେଗ ସୃଷ୍ଟି କରିଛି, ତାହା ହେଲା ସଂପ୍ରତି ପୃଥିବୀରେ, ଅନ୍ତତଃ ପକ୍ଷେ ୩୫ଟି ଅଞ୍ଚଳରେ ୬୫ଟି ସଂଘର୍ଷ ଚାଲିଛି ଏବଂ ରୁଷିଅା-ୟୁକ୍ରେନ ଓ ଆମେରିକା-ଇରାନ ଭଳି ଯୁଦ୍ଧ ମଧ୍ୟ, କାଳକ୍ରମେ ଶେଷହୀନ ସଂଘର୍ଷମାନର ରୂପ ନେଇ ଦୀର୍ଘ କାଳ ଯାଏ ବଳବତ୍ତର ରହିବ।
କୁହାଯାଉଛି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ କୌଣସି ସମୟରେ ପୃଥିବୀ ଏଭଳି ସଂଘାତ ବିକ୍ଷୁବ୍ଧ ହୋଇ ନ ଥିଲା।
ଏଭଳି ସ୍ଥଳେ, ଯୁଦ୍ଧ-କୁଣ୍ଠିତ "ପାସିଫିଷ୍ଟ" ବା ଶାନ୍ତିକାମୀ ଦେଶଗୁଡ଼ିକ (ଜାପାନ ଭଳି) ସମର ପ୍ରସ୍ତୁତି ଓ ଶସ୍ତ୍ର ସଜ୍ଜାରେ ବିପୁଳ ବ୍ୟୟ କରିବା ଆରମ୍ଭ କଲେଣି।
ଏଭଳି ସ୍ଥଳେ, ଯୁଦ୍ଧର ପରିବର୍ତ୍ତିତ ସ୍ବରୂପ ସଂପର୍କରେ "ଏନ୍.ଡି.ଟି.ଭି.-ଡିଫେନ୍ସ କନକ୍ଲେଭ" (ପ୍ରତିରକ୍ଷା ଚିନ୍ତନ ବୈଠକ)ରେ ଅଂଶଗ୍ରହଣ କରି ଭାରତର ସେନାଧ୍ୟକ୍ଷ ଧୀରାଜ ସେଠଙ୍କ ଦ୍ବାରା ପ୍ରକଟିତ ଚିନ୍ତା ଓ ପରାମର୍ଶ ବିଶେଷ ପ୍ରଣିଧାନଯୋଗ୍ୟ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ସେହି ସମାବେଶରେ ୧୯୭୧ ମସିହାରେ ସଂଘଟିତ ୧୩ ଦିନିଆ ଭାରତ-ପାକିସ୍ତାନ ଯୁଦ୍ଧ କାଳର ସେହି ଅବିସ୍ମରଣୀୟ କୈଂବଦନ୍ତୀୟ ଫଟୋ ଦେଖାଇ ଜେନେରାଲ ଧୀରାଜ ସେଠ କହିଥିଲେ ଯେ ଭବିଷ୍ୟତ୍ରେ ଏଭଳି ଯୁଗଗାନ୍ତକାରୀ କ୍ଷଣ ଉପନୀତ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ, ଯହିଁରେ ଦେଖିବାକୁ ମିଳିଥିଲା ଭାରତର ଇଷ୍ଟର୍ନ କମାଣ୍ଡର ମୁଖ୍ୟ ଜେନେରାଲ ଜଗଜ୍ଜିତ ସିଂହ ଅରୋଡ଼ାଙ୍କ ସମକ୍ଷେର ପାକିସ୍ତାନୀ ଜେନେରାଲ ନିଆଜି ଆତ୍ମସମର୍ପଣ-ସ୍ବୀକାରନାମାରେ ଦସ୍ତଖତ କରୁଥିବାର ଦୃଶ୍ୟ; ଅର୍ଥାତ୍ ଜେନେରାଲ ସେଠଙ୍କ ବକ୍ତବ୍ୟର ତାତ୍ପର୍ଯ୍ୟ ଥିଲା ଯେ ଯୁଦ୍ଧର ଫଳାଫଳ ଏଭଳି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ହେବା ଭଳି ସମୟ ଆଉ ନାହିଁ ଏବଂ ଯୁଦ୍ଧଗୁଡ଼ିକ ପ୍ରାୟତଃ ଅନିର୍ଣ୍ଣୀତ ଓ ଅସରନ୍ତି ହୋଇ ଚାଲୁ ରହିବ।
ଅଭିଜ୍ଞ ସୈନିକ ଜେନେରାଲ ସେଠଙ୍କ ମତରେ ଉନ୍ନତ ପ୍ରଯୁକ୍ତି ସଂପନ୍ନ ଶସ୍ତ୍ର ଓ ସରଞ୍ଜାମରେ ଲଢ଼ାଯାଉଥିବା ସଂଘର୍ଷ ଖୁବ୍ ଭୟାବହ ହେବ ନିଶ୍ଚୟ, କିନ୍ତୁ ସ୍ବଳ୍ପ କାଳ ଲାଗି ଚାଲିବ।
କିନ୍ତୁ ବିଡ଼ମ୍ବନା ହେଲା, ଏଭଳି ସଂଘର୍ଷର ଧାରା ଅବ୍ୟାହତ ରହି ଯୁଦ୍ଧକୁ ସମାପ୍ତ ହେବାକୁ ଦେବ ନାହିଁ, ଯେମିତି ଘଟିଛି ରୁୁଷିଅା-ୟୁକ୍ରେନ ଯୁଦ୍ଧରେ ବା ଇରାନ-ଆମେରିକା ଯୁଦ୍ଧରେ ତା"ର ପୁନରାବୃତ୍ତି ଘଟିବାର ଆଶଙ୍କା ଦିଶୁଛି।
ତେଣୁ ଉନ୍ନତ ପ୍ରଯୁକ୍ତି ବା ବୈଷୟିକ ଜ୍ଞାନ ଆଧାରରେ ସାମରିକ ସରଞ୍ଜାମ ନିର୍ମାଣରେ ସ୍ବାବଲମ୍ବୀ ହେବା, ବିପୁଳ ମାତ୍ରାରେ ଉତ୍ପାଦନ କରିବା ଏବଂ ଉନ୍ନତ ସାମରିକ ଜ୍ଞାନକୌଶଳରେ ପ୍ରଶିକ୍ଷିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ସଂପ୍ରତି ଯେ କୌଣସି ଦେଶର ପ୍ରମୁଖ ପ୍ରତିରକ୍ଷା ଲକ୍ଷ୍ୟ ହେବା ଆବଶ୍ୟକ।
ଏଭଳି ବକ୍ତବ୍ୟ ପରିପ୍ରେକ୍ଷୀରେ ଆମ ଦେଶ ଯେ ନିଅଣ୍ଟିଆ ତହିଁରେ ସନ୍ଦେହ ନାହିଁ।
ଏ ଯାବତ୍ ଆମ ସାମରିକ ସରଞ୍ଜାମର ଅଧିକାଂଶ ଅର୍ଥାତ୍ ୬୦ରୁ ୮୫% ବିଦେଶୀ ବା ବିଦେଶୀ ଓ ବିଶେଷ କରି ରୁଷୀୟ ଜ୍ଞାନ କୌଶଳରେ ନିର୍ମିତ; ବିମାନ ବାହିନୀର ଅଗ୍ରଣୀ ଯୁଦ୍ଧ ବିମାନ ଯେମିତିକି ରାଫେଲ ଓ ସୁଖୋଇ ଇତ୍ୟାଦି ଫରାସୀ ନିର୍ମିତ; କାବେରୀ ପ୍ରକଳ୍ପ ୧୯୮୬ ମସିହାରୁ କାର୍ଯ୍ୟକାରୀ ହୋଇଥିଲେ ସୁଦ୍ଧା ଲଢୁଆ ଜେଟ ବିମାନର ଇଂଜିନଟିଏ ବିକଶିତ କରିବାରେ ଆମେ ଏ ପର୍ଯ୍ୟନ୍ତ ସଫଳ ହୋଇନାହୁଁ (ଅବଶ୍ୟ, ଗଲା ଅଗଷ୍ଟ ୧୪ ତାରିଖର ଚୁକ୍ତି ଅନୁସାରେ ରିଲାଏନ୍ସ ଓ ରୋଲ୍ସରଏସ ମିଳିତ ଭାବେ ଏ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି)।
ଏପରି କି ତୁର୍କୀ ବା ୟୁକ୍ରେନ ଭଳି ବିପୁଳ ସଂଖ୍ୟକ ଡ୍ରୋନ ନିର୍ମାଣ କରିବାକୁ ଭାରତ ସମର୍ଥ ନୁହେଁ।
ପ୍ରକାଶ ଥାଉ କି ୟୁକ୍ରେନ ବା ତୁର୍କୀେର ଏଭଳି ଡ୍ରୋନ ନିର୍ମାଣ ଏକ କୁଟୀର ଶିଳ୍ପରେ ପରିଣତ ହୋଇଯାଇଛି; ଏପରିକି ଘର ବାରି ଅଗଣାରେ ଏଭଳି ଡ୍ରୋନ ନିର୍ମାଣ କରାଯାଉଛି।
ବିଶାରଦମାନଙ୍କ ମତରେ ଭବିଷ୍ୟତରେ ହେବାକୁ ଯାଉଥିବା ଯୁଦ୍ଧର ସ୍ବରୂପ ବଦଳାଇ ଦେବାରେ ଯେ ୟୁକ୍ରେନର ଭୂମିକା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ତହିଁରେ ଦ୍ବିରୁକ୍ତି ନାହିଁ, ଯାହାଠାରୁ ଭାରତ ବା ଅନ୍ୟ ଯେ କୌଣସି ଦେଶ ସକାଶେ ଶିକ୍ଷା ଲାଭର ଅନେକ ଉପାଦାନ ରହିଛି।
Weather: "ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି" ବର୍ତ୍ତମାନ ଏହା ସ୍ପଷ୍ଟ ହେବାରେ ଲାଗିଲାଣି ଯେ କୌଣସି ଦେଶର ପରମାଣୁ ଅସ୍ତ୍ର ସାମର୍ଥ୍ୟ କେବଳ ଧମକାଇବା ଲାଗି ପ୍ରକୃଷ୍ଟ, ଯୁଦ୍ଧରେ ତା"ର ବ୍ୟବହାର ଦୁରନ୍ତ ଅଭିଳାଷ ହୋଇ ରହିଯିବ।
ୟୁକ୍ରେନ ଦ୍ବାରା ରୁଷିଆ ଅନେକ ପରାଭବ ଭୋଗି ଚାଲିଥିଲେ ହେଁ ଅଣୁ ଅସ୍ତ୍ରର ବ୍ୟବହାର କେବଳ ଧମକଚମକ ସ୍ତରରେ ରହିଛି।
ଏଭଳି ସ୍ଥଳେ, ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ଅକଳନ୍ତି ଅର୍ଥ ବ୍ୟୟରେ ନିର୍ମିତ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବା ଲଢୁଆ ବିମାନ ବା ପ୍ରତିରକ୍ଷା ଚକ୍ର ବା ବଳୟ ପରିବର୍ତ୍ତେ ଯାହା ଅଧିକ ଆବଶ୍ୟକ, ତାହା ହେଲା ଡ୍ରୋନ ବା ରକେଟ (ଇରାନ ଦ୍ବାରା ବ୍ୟବହୃତ) ଭଳି ଶସ୍ତା ଅସ୍ତ୍ର ନିର୍ମାଣରେ ଆତ୍ମନିର୍ଭରଶୀଳତା ଏବଂ ସେ ସବୁର ବିପୁଳ ଭଣ୍ଡାର ସୃଷ୍ଟି।
ଏକକାଳୀନ ଶହ ଶହ ସଂଖ୍ୟାରେ ଡ୍ରୋନ ବା ରକେଟ ଆକାଶ ମାର୍ଗରେ ଦୃଷ୍ଟିଗୋଚର ହୋଇ କିଭଳି ରୁଷୀୟ ପ୍ରତିରକ୍ଷା ଚକ୍ର ଓ ଇସ୍ରାଏଲର "ଆଇରନ ଡୋମ" ଭଳି ବ୍ୟବସ୍ଥା ସକାଶେ ଆହ୍ବାନ ସୃଷ୍ଟି କରିଥିଲା ତାହା ସୁବିଦିତ।
କୌଣସି ଦେଶ ସକାଶେ ଏହା କିଭଳି ନିରୁତ୍ସାହଜନକ ଭାବେ ବ୍ୟବବହୁଳ ହୋଇଥାଏ, ତାହାର ପ୍ରମାଣ କେବଳ ଏଥିରୁ ମିଳିବ ଯେ ମାତ୍ର ୩୦୦ ଡଲାର ବ୍ୟୟରେ ନିର୍ମିତ ଇରାନୀ ରକେଟକୁ ଅକାମି କରିବା ସକାଶେ ଇସ୍ରାଏଲର "ଆଇରନ ଡୋମ"ରୁ ନିର୍ଗତ ହେଉଥିବା ପ୍ରତିଟି କ୍ଷେପଣାସ୍ତ୍ର ଲାଗି ବ୍ୟୟ ହୋଇଥାଏ ୫୦ ହଜାରରୁ ୧ ଲକ୍ଷ ଡଲାର।
ଏହି ସଂଦର୍ଭରେ ଆମେରିକାର ପୂର୍ବତନ ଆର୍ମି ସେକ୍ରେଟାରି ଡାନିଏଲ ପି.
ଡ୍ରିସକଲ କହିଥାଆନ୍ତି ଯେ ସାଂପ୍ରତିକ ସମୟର ସାମରିକ ବୁଦ୍ଧିମତ୍ତା ହେଉଛି ଘରୋଇ ଉଦ୍ୟୋଗ ମାଧ୍ୟମରେ ବିପୁଳ ଅସ୍ତ୍ର ଭଣ୍ଡାର ସୃଷ୍ଟି କରିବା ଏବଂ ଯୁଦ୍ଧ ଭଳି ସ୍ଥିତି ଉପୁଜିଲେ ଯେ କୌଣସି ଉଦ୍ୟୋଗ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟରେ ଯେମିତି ବ୍ୟାପୃତ ହୋଇପାରିବେ, ସେଭଳି ସାମର୍ଥ୍ୟ ସୃଷ୍ଟି ହେବା।
ଏଠାରେ ପ୍ରକାଶ ଥାଉ କି ଦ୍ବିତୀୟ ମହାଯୁଦ୍ଧ କାଳରେ ଆମେରିକାର ଅନେକ ଉଦ୍ୟୋଗ ଯୁଦ୍ଧ ସରଞ୍ଜାମ ଓ ଯନ୍ତ୍ରାଂଶ ନିର୍ମାଣରେ ଲାଗି ଯାଇଥିଲେ, ଯେମିତି ଫୋର୍ଡ କଂପାନି ମୋଟର କାର ନିର୍ମାଣ ଛାଡ଼ି ଲଢୁଆ ବିମାନ ନିର୍ମାଣ ପ୍ରକଳ୍ପର ଅଂଶ ହୋଇଥିଲା।
ସୁତରାଂ, ବ୍ୟୟବହୁଳ ସାମରିକ ସରଞ୍ଜାମର ଆହରଣ ବା ଉତ୍ପାଦନ, ଉଚ୍ଚାଭିଳାଷୀ ପ୍ରକଳ୍ପ ଯୋଜନା ଇତ୍ୟାଦି ସହିତ ଯାହା ମଧ୍ୟ ଆବଶ୍ୟକ, ତାହା ହେଲା ଡ୍ରୋନ ବା ରକେଟ ବା ରୋବାଟ ସୈନିକ (ଚୀନ ଏହାର ବିକାଶ କରିସାରିଛି ଏବଂ ୟୁକ୍ରେନ ରୁଷିଆ ବିରୋଧରେ ତା"ର ବ୍ୟବହାର କରିବାର ଧମକ ଦେଉଛି) ଆଦି ଭଳି ଶସ୍ତା ଓ ସମର୍ଥ ସରଞ୍ଜାମର ନିର୍ମାଣରେ ଅପେକ୍ଷାକୃତ ଅଧିକ ମନୋନିବେଶ କରିବା।
କାରଣ, ଶତ୍ରୁ ଘେରା ଭାରତ ଯଦି କେବେ ଅନିଚ୍ଛା ସତ୍ତ୍ବେ ଯୁଦ୍ଧରେ ସଂଶ୍ଳିଷ୍ଟ ହେବାକୁ ବାଧ୍ୟ ହୁଏ, ତେବେ ସେ ଯୁଦ୍ଧ ମଧ୍ୟ ଅସରନ୍ତି ସଂଘର୍ଷ ମାଧ୍ୟମରେ ଖୁବ୍ ପ୍ରଲମ୍ବିତ ହୋଇପାରେ, ଯେଉଁଥି ଲାଗି ମଧ୍ୟ ଭୌତିକ ଓ ମାନସିକ ପ୍ରସ୍ତୁତିର ଆବଶ୍ୟକତା ରହିଛି।
Horoscope 2026 October 02: ଜାଣନ୍ତୁ ଆଜିର ରାଶିଫଳ...
ମହାନ ଇଂରେଜୀ କବି ମିିଲଟନଙ୍କ ଅନବଦ୍ୟ କାବ୍ୟ "ପାରାଡାଇଜ ଲଷ୍ଟ"ରେ ବର୍ଣ୍ଣିତ ଅଛି କିଭଳି ଈଶ୍ବର-ଦ୍ରୋହ କାରଣରୁ ପ୍ରଭୁଙ୍କ ଦ୍ବାରା ସ୍ବର୍ଗରୁ ବହିଷ୍କୃତ ହୋଇଥିବା "ସଟନ" ତା"ର ସଙ୍ଗୀ ବେଲଜବବକୁ ସାନ୍ତ୍ବନା ଦେଇ କହୁଛି ଯେ ଗୋଟିଏ ସଂଘର୍ଷରେ ପରାଜୟର ଅର୍ଥ ଯୁଦ୍ଧରେ ପରାଜୟ ନୁହେଁ!
ସଂପ୍ରତି ଏହି ଆଭିମୁଖ୍ୟ ହିଁ ବହୁଳ ଭାବେ ପରିଦୃଷ୍ଟ, ଯେଉଁ କାରଣରୁ ୩୫ଟି ପ୍ରାନ୍ତରେ ୬୫ଟି ସଂଘର୍ଷ ଅବ୍ୟାହତ ରହିଛି।
ନିକଟରେ ଜାତିସଂଘର ଜେନେରାଲ ଆସେଂବ୍ଲିର ମଞ୍ଚ ଉପରୁ, ଡୋନାଲ୍ଡ ଟ୍ରମ୍ପ, ପୃଥିବୀର ପ୍ରଭୁ ଭଳି, ଘୋଷଣା କଲେ ଯେ କଥା ନ ମାନିଲେ ଇରାନକୁ ସମୂଳ ଧ୍ବଂସ କରି ଦିଆଯିବ।
କିନ୍ତୁ, ଯଦି ସେ ସାଂପ୍ରତିକ ସଂଘର୍ଷର ରୂପରେଖ ଉପରେ ଦୃଷ୍ଟି ରଖିଥାଆନ୍ତେ, ତେବେ ହୁଏତ ବୁଝିପାରିଥାଆନ୍ତେ ଯେ ତାଙ୍କର ଆକ୍ରମଣ ସତ୍ତ୍ବେ କୌଣସି ନା କୌଣସି କୋଣରେ ଇରାନ ନିଜକୁ ଜୀବିତ ରଖି ଅସଂଖ୍ୟ ସଂଘର୍ଷର ସୂତ୍ରପାତ ଘଟାଇବ; ଫଳରେ ଯୁଦ୍ଧ ଅସରନ୍ତି ହେବ ଏବଂ ଜୟ ପରାଜୟର ପ୍ରଶ୍ନ ଅମୂଳକ ହୋଇ ଉଠିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।