11 OCTOBER 2026

Welcome!

Unlock your personalized experience.
Sign Up

Editorial: ପଳାତକ!

Oct 10, 2026 - 07:09
Editorial: ପଳାତକ!

ଅସଂଗତିଟି ହେଲା, ପଳାତକମାନେ ସେମାନଙ୍କ ଗୋଚର ବା ଅଗୋଚରରେ ପର ଜାଗାରେ ନର୍କମାନ ସୃଷ୍ଟି କରିବାରେ ଲାଗନ୍ତି; ଯେଉଁ କାରଣରୁ ସଂପ୍ରତି ‘ଇମିଗ୍ରାଣ୍ଟ୍‌ସ’ ବା ‘ପ୍ରବାସୀ’, ‘ଆସାଇଲମ ସିକର୍ସ’ ବା ‘ଶରଣାର୍ଥୀ’ ଏବଂ କେତେକ ସ୍ଥଳେ ପର୍ଯ୍ୟଟକମାନେ ସ୍ଥାନୀୟ ବାସିନ୍ଦାମାନଙ୍କ ଦ୍ବାରା ବିରୋଧର ଶିକାର ହେଲେଣି। ଏହି ପରିପ୍ରେକ୍ଷୀରେ ମୂଳ ପ୍ରଶ୍ନଟି ହେଲା, ପଳାୟନ କରିବା ଲାଗି ସ୍ବର୍ଗ ବୋଲି କୌଣସି ଆଶ୍ରୟ ବା ବିଶ୍ରାମ ସ୍ଥଳ ପ୍ରକୃତରେ ଥାଏ କି?

Horoscope 2026 October 10: ଜାଣନ୍ତୁ ଆଜିର ରାଶିଫଳ...

ଗଲା ଅକ୍‌ଟୋବର ୩ ତାରିଖ ଦିନ ଯେଉଁ ଏକ ଖବର ମୁଖ୍ୟସ୍ରୋତୀୟ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇ ସାମାନ୍ୟ ବିବ୍ରତବୋଧ ସୃଷ୍ଟି କରିଥିଲା, ତାହା ଥିଲା ଏହା ଯେ ଗାନ୍ଧୀ ଜୟନ୍ତୀର ଛୁଟି (ଶୁକ୍ରବାର) ସହିତ ସପ୍ତାହାନ୍ତ ଛୁଟି ଦିନ ଦ୍ବୟକୁ ମିଶାଇ କ୍ରମାନ୍ବ‌ୟେ ତିନି ଦିନର ଅବକାଶକୁ ମନ ଭରି ଉପଭୋଗ କରିବା ସକାଶେ ବ୍ୟଗ୍ର ଦିଲ୍ଲୀବାସୀଙ୍କ ପ୍ରବଳ ଭିଡ଼ ହେତୁ ଅତ୍ୟନ୍ତ ମନୋରମ ଶୈଳନିବାସ ମନାଲି ଏକ ପ୍ରକାର ଶ୍ବାସରୁଦ୍ଧ ହୋଇ ପଡ଼ିଥିଲା। ମନାଲିକୁ ପଡ଼ିଥିବା ରାଜପଥରେ ପର୍ଯ୍ୟଟକମାନଙ୍କ ଗାଡ଼ି ଏଭଳି ଜାମ ସୃଷ୍ଟି କରିଥିଲା ଯେ ଅନେକ ପର୍ଯ୍ୟଟକ ମନାଲି ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ନ ହୋଇ ଅଧା ବାଟରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ପ୍ରକାଶ ଥାଉ କି ମସୌରୀ ବା ନୈନୀତାଲ ଭଳି ଶୈଳନିବାସ ବା ଗୋଆ ଭଳି ବେଳାଭୂମି ଅଥବା ପୁରୀ ବା ବାରାଣସୀ ଭଳି ଧାାର୍ମିକ ପୀଠଗୁଡ଼ିକ ବିଭିନ୍ନ ସମୟ‌େର ବହିରାଗତମାନଙ୍କ ଦ୍ବାରା ଏଭଳି ରୁନ୍ଧି ହୋଇଯାଆନ୍ତି ଯେ ସେହି ସବୁ ସହର ଓ ସହରବାସୀ ଭୀଷଣ ଚାପଗ୍ରସ୍ତ ହେବା ସହ ଅନେକ କଦର୍ଥନ‌ାର ଶିକାର ମଧ୍ୟ ହୁଅନ୍ତି। ଅବଶ୍ୟ ଏହା ସତ ଯେ, ଦୈନନ୍ଦିନ ଜୀବନର ନିରସ ଗତାନୁଗତିକତା ଓ ଜଞ୍ଜାଳର କ୍ଳାନ୍ତିରୁ ମୁକ୍ତି ପାଇବାକୁ ଉଦ୍‌ଗ୍ରୀବ ଭୂ-ସ୍ବର୍ଗ ସନ୍ଧାନୀମାନଙ୍କ ଦ୍ବାରା, ଅକ୍‌ଟୋବର ୨ ତାରିଖ ଦିନ, ଏଭଳି ଘଟିଥିଲା! କିନ୍ତୁ, ଗଭୀର ଆଲୋଚନା କାଳରେ ଦିଶିଯାଏ କିଭଳି ଆମମାନଙ୍କ ଭଳି ଏହି ସ୍ବର୍ଗ ସନ୍ଧାନୀମାନେ, ପ୍ରକୃତ ପକ୍ଷେ ଏକ ଅଦମନୀୟ ପଳାତକ ଗୋଷ୍ଠୀ, ଯେଉଁମାନେ ଆପଣା ନର୍କରୁ ବାହାରି ଅନ୍ୟତ୍ର ନୂତନ ନର୍କମାନ ସୃଷ୍ଟି କରିବାରେ ଲାଗିଛନ୍ତି!
ସର୍ବେକ୍ଷଣରୁ ଜଣାପଡ଼ିଥାଏ ଯେ ଗଲା ୨୦୨୫ ମସିହାରେ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳଗୁଡ଼ିକ ୪୨୮.୫୫ କୋଟି ସ୍ବଦେଶୀ ପର୍ଯ୍ୟଟନ ଦେଖିଛନ୍ତି ଏବଂ ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୩% ଅଧିକ। ସେହିଭଳି ପୂର୍ବ ବର୍ଷଗୁଡ଼ିକର ତଥ୍ୟ କହିଥାଏ ଯେ ଗଲା କିଛି ବର୍ଷ ହେଲାଣି ଏହି ବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହୋଇ ରହିଛି। ସାଂପ୍ରତିକ ସ୍ଥିତି ନେଇ ଧାରଣାଟିଏ ଲାଭ କରିବାକୁ ହେଲେ ସିକ୍କିମକୁ ଏକ ଦୃଷ୍ଟାନ୍ତ ରୂପେ ଦେଖାଯାଇପାରେ; ମାତ୍ର ୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଯେଉଁ ରାଜ୍ୟ ୨୦୨୫ ମସିହାରେ ୧୭ ଲକ୍ଷ ପର୍ଯ୍ୟଟକଙ୍କ ପଦାର୍ପଣ ଦେଖିଥିଲା! ଯଦିଓ ଏହା ସତ ଯେ ଏହା ଦ୍ବାରା ସଂପୃକ୍ତ ଅଞ୍ଚଳଗୁଡ଼ିକର ଅର୍ଥନୀତି ପୂର୍ବ ତୁଳନାରେ ଖୁବ୍‌ ଅଧିକ ସୁଦୃଢ଼ ହୋଇଛି, ତଥାପି ଏକ କଠିନ ବାସ୍ତବତା ହେଲା ପର୍ଯ୍ୟଟକମାନଙ୍କ ଭିଡ଼, ବର୍ଜ୍ୟବସ୍ତୁର ପାହାଡ଼, ପ୍ରଦୂଷଣ, ଉତ୍ତାପ ବୃଦ୍ଧି, ଜଳ ଉପଲବ୍‌ଧତାରେ ସଂକଟ ଭଳି ପରିସ୍ଥିତି ସ୍ଥାନୀୟ ଜନସାଧାରଣଙ୍କ ସକାଶେ ବିଷମ ସଂକଟର କାରଣ ମଧ୍ୟ ହେଲାଣି। ଏହା ସୁବିଦିତ ଯେ ପୂର୍ବ ତୁଳନାରେ ଅଧିକ ସ୍ଫୀତ ଉଚ୍ଚ-ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗ ଇତିମଧ୍ୟରେ ଯଥେଷ୍ଟ ଉଦ୍‌ବୃତ୍ତ ଅର୍ଥରାଶିର ଅଧିକାରୀ ହୋଇ ସ୍ବଦେଶୀ ପର୍ଯ୍ୟଟନକୁ ଇନ୍ଧନ ଯୋଗାଇଛନ୍ତି, ଯହିଁରେ ଜୀବନ ଜଂଜାଳରୁ ସ୍ବଳ୍ପ ଅବଧି ସକାଶେ ପଳାୟନର ବ୍ୟଗ୍ରତା ହେତୁ କୌଣସି ଅପ୍ରସ୍ତୁତ ବସତିରେ ନିଘଞ୍ଚ ଭିଡ଼, ପ୍ରଦୂଷଣ ଓ ଅନେକ ସ୍ଥଳେ ସ୍ଥାନୀୟ ସଂସ୍କୃତିର ଅବମାନନା ଭଳି ଦୃଶ୍ୟପଟ ସୃଷ୍ଟି ହେଲାଣି। ଏଭଳି ସମସ୍ୟାର ନିରାକରଣ ଲାଗି ପ୍ରସ୍ତାବମାନ ଦିଆଯାଉଛି ଯେ ପରିଚିତ ସ୍ଥାନଗୁଡ଼ିକ ପରିବର୍ତ୍ତେ ସ୍ବଳ୍ପ-ଜ୍ଞାତ ମନୋରମ ଓ ଐତିହ୍ୟସଂପନ୍ନ ସ୍ଥଳଗୁଡ଼ିକୁ ପର୍ଯ୍ୟଟନ ସକାଶେ ଆକର୍ଷଣୀୟ କରାଯିବା ଉଚିତ। କିନ୍ତୁ କଥା ହେଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟି ଚାଲୁଥିବା ହେତୁ, ନୂତନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ, ସ୍ବାଭାବିକ ଭାବେ ଭିତ୍ତିଭୂମିଗତ ଅଭାବ ହେତୁ, ଖୁବ୍‌ ଶୀଘ୍ର ଭାରାକ୍ରାନ୍ତ ହୋଇ ତ୍ରାହି ତ୍ରାହି ଡାକିବେ!
ଗଲା ଅକ୍‌ଟୋବର ୪ ତାରିଖରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ପରାଗ ଆଚାର୍ଯ୍ୟଙ୍କ ଦ୍ବାରା ଲିଖିତ ଏକ ସୁନ୍ଦର ପ୍ରବନ୍ଧ, ଯାହାର ଶୀର୍ଷକ ଥିଲା ‘ଆଫ୍ରିକାରୁ ଭୂତ ଗଁା ଯାଏ: ମଣିଷର ଅନନ୍ତ ଯାତ୍ରା’, ଯହିଁରେ ପ୍ରାଗୈତିହାସିକ ମନୁଷ୍ୟଙ୍କଠାରୁ ଆଜିର ମନୁଷ୍ୟ ପର୍ଯ୍ୟନ୍ତ ଦେଖାଇ ଆସିଥିବା ସ୍ଥାନ ପରିବର୍ତ୍ତନର ବ୍ୟଗ୍ରତା ବିଷୟ ଆଲୋଚିତ ହୋଇଥିଲା। ତହିଁରେ ଏକ ପରିସଂଖ୍ୟାନ କହିଛି ଯେ ଭାରତର ପ୍ରାୟ ୪.୪% ଗ୍ରାମ ଅର୍ଥାତ୍ ୨୮,୦୦୦ଟି ଗ୍ରାମ ପ୍ରାୟ ଜନଶୂନ୍ୟ। ଉତ୍ତରପ୍ରଦେଶର ୫୫୦୬, ବିହାରର ୩୪୩୧, ଓଡ଼ିଶାର ୩୩୦୩, ମହାରାଷ୍ଟ୍ରର ୨୪୧୩, କର୍ଣ୍ଣାଟକର ୧୭୨୩ ଓ ଆସାମର ୧୭୦୩ଟି ଗ୍ରାମ ପ୍ରାୟ ଖାଲି; ଯାହାକୁ ‘ସ୍ରିଙ୍କିଙ୍ଗ ଭିଲେଜ’ ବା ‘ହଲୋ ଭିଲେଜ’ ବା ‘ଘୋଷ୍ଟ ଭିଲେଜ’ ବୋଲି କୁହାଯାଉଛି; ଘୋଷ୍ଟ ଭିଲେଜ ଅର୍ଥାତ ଭୂତ ଗଁା! ନିଜ ଭିଟାମାଟି, ଚାଷ ଜମି ଓ କୌଳିକ ବୃତ୍ତିକୁ ପରିତ୍ୟାଗ କରି ଗାଁ ଲୋକେ ଯେ ସ୍ବର୍ଗର ସନ୍ଧାନରେ ଯାଇ ଯେ କୌଣସି ଦୂର ବା ଅଦୂର ସହରରେ ପହଞ୍ଚନ୍ତି, ତାହା କହିବା ବାହୁଲ୍ୟ ମାତ୍ର। ଜାତିସଂଘର ‘ହାବିଟାଟ ଏଣ୍ଡ ରିସର୍ଚ୍ଚ ଷ୍ଟଡିଜ’ର ତଥ୍ୟ ଅନୁସାରେ ୨୦୨୫ ମସିହା ସୁଦ୍ଧା ଭାରତୀୟ ସହରର ବସ୍ତିବାସିନ୍ଦାଙ୍କ ସଂଖ୍ୟା ପହଞ୍ଚିଛି ୧୫.୮ କୋଟିରେ। ୨୦୧୧ ମସିହାର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ବସ୍ତି ବାସିନ୍ଦାଙ୍କ ସଂଖ୍ୟା ୨.୫% ହାରରେ ବୃଦ୍ଧି ପାଇବାରେ ଲାଗିଥିଲା, ଯାହା ସଂପ୍ରତି ଅର୍ଥାତ୍‌ ୨୦୨୫-୨୬ ମସିହା ବେଳକୁ ଅଧିକ ହୋଇଥିବା ସୁନିଶ୍ଚିତ! ପ୍ରକାଶ ଥାଉ କି ସହରର ମୁଣ୍ଡ ଟେକୁଥିବା ବସ୍ତିଗୁଡ଼ିକୁ ଭଲ ହେଉ ନ ଥିବା ଘା’ ଭଳି ଦେଖାଯାଇଥାଏ; ସହରର ବିକାଶ ପରିକଳ୍ପନାରେ ବସ୍ତିଗୁଡ଼ିକ ବାରମ୍ବାର ଉଚ୍ଛେଦ ଓ ବସ୍ତି ବାସିନ୍ଦାମାନେ ବିସ୍ଥାପନର ଶିକାର ହୋଇ ସୀମାନ୍ତରିତ ହେବାରେ ଲାଗିଥାଆନ୍ତି। ଏଠାରେ ଏହା କହିବାର ତାତ୍ପର୍ଯ୍ୟ ହେଲା, ପୂର୍ବ ବର୍ଣ୍ଣିତ, ମଧ୍ୟ-ବିତ୍ତୀୟ ବର୍ଗଙ୍କ ଭଳି ବିଳାସ ଅନ୍ବେଷଣରେ ନ ହୋଇ, ଜୀବନର କେତେକ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ଆଶାରେ ନିଜ ନିଜ ଗାଁରୁ ପଳାୟନ କରି ଆସିଥିବା ଏହି ସ୍ବର୍ଗ ସନ୍ଧାନୀମାନେ ମଧ୍ୟ ଅବଲୀଳା କ୍ରମେ ନିଜ ହାତରେ ବସ୍ତି ରୂପକ ନର୍କମାନ ଗଢ଼ନ୍ତି!

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

ଗଲା ବର୍ଷ ଦୀପାବଳି ପରବର୍ତ୍ତୀ ସମୟରେ ଯେତେବେଳେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ଉତ୍କଟ ହୋଇ ଘୋର ଉଦ୍‌ବେଗ ସୃଷ୍ଟି କରିବା ସହିତ ସାରା ପୃଥିବୀରେ ଏକ ଆଲୋଚ୍ୟ ବିଷୟ ପାଲଟିଥିଲା, ସେହି ସମୟରେ କତିପୟ ଚିକିତ୍ସା-ବିଜ୍ଞାନୀଙ୍କ ପରାମର୍ଶ ଶୁଣିବାକୁ ମିଳିଥିଲା ଯେ ବରିଷ୍ଠ ନାଗରିକ, ଶ୍ବାସରୋଗୀ ଓ ଶିଶୁମାନେ ଥିବା ପରିବାର ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲିଯିବା ଉଚିତ, ନଚେତ ପ୍ରତ୍ୟହ ଦୁଇ ପ୍ୟାକେଟ ସିଗାରେଟ ଟାଣୁଥିବା ବ୍ୟକ୍ତିର ଫୁସଫୁସ ଭଳି ଦଶା ଭୋଗିବାକୁ ପଡ଼ିପରେ! କିନ୍ତୁ ପ୍ରଶ୍ନ ହେଲା, ପଳାୟନ କରିବାରେ କୌଣସି ସମସ୍ୟାର ସମାଧାନ ଥାଏ କି? ଦାରିଦ୍ର୍ୟ, ଯୁଦ୍ଧ, ଜଳବାୟୁ ସଂକଟ ଭଳି ଗୁରୁତର ସ୍ଥିତି ହେଉ ବା ଜୀବନ ଜଂଜାଳ ଭଳି ଏକ ସାମାନ୍ୟ କାରଣ ହେଉ; ବାସ୍ତବତାର ତାଡ଼ନାରୁ ସବୁ ଦିନ ଲାଗି ହେଉ ବା ପର୍ଯ୍ୟଟକମାନଙ୍କ ଭଳି ସାମୟିକ ମୁକ୍ତି ଲାଗି ହେଉ; ନୂତନ ସ୍ବର୍ଗର ସନ୍ଧାନରେ ହେଉଥିବା ପ୍ର‌େତ୍ୟକ ସ୍ଥାନାନ୍ତରଣ ହେଉଛି ପଳାୟନର ଯାତ୍ରା। କିନ୍ତୁ, ଅସଂଗତିଟି ହେଲା, ପଳାତକମାନେ ସେମାନଙ୍କ ଗୋଚର ବା ଅଗୋଚରରେ ପର ଜାଗାରେ ନର୍କମାନ ସୃଷ୍ଟି କରିବାରେ ଲାଗନ୍ତି; ଯେଉଁ କାରଣରୁ ସଂପ୍ରତି ‘ଇମିଗ୍ରାଣ୍ଟ୍‌ସ’ ବା ‘ପ୍ରବାସୀ’, ‘ଆସାଇଲମ ସିକର୍ସ’ ବା ‘ଶରଣାର୍ଥୀ’ ଏବଂ କେତେକ ସ୍ଥଳେ ପର୍ଯ୍ୟଟକମାନେ ସ୍ଥାନୀୟ ବାସିନ୍ଦାମାନଙ୍କ ଦ୍ବାରା ବିରୋଧର ଶିକାର ହେଲେଣି। ଏହି ପରିପ୍ରେକ୍ଷୀରେ ମୂଳ ପ୍ରଶ୍ନଟି ହେଲା, ପଳାୟନ କରିବା ଲାଗି ସ୍ବର୍ଗ ବୋଲି କୌଣସି ଆଶ୍ରୟ ବା ବିଶ୍ରାମ ସ୍ଥଳ ପ୍ରକୃତରେ ଥାଏ କି? ଯଦିବା କୌଣସି ସ୍ବର୍ଗ ଥାଏ, ତେବେ ତାହା ସ୍ବର୍ଗ ହୋଇ ରହିବ ନା ଅବଲୀଳା କ୍ରମେ ନର୍କରେ ପରିଣତ ହୋଇଯିବ, ତାହା ନିର୍ଭର କରେ ସେଠାକୁ ପ୍ରବେଶ କରୁଥିବା ପଳାତକମାନଙ୍କ ଉପରେ! କିନ୍ତୁ ଅବସୋସ, ଅନେକ ପଳାତକ ତାହା ହୃଦୟଙ୍ଗମ କରି ପାରନ୍ତି ନାହିଁ!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।