Editorial: ଜନତା, ନେତା, ଅଭିନେତା
ସରୋଜ କୁମାର ସାମଲ
ରାଜନୈତିକ ଭୂଗୋଳ ହେଉଛି ଗୋଟିଏ ଜନସମୁଦାୟର ଭୌତିକ ପରିଧି। ତଦନୁଯାୟୀ ସାମଗ୍ରିକ ଜନଜୀବନ ସାବାଳକ ଭୋଟାଧିକାରକୁ ପ୍ରଭାବିତ କରେ। ସାଧାରଣ କ୍ଷେତ୍ରରେ ଦୂଷଣ ଏହି ଅଧିକାରକୁ ଅବାଟରେ ସଂଚାଳନ କରିବା ଅବଧାର୍ଯ୍ୟ। ନେତା ମଧ୍ୟ ସେହିଭଳି ତିଆରି ହୁଅନ୍ତି। ଆମ ଦେଶରେ ଦଶନ୍ଧିକୁ ଦଶନ୍ଧି ରାଜ-ଅନୀତିର ଉତ୍ତରଣ ଜ୍ୟାମିତିକ ବୃଦ୍ଧି ହାରରେ ବଢ଼ିଚାଲିଛି। ଭୋଟରଙ୍କ ମନକୁ ଜିଣିବା ନୁହେଁ, କାବୁ କରିପାରିବା ହିଁ ସମର୍ଥ ନେତୃତ୍ବର ମାପକାଠି ହୋଇଛି। ସେମାନଙ୍କୁ ଖାଉଟିରେ ପରିଣତ କରି ଶଠତାର ଅଭିନୟ କରିବାରେ ରାଜନେତାମାନେ ବେଶ୍ କୁଶଳୀ ହୋଇଯାଇଛନ୍ତି। ନେତାମାନେ ବେଶୀ ବେଶୀ ଅଭିନେତା ଭଳି ଦିଶୁଛନ୍ତି, ଅଭିନେତାମାନେ ପୁଣି ନେତାଙ୍କ ପରିଧାନରେ ନୂଆ ଅଭିନୟ କରୁଛନ୍ତି। ନିର୍ବାଚନ ରାଜନୀତିକୁ ଅନୀତି ଅନ୍ୟାୟରେ ପର୍ଯ୍ୟସ୍ତ କରୁଥିବା ପରିମଣ୍ଡଳରେ ଆତଯାତ ତିନି କର୍ତ୍ତା; ଉପଭୋକ୍ତା ହୋଇଥିବା ଭୋଟର, ଅଭିନୟରେ ଓସ୍ତାଦ ନେତା ଓ ଦଳ ଏବଂ ନେତୃତ୍ବକୁ ଅଭିନୟ ଭାବିଥିବା ଅଭିନେତା।
ଭୋଟ ଓ ଭୋଟରଙ୍କୁ ପ୍ରଥମେ ଆଲୋଚନାକୁ ନିଆଯାଉ। ବ୍ୟାଲଟ ଓ ଭୋଟିଂ ମେସିନର ବାକ୍ସ ସତରେ ମ୍ୟାଜିକ ବକ୍ସ। ବେଳେବେଳେ ଅପ୍ରତ୍ୟାଶିତ ଘଟେ। ସଂବିଧାନ ପ୍ରଣୟନ ପରର ପ୍ରଥମ ସାଧାରଣ ନିର୍ବାଚନରେ ଡକ୍ଟର ବି. ଆର୍. ଆମ୍ବେଦକର କ୍ଷୀର ବିକାଳି କାଜ୍ରୋଲକରଙ୍କ ଠାରୁ ହାରିଯାଆନ୍ତି। ବମ୍ବେରେ ଜନମୁଖରେ ଚାଲେ, କାହିଁ ମାନ୍ୟବର ଆମ୍ବେଦକର, ଆଉ କାହିଁ ଅଜଣା ଲହୁଣୀବାଲା କାଜ୍ରୋଲକର। ଅନଗ୍ରସରଙ୍କ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟିର ଭୋଟ ବିଭାଜନ ଆମ୍ବେଦକରଙ୍କ ଲାଗି ଅନ୍ତରାୟ ହୋଇଥିଲା। ସେମିତି ଇନ୍ଦିରା ଗାନ୍ଧୀ ଓ ବାଜପେୟୀଙ୍କ ନିର୍ବାଚନ ପରାଜୟ ଥିଲା ଜାତୀୟ ରାଜନୈତିକ ଧାରାର ପରିଣତି। ଏମିତି ଆଶ୍ଚର୍ଯ୍ୟଜନକ ଘଟିବା ପଛରେ ଘଟଣାଚକ୍ର ଥାଏ। ଭାବରେ ଭାସିବାକୁ ପ୍ରବଣତା ଥିଲେ ମଧ୍ୟ, ଗଣତନ୍ତ୍ରର ଉଦ୍ଘାଟନୀ ବର୍ଷଗୁଡ଼ିକରେ ଅଶିକ୍ଷା ଓ କୁଶିକ୍ଷା ସତ୍ତ୍ବେ ଆମେ ମୂଳତଃ ଭୋଟର ଥିଲେ। ଖାଉଟି ମନୋଭାବର ଉଦଗ୍ରତା ନ ଥିଲା। ନିର୍ବାଚନ ଆମର ଗର୍ବ ଥିଲା, ରାଜନୀତି ଆଲୋଚକ ଚେଷ୍ଟର ବାଓଲସ ସମ୍ମତିର ଶାସନ ପାଇଁ ଭାରତୀୟ ନିର୍ବାଚନଠାରୁ ଅଧିକ ଦୃଶ୍ୟମୟ ଉତ୍ସବ ପୃଥିବୀରେ ଆଉ କିଛି ହୋଇପାରେ ନାହିଁ ବୋଲି କହିଥିଲେ। ଏହି ପର୍ବରେ ମୁଖ୍ୟ କର୍ତ୍ତା ଭାବରେ ଭୋଟରର ପରିଚୟ, ତା’ ପାଇଁ ଗରିମା ଥିଲା। ନିଜର ଖାଉଟିପଣିଆ ପାଇଁ ଭୋଟର ଏବେ ଏହି ଆସନଟି ନେତାଙ୍କ ହାତରେ ଛାଡ଼ି ଦେଇଛି। ଯେଉଁ ରାଜନୈତିକ ଦଳ କ୍ଷମତାରେ ଅଛି, ଯେଉଁ ନେତାଙ୍କ ପାଖରେ ଅସଦ ଅର୍ଜନର ଅମାପ ରାଶି ଅଛି, ବିଶେଷ କିଛି ପରିସ୍ଥିତି ନ ହେଲେ ଭୋଟର ତାଙ୍କରି ମୁହଁା। ନ୍ୟାୟ ଓ ସଂଗତିର ବିଚାର ଜାଗାରେ, ଉତ୍କଟ ସ୍ବାର୍ଥର ତାତ୍କ୍ଷାଣିକତା ସୁବିଧାବାଦୀ ବୋଧର ରୂପ ନେଉଛି।
ଦରଦାମ ବୃଦ୍ଧି, ବେକାରି, କୁଶାସନ, ଆଇନଶୃଙ୍ଖଳା ଆଉ ଭୋଟ ଗଳ୍ପର ମଞ୍ଜି ହୋଇ ରହୁନାହିଁ। ଭୋଟରଙ୍କ ଭୋକ ସାମୟିକ ସ୍ଫୂର୍ତ୍ତି, ଚମକ ଓ ଚମତ୍କାରିତା ପାଇଁ। ଏହି ଭୋକିଲାପଣ ନେତାଙ୍କ ଅଭିନୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି। ଜନତାଙ୍କୁ ତାଟକା କରିବା ପାଇଁ ନେତା ଅଭିନେତା ହେଉଛନ୍ତି। ପ୍ରଚାରରେ ଥିବାବେଳେ ନାକଶିଂଘାଣିଆ କୋଳଛୁଆଟିଏ କେଉଁଠି କାଖେଇ ପକେଇଲେଣି ତ, କେଉଁଠି ନିଜର ଖର୍ବ ଜୀବନର ଅବଶିଷ୍ଟାଂଶକୁ ବିନା ଭରସାରେ ଜିଉଥିବା ଅଶୀତିପର ବୁଢ଼ୀର ପାଦ ଛୁଇଁଲେଣି। ଲୋକଙ୍କ ଭିତରେ ଜଣେ ବୋଲି ଦେଖାଣିଆ ଆଚରଣ ଓ କଥୋପକଥନର ଏକ ଚମତ୍କାର ଅଭିବ୍ୟକ୍ତି ମନୋଜ ଦାସ ତାଙ୍କର ଏକ ଗଳ୍ପରେ ଦେଇଛନ୍ତି। ଗନ୍ତବ୍ୟ ଆଉ ମାତ୍ର ଗୋଟିଏ ଫର୍ଲଂ ଥିବାବେଳେ ଯେତେବେଳେ ମନ୍ତ୍ରୀଙ୍କୁ ପୁନର୍ବାର ଗାଡ଼ିରେ ଆସୀନ ହେବାକୁ ଅନୁରୋଧ କରାଗଲା, ମନ୍ତ୍ରୀ ମହୋଦୟଙ୍କ ଉତ୍ତରର ଭାବାର୍ଥ ଥିଲା, ‘‘ଭାଗ୍ୟ ଯଦ୍ୟପି ତାଙ୍କୁ ବଡ଼ କରିଛି, ତଥାପି ସେ ମାଟିରେ ପାଦ ରଖିବାକୁ ପସନ୍ଦ କରନ୍ତି।’’ ସତରେ ଯେମିତି ସେ ଆକାଶରେ ଉଡୁଥିଲେ। ସବୁବେଳେ ଶାସନରେ ଥିବା ନେତାଙ୍କ ଏହି ତଥାକଥିତ ବିନୟ ଭାବ ସ୍ବାଗତ କରୁଥିବା ଜନତାଙ୍କୁ ବିସ୍ମୟ-ବିଭ୍ରାନ୍ତିରେ ପକେଇ ଦିଏ। କାରଣ, ସେମାନେ ଭକ୍ତ, ଭୋଟର ନୁହନ୍ତି।
ଉପଭୋଗର ଚମକ ଜନତାର ମାନସକୁ ମଧ୍ୟ ଆଚ୍ଛନ୍ନ କରୁଛି। ବୋଧ ଅନ୍ତଃସାରଶୂନ୍ୟ ହୋଇଗଲାଣି। ‘ରିଲ୍’ର ହିରୋ ବେଳେବେଳେ ‘ରିଏଲ’ ପ୍ରତୀତ ହେଉଛନ୍ତି। ଏହି ହିରୋ ହିରୋଇନଙ୍କ ପାଇଁ ଉଲ୍ଲାସର ଶୁଷୁରିରେ ରାଜନୈତିକ ସଭା କମ୍ପୁଛି। ବୁଦ୍ଧିକୁ ଗ୍ରାସ କରିଗଲାଣି ଦେଖିବା ଓ ଶୁଣିବାର ଆସକ୍ତି। ସିନେମା ଗୋଟାକ ଯାକ ଲୁହ ଭର୍ତ୍ତି ଆଖି ନେଇ ଶେଷରେ ସଫଳ ପ୍ରେମର ହସଟିଏ ଫେରି ପାଉଥିବା ଦିଲୀପ କୁମାର କାହିଁ ପଛରେ ପଡ଼ିଗଲେଣି। ମାତ୍ର ଦୁଇ ମିନିଟର ଆଖି ମିଶେଇବା ପରେ ଓଠକୁ ଓଠ ଯୋଡୁଥିବା ଶ୍ରଦ୍ଧା-ରଣବୀର କପୁରଙ୍କ ଗ୍ଲାମରର ଗପ ଏବେ ଦିଗନ୍ତପ୍ରସାରୀ। କାରଣ ଉପଭୋକ୍ତାବାଦର ପଟଳରେ କ୍ଷଣର ଆକର୍ଷଣ ବିଜୁଳିର ଚମକ ଆଣେ। ଭୋଟର ଯେହେତୁ ସେହି ଜନଖଣ୍ଡର ଅଂଶ, ସେମାନେ କିଭଳି ଏହି ତଡ଼ିତ୍ ମୋହରୁ ନିଜକୁ ଦୂରେଇ ରଖିବେ? ସେଥିପାଇଁ ‘ଚଟାପଟ ରୋମାନ୍ସ’ର ଗ୍ଲାମର ପାଇଁ ରାଜନୈତିକ ମଞ୍ଚଗୁଡ଼ିକ ଆଗଭର।
ଭୋଟର ଅନ୍ଧ ଭକ୍ତିରୁ ଦୂରେଇଲେ ନେତା ଅଭିନୟ ପ୍ରତି ବିମୁଖ ହେବେ। ସେହିପରି ଭୋଟରମାନେ ନିଜକୁ ନିର୍ବାଚକର ଭୂମିକାରେ ଆବିଷ୍କାର କଲେ, ଗ୍ଲାମରର ବିଚାର କୁଆଡ଼େ ମିଳେଇ ଯିବ। ଅଭିନେତାମାନେ ଯଦି ରାଜନୀତି କରିବାକୁ ଚାହୁଁଛନ୍ତି, ଅନିଶ୍ଚିତ ଲୋକକ୍ଷେତ୍ରକୁ ନୂତନ ପ୍ରତ୍ୟୟ ନେଇ ଅାସନ୍ତୁ, ଖାଲି କ୍ଷମତାର ଅଳିନ୍ଦ ଲକ୍ଷ୍ୟସ୍ଥଳୀ ନ ହେଉ।
ଛବି ଓ ଚେହେରାର ଏକ ବିନ୍ଦୁ ସହାବସ୍ଥାନ, ସଫଳ ନ ହେଲେ ମଧ୍ୟ ମୂଲ୍ୟବୋଧର ରାଜନେତା ତିଆରି କରେ। କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ରାଜନେତା କୃତ୍ରିମତାର ବଳୟ ଅନ୍ବେଷଣରେ। ସେଥିପାଇଁ ଅାବଶ୍ୟକ ପ୍ରଚାରର ଝଡ଼। ଅସତ୍ୟର ତଥ୍ୟ-କରଣ। ସ୍କେଲରେ ଏକକୁ ଏକ କରି ଦର୍ଶାଇବା ସଂକ୍ରାନ୍ତରେ ଆର୍ଜେଣ୍ଟିନିୟ ଗାଳ୍ପିକ ଜର୍ଜ ଲୁଇ ବର୍ଜେସଙ୍କ ଦ୍ବାରା ଉଦ୍ଧୃତ ଏକ ପ୍ରାଚୀନ ସାମ୍ରାଜ୍ୟର ମଜାଦାର କାହାଣୀ ଅଛି। ଏକକୁ ଏକ ସ୍କେଲରେ ଯେତେବେଳେ ସାମ୍ରାଜ୍ୟର ଠିକ୍ ମାପ ତିଆରି ହେଲା, ସେଥିରେ ସମୁଦାୟ ରାଜ୍ୟର ଭୂଗୋଳଟା ଘୋଡ଼େଇ ହୋଇଗଲା। ସେଥିପାଇଁ ଲୋକଙ୍କ ସହିତ ସେତୁ ବାନ୍ଧିବା ପାଇଁ ହୁଏତ ନେତାଙ୍କ କଥାରେ କିଛି ଖାଦର ବ୍ୟାବହାରିକତା ଗ୍ରହଣୀୟ। କିନ୍ତୁ ବିଭ୍ରାନ୍ତିର ନ୍ୟାରେଟିଭ ଓ ଅଭିସନ୍ଧିର ଅଭିନୟ ଗଣତନ୍ତ୍ର ପାଇଁ ବିପଜ୍ଜନକ।
ନିର୍ବାଚନ ରାଜନୀତି ଯଦି ଅଭିନୟର ମଞ୍ଚ ହୁଏ, ତାହା ହେଲେ ପେସାଦାର ଅଭିନେତାମାନେ ରିଂ ମଧ୍ୟକୁ ଆସିବେ ନାହିଁ କାହିଁକି? ଅବଶ୍ୟ, ସିନେମା, ଥିଏଟରର ତାରକାମାନେ ସବୁବେଳେ ପରିବର୍ତ୍ତନଶୀଳ ସମୟକୁ କାନ୍ଧରେ ବୋହିଛନ୍ତି। ସ୍ବାଧୀନତୋତ୍ତର ଭାରତରେ ପ୍ରାରମ୍ଭର ଅବଧି ଥିଲା ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼େଇ। ଜୀବନ ଓ ଜୀବିକାର ଅନ୍ବେଷଣରେ ରାସ୍ତାର ମଣିଷ ଥିଲେ ‘ଆୱାରା’ ରାଜ କପୁର। ‘ଦେବାନନ୍ଦ’ ଥିଲେ ବଦଳୁଥିବା ଭାରତ। ରାଜ କପୁରଙ୍କ ଗଁା ଛାଡ଼ି ସେ ଥିଲେ ବମ୍ବେ ମୁହଁା। ‘ଗାଇଡ’ ସିନେମାରେ ସତ୍ୟ ଓ ଆଶାବାଦକୁ ତୋଳି ଧରିବା ସହିତ, ହସି ନାଚି ତାରୁଣ୍ୟର ଅରଣ୍ୟ ଭିତରେ ହଜି ଯାଇଥିଲେ। ରାଜ କପୁର ମାଟି, ଦେବାନନ୍ଦ ନିଅଁା ହେଲେ ଦିଲୀପ କୁମାର ଥିଲେ ଭାବନାର ଶକ୍ତି। ସବୁକିଛି ହରେଇ ଚାଲିଲା ବେଳେ, ସେ ଚରିତ୍ର ଭିତରେ ସମ୍ଭାବନାର ସଞ୍ଚାର କରୁଥିଲେ। ‘ଜଙ୍ଗଲି’ରେ ଶମୀ କାପୁର ‘ୟା...ହୁ’ ଗୀତ ସହିତ ଶୃଙ୍ଖଳାର ଶୃଙ୍ଖଳ ଛିଡ଼ାଇ ଅଣପାରମ୍ପରିକତାର ରାସ୍ତାରେ ଯାତ୍ରୀ ହେବାକୁ ଯେମିତି ବିଗୁଲ୍ ବଜାଇ ଦେଇଥିଲେ। ଅମିତାଭ ବଚ୍ଚନ ବ୍ୟବସ୍ଥାର ରକ୍ଷଣଶୀଳତାକୁ ଧକ୍କା ମାରି ଏଙ୍ଗ୍ରି ହିରୋରେ ପରିଣତ ହେଲେ। ପରବର୍ତ୍ତୀ ସମୟରେ ଶାହରୁଖ, ସଲମାନ, ଆମିର, ଋତିକ ଓ ରଣବୀରଙ୍କ ନାମ ଭୂମିକା ସାଙ୍ଗରେ ମଧ୍ୟ ଯୋଡ଼ି ହୋଇଯାଇଛି। ନାୟିକାମାନଙ୍କ ମଧ୍ୟରେ ଚରିତ୍ରକୁ ଚିେହ୍ନଇଥିବାର ବର୍ଗ ଭିତରେ ମଧୁବାଳା, ହେମା ମାଳିନୀ ଓ ରେଖା ସ୍ଥାନିତ ହେବେ। ଅମିତାଭଙ୍କ ସଂକ୍ଷିପ୍ତ ସମୟ ଓ ହେମା ମାଳିନୀଙ୍କୁ ଛାଡ଼ିଦେଲେ, କେହି ରାଜନୀତି ମଧ୍ୟରେ ଅଭିନୟ ସନ୍ଧାନ କଲେନାହିଁ। କାରଣ ସ୍କ୍ରିନର ନାୟକ ଚରିତ୍ରାୟନ ମଧ୍ୟରେ ବଞ୍ଚେ। ବାସ୍ତବକୁ କଳ୍ପନାରେ ଧରି ରଖିବାକୁ ହୁଏ ତ ଅନୁପ୍ରେରିତ ହୁଏ। କିନ୍ତୁ ବାସ୍ତବାୟନ ପାଇଁ ବୃହତ୍ତର କ୍ଷେତ୍ରରେ କାମ କରିବାକୁ ପଡ଼ିବ। ଯେଉଁଥିପାଇଁ ହେମା ମାଳିନୀ ତିନି ଥର ସାଂସଦ ହୋଇ ମଧ୍ୟ ଏ ପର୍ଯ୍ୟନ୍ତ ଅଭିନେତ୍ରୀ, ରାଜନେତ୍ରୀ ନୁହନ୍ତି।
ଆମ ରାଜ୍ୟରେ କିଛି ବର୍ଷ ତଳେ ଅଭିନେତାରୁ ରାଜନେତା ହେବାକୁ ଅଭୀପ୍ସାର ଏକ ଧାରା ଆରମ୍ଭ ହୋଇଛି। ବୋଧହୁଏ ଧାରଣା ହୋଇଛି, ରାଜନୀତି ଏକ ସାମୟିକ ବୃତ୍ତି ବା ଧନ୍ଦା ଯେଉଁଥିରେ ପେସାଦାର ଅନୁଭୂତିକୁ ନେଇ ଅଧିକ ନିଖୁଣ ଅଭିନୟ କରିହେବ। ଲୋକଙ୍କୁ ବଶ କରିହେବ। କିନ୍ତୁ ଅଭିନେତା ଅଭିନେତ୍ରୀ, ପ୍ରାୟ ସମସ୍ତେ ଭଲ ପାଗର ଗାଡ଼ି ବା ଘୋଡ଼ା। ଗ୍ଲାମରର ବିକିରଣ ପାଇଁ ଲୋଡ଼ା ଉନ୍ନତ ସେବା ସାମଗ୍ରୀ, ଉତ୍ସାହୀ କର୍ମୀ, ପ୍ରାତିଷ୍ଠାନିକ ଢାଞ୍ଚା। ସେଥିପାଇଁ ସେମାନେ ଚାଖଣ୍ଡେ ମାପି ବିରୋଧୀଙ୍କ ଠାରୁ ହାତେ ଦୂରରେ। ବେଳକାଳ ଦେଖି ଆମ ରାଜ୍ୟରେ ପାଲା ବଦଳ ଚାଲିଛି। ପଡ଼ୋଶୀ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳରେ ଦଶ/ପନ୍ଦର ବର୍ଷ ଧରି ସାଂସଦ ବିଧାୟକ ହୋଇଥିବା ଅଭିନେତା ଓ ଅଭିନେତ୍ରୀଙ୍କର ପ୍ରାୟ ସମୁଦାୟ ଦଳଟି ଶାସକ ଆଡ଼କୁ ଆଉଜି ପଡ଼ିଲେ। କ୍ଷମତା ରାଜନୀତି ଯେତେବେଳେ ଲକ୍ଷ୍ୟ, ନୀତିହୀନତାର ଆକ୍ଷେପ ତାଙ୍କ ପାଇଁ ନିରର୍ଥକ। ଆମେ ଖାଲି ଯାହା ଅଭିନେତା/ଅଭିନେତ୍ରୀଙ୍କ ଠାରୁ ଅଭିନୟ ବଦଳରେ ନେତୃତ୍ବ ଓ ସେବା ଆଶା କରୁଛେ!
ପୁଞ୍ଜିର ଲଙ୍ଗଳା ନାଚ ସବୁର ବସ୍ତୁ-କରଣ ଓ ବଜାରୀକରଣ କରୁଛି। ଆଶ୍ଚର୍ଯ୍ୟଜନକ ଭାବରେ ଆଧୁନିକ ବ୍ୟବସାୟୀ ତତ୍ତ୍ବ ସହିତ ଯେଉଁ ଉକ୍ତିର ମିଶ୍ରଣ ହୋଇଛି, ସେଥିରୁ ଆଦିମତାର ବାସନା ଯାଇନାହିଁ। ବଜାର ଓ ଅନ୍ଧ ଭକ୍ତିର ରସାୟନ ଭୟଙ୍କର। ଭୋଟର ଅନ୍ଧ ଭକ୍ତିରୁ ଦୂରେଇଲେ ନେତା ଅଭିନୟ ପ୍ରତି ବିମୁଖ ହେବେ। ସେହିପରି ଭୋଟରମାନେ ନିଜକୁ ନିର୍ବାଚକର ଭୂମିକାରେ ଆବିଷ୍କାର କଲେ, ଗ୍ଲାମରର ବିଚାର କୁଆଡ଼େ ମିଳେଇ ଯିବ। ଅଭିନେତାମାନେ ଯଦି ରାଜନୀତି କରିବାକୁ ଚାହୁଁଛନ୍ତି, ଅନିଶ୍ଚିତ ଲୋକକ୍ଷେତ୍ରକୁ ନୂତନ ପ୍ରତ୍ୟୟ ନେଇ ଅାସନ୍ତୁ, ଖାଲି କ୍ଷମତାର ଅଳିନ୍ଦ ଲକ୍ଷ୍ୟସ୍ଥଳୀ ନ ହେଉ। ଫ୍ୟାନଡମ ଓ ଷ୍ଟାରଡମ ଗଣତନ୍ତ୍ରର ପରିପନ୍ଥୀ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୨୬୬୪୪
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।