Editorial: ଜନମଙ୍ଗଳ ଯୋଜନା ଓ ଘରୋଇ ବ୍ୟାଙ୍କ
"ପ୍ରଶାନ୍ତ ମିଶ୍ର କିଛି ମାସ ତଳେ, ତାଙ୍କ ଚିଠି ନମ୍ବର ୧୬୧୦୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବିଭାଗ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦିଆଗଲା ଯେ କୌଣସି ସରକାରୀ ବିଭାଗ ସେମାନଙ୍କର ଜମା ଟଙ୍କା ଘରୋଇ ବ୍ୟାଙ୍କରେ ରଖିପାରିବେ ନାହିଁ।
ଏଥିରେ ସଞ୍ଚୟ ଖାତା, ଚାଲୁ ଖାତା ଓ ସ୍ଥାୟୀ ଜମା ଅନ୍ତର୍ଭୁକ୍ତ।
ଏ ନେଇ ସରକାର ଦର୍ଶାଇଥିବା କାରଣଗୁଡ଼ିକ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ରାଜ୍ୟ ସରକାରଙ୍କ କହିବା କଥା ହେଲା, ରାଜ୍ୟ ତଥା କେନ୍ଦ୍ରୀୟ ଯୋଜନା, ବାର୍ଷିକ ଋଣ ଯୋଜନା, କୃଷି ଋଣ, ଗୃହ ଋଣ, ଫସଲ ଋଣ ଏବଂ ସର୍ବୋପରି ଋଣ ଜମା ଅନୁପାତରେ ଗତ ଆର୍ଥିକ ବର୍ଷରେ (୨୦୨୫-୨୬) ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ବା ଭୂମିକା ବା କାର୍ଯ୍ୟ ଦକ୍ଷତା ଅତ୍ୟନ୍ତ ନଗଣ୍ୟ ସ୍ତରର ଥିଲା।
ଘରୋଇ ବ୍ୟାଙ୍କ ତୁଳନାରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କର ପ୍ରଦର୍ଶନ ବହୁତ ଭଲ ରହିଥିଲା।
ତେଣୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ୧୪ଟି ସରକାରୀ ବ୍ୟାଙ୍କକୁ ରାଜ୍ୟ ସରକାରଙ୍କ ଦେଣନେଣ ପାଇଁ ମନୋନୀତ କରାଯାଇଛି।୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ବ୍ୟାଙ୍କର ମୋଟ ୬୩୩୮ଟି ଶାଖା ଓଡ଼ିଶାରେ ଥିବାବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ୩୨୮୧, ଘରୋଇ ବ୍ୟାଙ୍କର ୧୩୫୮, ଗ୍ରାମ୍ୟ ବ୍ୟାଙ୍କର ୯୭୯, ସମବାୟ ବ୍ୟାଙ୍କର ୩୪୮ ଏବଂ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକର ୩୭୨ଟି ଶାଖା ରହିଛି।
ତେଣୁ ଘରୋଇ ବ୍ୟାଙ୍କଗୁଡ଼ିକର ଶାଖା ସଂଖ୍ୟା ଯଥେଷ୍ଟ ଥିବାବେଳେ ବିଭିନ୍ନ ସରକାରୀ ଯୋଜନା, ବିଶେଷ କରି ଗରିବ କଲ୍ୟାଣ ଯୋଜନାଗୁଡ଼ିକରେ ସେମାନଙ୍କ ଯୋଗଦାନ ଅତ୍ୟନ୍ତ ନଗଣ୍ୟ ରହିବା ଭ୍ରୂକୁଂଚନ ସୃଷ୍ଟି କରିଥାଏ।
ବାର୍ଷିକ ଋଣ ଯୋଜନା (ଏ.ସି.ପି.) ଅର୍ନ୍ତଭୁକ୍ତ ଫସଲ ଋଣ ପାଇଁ ସରକାର ଧାର୍ଯ୍ୟ କରିଥିବା ବଜେଟର ମାତ୍ର ୪୧% ଏହି ଘରୋଇ ବ୍ୟାଙ୍କଗୁଡ଼ିକ ହାସଲ କରିଥିବାବେଳେ, ସରକାରୀ ବ୍ୟାଙ୍କଗୁଡ଼ିକର ସଫଳତାର ହାର ହେଉଛି ୯୮.୬୨ ପ୍ରତିଶତ।
ସେହିପରି ସମୁଦାୟ କୃଷି ଋଣ କ୍ଷେତ୍ରରେ, ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ବହୁ ଉପରେ।
ସରକାରୀ ବ୍ୟାଙ୍କଗୁଡ଼ିକ ମୋଟ ବଜେଟର ୧୦୭% ଋଣ ପ୍ରଦାନ କରିଥିବାବେଳେ, ଘରୋଇ ବ୍ୟାଙ୍କଗୁଡ଼ିକର ସଫଳତା ହାର ହେଉଛି ମାତ୍ର ୬୭ ପ୍ରତିଶତ।
ସେହିପରି କେନ୍ଦ୍ର ସରକାର ଗୁରୁତ୍ବ ଦେଉଥିବା ଗୃହ ଋଣ ଓ ଶିକ୍ଷା ଋଣ ପ୍ରଦାନରେ ମଧ୍ୟ ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନ ସ୍ତରୀୟ।
ପ୍ରମୁଖ ଘରୋଇ ବ୍ୟାଙ୍କ "ଏକ୍ସିସ" ବ୍ୟାଙ୍କ୍, ଗତ ଆର୍ଥିକ ବର୍ଷରେ ସରକାର ଧାର୍ଯ୍ୟ କରିଥିବା ମୋଟ ବଜେଟର ମାତ୍ର ୦.୯୭% ଗୃହ ଋଣ ପ୍ରଦାନ କରିଥିବାବେଳେ, ଆଇ.ସି.ଆଇ.ସି.ଆଇ.
ବ୍ୟାଙ୍କ ମାତ୍ର ୩.୦୮ ପ୍ରତିଶତ ଗୃହ ଋଣ ପ୍ରଦାନ କରିଥିଲା।
ତେବେ, ଘରୋଇ ବ୍ୟାଙ୍କ ଏଚ.ଡି.ଏଫ.ସି.ର ପ୍ରଦର୍ଶନ ଅନ୍ୟମାନଙ୍କ ତୁଳନାରେ ସନ୍ତୋଷଜନକ ରହିଥିଲା।
ଇଣ୍ଡସିଣ୍ଡ ବ୍ୟାଙ୍କ, ସାଉଥ ଇଣ୍ଡିଆ ବ୍ୟାଙ୍କ, ଆର.ବି.ଏଲ.
ଆଦି ଭଳି ଅନେକ ଘରୋଇ ବ୍ୟାଙ୍କ ପୂରା ଆର୍ଥିକ ବର୍ଷରେ ଗୋଟିଏ ହେଲେ ଗୃହ ଋଣ ପ୍ରଦାନ କରିନାହାନ୍ତି।
ଯଦି ୨୦୨୫-୨୬ ବାର୍ଷିକ ଋଣ ଯୋଜନା (ଏ.ସି.ପି.)ର ମୋଟ ସଫଳତା ହାର ଉପରେ ଦୃଷ୍ଟିପାତ କରାଯାଏ, ତେବେ ସରକାରୀ ବ୍ୟାଙ୍କଗୁଡ଼ିକର ସଫଳତା ହାର ୯୭.୨୭% ଥିବାବେଳେ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକର ସଫଳତାର ହାର ଯଥାକ୍ରମେ ୧୧୪% ଓ ୯୧ ପ୍ରତିଶତ।
କିନ୍ତୁ ଘରୋଇ ବ୍ୟାଙ୍କଗୁଡ଼ିକ ମୋଟ ବଜେଟର ମାତ୍ର ୭୯% ଋଣ ପ୍ରଦାନ କରିଛନ୍ତି।
ପ୍ରଶ୍ନ ହେଉଛି, ବାର୍ଷିକ ଋଣ ଯୋଜନାରେ ସରକାରୀ ବ୍ୟାଙ୍କଗୁଡ଼ିକର ସଫଳତାର ହାର ଢେର ଅଧିକ ରହିଥିବାବେଳେ, ଘରୋଇ ବ୍ୟାଙ୍କଗୁଡ଼ିକର ଋଣ ଜମା ଅନୁପାତ ସରକାରୀ ବ୍ୟାଙ୍କ ତୁଳନାରେ ଅଧିକ ରହୁଛି କିପରି?
ଗତ ଆର୍ଥିକ ବର୍ଷରେ ଘରୋଇ ବ୍ୟାଙ୍କଗୁଡ଼ିକର ଋଣ ଜମା ଅନୁପାତ ୭୦% ରହିଥିବାବେଳେ ସରକାରୀ ବ୍ୟାଙ୍କ ୬୭%, ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ୬୦% ରହିଥିଲା।
ତେବେ ଭଲ କରି ନିରୀକ୍ଷଣ କଲେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଜାରି କରାଯାଉଥିବା ରାଜ୍ୟୱାରୀ ବ୍ୟାଙ୍କମାନଙ୍କର ମୋଟ ଋଣ ପରିମାଣ ଏବଂ ଓଡ଼ିଶା ଏସ.ଏଲ.ବି.ସି. (ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି) ପକ୍ଷରୁ ପ୍ରକାଶିତ ସଂଖ୍ୟା ମଧ୍ୟରେ ଥିବା ତାରତମ୍ୟ ବିଷୟ ଜଣାପଡ଼େ।
ରାଜ୍ୟରେ ଥିବା ଘରୋଇ ବ୍ୟାଙ୍କମାନେ ଅନ୍ୟ ରାଜ୍ୟରେ ମଞ୍ଜୁର ହୋଇଥିବା ଋଣ (ଯାହାକି ଓଡ଼ିଶା ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ)କୁ ମିଶ୍ରଣ କରି "ଏସ.ଏଲ.ବି.ସି."କୁ ଡାଟା ପ୍ରଦାନ କରୁଥିବାରୁ ମୋଟ ଋଣ ପ୍ରଦାନର ପରିମାଣରେ ଅହେତୁକ ବୃଦ୍ଧି ଘଟୁଛି।
ପ୍ରକୃତ ପକ୍ଷେ ଯେଉଁ ରାଜ୍ୟରେ ଋଣ ମଞ୍ଜୁର ହୋଇଥାଏ, ସେହି ରାଜ୍ୟର ମୋଟ ଋଣ ପରିମାଣ ଏହାର ଅଂଶବିଶେଷ ହେବାର ନିୟମ ରହିଛି।
ତେଣୁ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପାଇଁ ଅନ୍ୟ ରାଜ୍ୟରେ ଥିବା ଘରୋଇ ବ୍ୟାଙ୍କର ଶାଖାଗୁଡ଼ିକ ଋଣ ମଞ୍ଜୁର କରୁଥିବାବେଳେ ଓଡ଼ିଶା ଘରୋଇ ବ୍ୟାଙ୍କଗୁଡ଼ିକ ଏଗୁଡ଼ିକୁ ନିଜର ବୋଲି କହି ବାହାବା ନେବା ପାଇଁ ଚେଷ୍ଟା କରୁଛନ୍ତି।
ଫଳରେ ଓଡ଼ିଶା ସରକାର ପ୍ରକୃତ ତଥ୍ୟ ପାଇ ପାରୁ ନାହାନ୍ତି।
ସେହିପରି ଘରୋଇ ବ୍ୟାଙ୍କଗୁଡ଼ିକ ନିଜର କୃଷି ଋଣ ବଜେଟ ହାସଲ କରିବା ପାଇଁ, ବଡ଼ ବଡ଼ କର୍ପୋରେଟ ଗ୍ରାହକମାନଙ୍କଠାରୁ ରଖୁଥିବା ସ୍ଥାୟୀ ଜମା ବନ୍ଧକ ଆଧାରରେ କୃଷି ଋଣ ପ୍ରଦାନ କରୁଛନ୍ତି।
ଋଣ ଆବଶ୍ୟକ କରୁଥିବା ସାଧାରଣ କୃଷକଙ୍କୁ ତାହା ମିଳୁନାହିଁ।
ଏହା ଧର୍ମକୁ ଆଖିଠାର ସଦୃଶ।
ତେଣୁ ଏ ସବୁ ନେଇ ଅଧିକ ଅନୁସନ୍ଧାନ କରାଯିବା ଉଚିତ, ଯାହା ହେଲେ ଅନେକ ଲୁଚା କଥା ସାମନାକୁ ଆସିପାରେ।
କେବଳ ତିନିଟି ବଡ଼ ଘରୋଇ ବ୍ୟାଙ୍କ୍; ଏ ଯେମିତି କି ଏକ୍ସିସ ବ୍ୟାଙ୍କ, ଆଇ.ସି.ଆ.ଇ.ସି.ଆଇ.
ଏବଂ ଏଚ.ଡି.ଏଫ.ସି.
ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଡାଟାର ଅନୁଶୀଳନ କଲେ ଅଜଣା ବାସ୍ତବତା ଜଣା ପଡ଼ିବ।ରାଜ୍ୟ ସରକାର ଆଉ ଯେଉଁ ବିଷୟଟିକୁ ଅଧିକ ଗୁରୁତ୍ବ ଦେଇଛନ୍ତି, ତାହା ହେଲା ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ ଯୋଜନା ସମୂହ ଯେପରିକି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଘରୋଇ ବ୍ୟାଙ୍କଗୁଡ଼ିକ ବିଶେଷ ଆଗ୍ରହ ପ୍ରକାଶ କରୁ ନାହାନ୍ତି।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସରକାର ଧାର୍ଯ୍ୟ କରିଥିବା ମୋଟ୍ ବଜେଟର ୮୦% ସଫଳତା ସରକାରୀ ବ୍ୟାଙ୍କଗୁଡ଼ିକ ହାସଲ କରିଥିବାବେଳେ ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ମାତ୍ର ୧୪%ରେ ସୀମିତ ଥିଲା।
ସେହିପରି ଅଟଳ ପେନସନ ଯୋଜନାରେ ସରକାରୀ ବ୍ୟାଙ୍କଗୁଡ଼ିକ ୧୧୮% ସଫଳତା ହାସଲ କରିଥିବାବେଳେ ଘରୋଇ ବ୍ୟାଙ୍କଗୁଡ଼ିକର ସଫଳତା ହାର ଥିଲା ମାତ୍ର ୬୮ ପ୍ରତିଶତ।
ସେମିତି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସରକାରୀ ବ୍ୟାଙ୍କଗୁଡ଼ିକ ବଜେଟର ୧୨୦% ସଫଳତା ହାସଲ କରିଥିବାବେଳେ, ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ସୀମିତ ଥିଲା ମାତ୍ର ୧୯%ରେ।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସରକାରୀ ବ୍ୟାଙ୍କଗୁଡ଼ିକର ଯୋଗଦାନ ୧୧୧% ଥିବାବେଳେ ଘରୋଇ ବ୍ୟାଙ୍କଗୁଡ଼ିକ ମାତ୍ର ୨୫% ସଫଳତା ହାସଲ କରିଛନ୍ତି।
ସାମାଜିକ ସୁରକ୍ଷା ଯୋଜନାରେ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚକୋଟୀର ରହିଥିଲା।
ରାଜ୍ୟ ସରକାରଙ୍କ ବଳରାମ ଯୋଜନା, ପିଏମ ବିଶ୍ୱକର୍ମା ଯୋଜନା, ପିଏମ ସ୍ବନିଧି ଆଦି ଭଳି ଯୋଜନାଗୁଡ଼ିକରେ ଘରୋଇ ବ୍ୟାଙ୍କଗୁଡ଼ିକର ଅଂଶ ଗ୍ରହଣ ଅତ୍ୟନ୍ତ ନଗଣ୍ୟ ବା ପ୍ରାୟ ନାହିଁ ବୋଲି କହିଲେ ଚଳେ।
ସେହିପରି ଅନୁନ୍ନତ ଅଞ୍ଚଳରେ "ବ୍ରିକ ଏଣ୍ଡ ମୋର୍ଟାର" ଶାଖା ଖୋଲିବାରେ ଘରୋଇ ବ୍ୟାଙ୍କଗୁଡ଼ିକର ଟାଳଟୁଳ ନୀତିକୁ ସରକାର ନାପସନ୍ଦ କରୁଛନ୍ତି।
ଅତୀତରେ ମଧ୍ୟ ରାଜ୍ୟ ସରକାର କିଛି ଘରୋଇ ବ୍ୟାଙ୍କକୁ ସରକାରୀ ଦେଣନେଣ ବା ଟଙ୍କା ଜମା ରଖିବା ପାଇଁ ବାରଣ କରିଥିଲେ।
ତେବେ, ପରବର୍ତ୍ତୀ ସମୟରେ ତାହାକୁ ଉଠାଇ ନେଇଥିଲେ।
କାରଣ, ଘରୋଇ ବ୍ୟାଙ୍କଗୁଡ଼ିକ ଉପଯୁକ୍ତ ମାନଦଣ୍ଡରେ ଉନ୍ନତ ପ୍ରଦର୍ଶନ କରିବାର ପ୍ରତିଶ୍ରୁତି ଦେଇଥିଲେ।
କିନ୍ତୁ ସ୍ଥିତି "ଯଥା ପୂର୍ବଂ ତଥା ପରମ୍" ରହିଲା।
ତେଣୁ ପ୍ରଶ୍ନ ଉଠେ ଯେ ଘରୋଇ ବ୍ୟାଙ୍କଗୁଡ଼ିକ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାରୀ ନିର୍ଦ୍ଦେଶକୁ ପୁଣି ପ୍ରତ୍ୟାହାର କରେଇ ନେବେ ନାହିଁ ତ?
କିନ୍ତୁ ମୋଟାମୋଟି କଥା ହେଲା, ଯଦି ରାଜ୍ୟବାସୀଙ୍କ ପ୍ରଗତି କଳ୍ପେ ଉଦ୍ଦିିଷ୍ଟ ସରକାରୀ ଯୋଜନାଗୁଡ଼ିକରେ ଘରୋଇ ବ୍ୟାଙ୍କଗୁଡ଼ିକର ଯୋଗଦାନ ନ ରହେ, ତେବେ ସରକାର ସେମାନଙ୍କ ସହିତ କୌଣସି ଆର୍ଥିକ କାରବାର ନ କରିବାକୁ ଯଥାର୍ଥ ବୋଲି କୁହାଯିବ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୯୩୭୦୩୨୮୮୬Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।