Editorial: ମଧୁମକ୍ଷୀ ଦଂଶନ

Sep 22, 2026 - 03:26
Editorial: ମଧୁମକ୍ଷୀ ଦଂଶନ

"ଲାହିଡ଼ି କହିଥିବା ଭଳି ୦.୪ ଶତାଂଶ "ଏମ୍‌ଡିଆର୍" ହାର ନଗଣ୍ୟ ହୋଇପାରେ, କିନ୍ତୁ ଏହା ବହନ କରୁଥିବା ନିରୁତ୍ସାହ ସୃଷ୍ଟିକାରୀ ସନ୍ଦେଶ ନଗଣ୍ୟ ନୁହେଁ; ଏହା ଉଭୟ କ୍ରେତା ଓ ବିକ୍ରେତାଙ୍କୁ "ୟୁପିଆଇ" ବ୍ୟବହାର ପ୍ରତି ବିମୁଖ କରି ସେମାନଙ୍କୁ ପୁଣି ନଗଦ ବା କ୍ୟାସ୍‌ ଭଳି ଅଦକ୍ଷ ମାଧ୍ୟମ ବ୍ୟବହାର କରିବାକୁ ପ୍ରବୃତ୍ତ କରିପାରେ।

ଏପରି ଘଟିଲେ ଦେଶର କିଭଳି କ୍ଷତି ସାଧିତ ହେବ, ତାହା ଅନ୍ତତଃ ଲାହିଡ଼ିଙ୍କ ପରି ଅର୍ଥନୀତିଜ୍ଞମାନେ ନିଜର ରାଜନୈତିକ ଆନୁଗତ୍ୟକୁ ଅତିକ୍ରମ କରି ଭଲ ଭାବରେ ହୃଦୟଙ୍ଗମ କରିପାରୁଥିବେ।Advertisment "ନିତି ଆୟୋଗ"ର ଭାଇସ୍‌ ଚେଆର୍‌ମ୍ୟାନ୍‌ ଅଶୋକ କୁମାର ଲାହିଡ଼ି "ୟୁପିଆଇ" କାରବାର ପ୍ରତି ଏକ ସୀମିତ ମାହାସୁଲ ଲାଗୁ କରିବା ପାଇଁ ସରକାରଙ୍କର ନିଷ୍ପତ୍ତି ସପକ୍ଷରେ ଯୁକ୍ତି କରିବାକୁ ଯାଇ ନିଜ ଅଜାଣତରେ ମହୁମାଛି ବସାରେ ହାତ ମାରିଦେଇଛନ୍ତି ବୋଲି ମନେହୁଏ।

ଲାହିଡ଼ି ସରକାରଙ୍କର ଏଇ ପଦକ୍ଷେପକୁ ଏକ ତାତ୍ତ୍ବିକ ଯଥାର୍ଥତା ପ୍ରଦାନ କରିବାକୁ ଯାଇ ଚାଣକ୍ୟଙ୍କର ପ୍ରସିଦ୍ଧ "ମହୁମାଛି ଓ ଫୁଲ" ରୂପକଳ୍ପ ଉଦ୍ଧାର କରି କହିଛନ୍ତି ଯେ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ "ଅର୍ଥଶାସ୍ତ୍ର"ରେ ଏଇ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ବର୍ଣ୍ଣନା କରିଥିବା ଭଳି ଶାସକ ତାଙ୍କର ପ୍ରଜାମାନଙ୍କ ଠାରୁ ସେଇଭଳି କର ଆଦାୟ କରିବା ଉଚିତ ଯେଉଁଭଳି ମହୁମାଛି ଫୁଲରୁ ମହୁ ସଂଗ୍ରହ କରିଥାଏ- କୋମଳ ଭାବରେ, ଧୀରେ ଧୀରେ, ଫୁଲକୁ କୌଣସି ଆଘାତ ନ ଦେଇ, ପାଖୁଡ଼ାର କୌଣସି କ୍ଷତି ନ ଘଟାଇ।

ସେ ଯୁକ୍ତି କରିଛନ୍ତି ଯେ ମୋଦୀ ସରକାର ବର୍ତ୍ତମାନ ଦେଶରେ "ୟୁପିଆଇ" କାରବାର ଉପରେ ଯେଉଁ ମାତ୍ର ୦.୪ ଶତାଂଶ ହାରରେ ଏକ ସୀମିତ "ଏମ୍‌ଡିଆର୍" ମାହାସୁଲ ଆଦାୟ କରାଯିବା ପାଇଁ ଘୋଷଣା କରିଛନ୍ତି, ତାହା ହେଉଛି ସରକାରଙ୍କ ଦ୍ବାରା ଚାଣକ୍ୟଙ୍କ ମହୁମାଛିସୁଲଭ ଆଚରଣ ପ୍ରଦର୍ଶନ।ଲାହିଡ଼ିଙ୍କ ମତରେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ପାଇଁ ବ୍ୟବସାୟୀମାନଙ୍କ ଠାରୁ ଆଦାୟ ହେବାକୁ ଯାଉଥିବା ଏଇ ମାହାସୁଲ କାହାରି ପାଇଁ ଏକ ଅସହନୀୟ ଆର୍ଥିକ ବୋଝ ସୃଷ୍ଟି କରିବ ନାହିଁ, କିନ୍ତୁ ଅପରପକ୍ଷେ ତାହା "ୟୁପିଆଇ" ବ୍ୟବସ୍ଥାକୁ ଦୀର୍ଘସ୍ଥାୟୀ ହେବାରେ ଓ ଆତ୍ମନିର୍ଭର ଭାବରେ କାର୍ଯ୍ୟ କରିବାରେ ସହାୟକ ହେବ।

ଏଇ "ଏମ୍‌ଡିଆର୍" ମାହାସୁଲ ମାଧ୍ୟମରେ ସଂଗୃହୀତ ହେବାକୁ ଯାଉଥିବା ମହୁ "ୟୁପିଆଇ"କୁ କାର୍ଯ୍ୟକ୍ଷମ କରିବାରେ ସକ୍ରିୟ ଭୂମିକା ନିର୍ବାହ କରୁଥିବା ସଂସ୍ଥାମାନଙ୍କ - ବ୍ୟାଙ୍କ୍‌ରୁ ଫିନ୍‌ଟେକ୍ କଂପାନିମାନଙ୍କ ପର୍ଯ୍ୟନ୍ତ - ପାଇଁ ଏକ ନିଶ୍ଚିତ ଆୟରେ ପରିଣତ ହେବ।ଏଇ ପରିପ୍ରେକ୍ଷୀରେ ଚାଣକ୍ୟଙ୍କ ମହୁମାଛି ରୂପକର ପ୍ରୟୋଗ ବେଶ୍ ଉପଯୋଗୀ ମନେ ହେଉଥିଲେ ହେଁ, ଅର୍ଥନୀତିର ଆଚରଣ ସମ୍ବନ୍ଧରେ ଧାରଣା କରିବା ପାଇଁ ମହୁମାଛିମାନଙ୍କୁ ଅଭିନେତା ରୂପେ ବ୍ୟବହାର କରିବାରେ ଚାଣକ୍ୟ ଏକମାତ୍ର ଅର୍ଥନୀତିଜ୍ଞ ନୁହନ୍ତି।

ଆଉ ତାଙ୍କର ଦୁଇ ହଜାର ବର୍ଷରୁ ଅଧିକ କାଳ ପରେ ଜଣେ ପାଶ୍ଚାତ୍ୟ ଅର୍ଥନୀତିଜ୍ଞ ମହୁମାଛିମାନଙ୍କର ଅର୍ଥନୈତିକ ଆଚରଣ ସମ୍ବନ୍ଧରେ ଯେଉଁ ଅନୁରୂପ ଭାବରେ ସୁପରିଚିତ ଚିତ୍ର ପ୍ରଦାନ କରିଥିଲେ, ତାହାକୁ ଯଦି ବର୍ତ୍ତମାନର ପ୍ରସଙ୍ଗ ପ୍ରତି ପ୍ରୟୋଗ କରାଯାଏ, ତେବେ ତାହା ଏକ ସଂପୂର୍ଣ୍ଣ ବିପରୀତ ଫଳ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବ, ଯାହା ଲାହିଡ଼ିଙ୍କ ପାଇଁ ଘୋର ଅସ୍ବସ୍ତି ସୃଷ୍ଟି କରିବ।

ସେ ହେଉଛନ୍ତି ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର ଓଲନ୍ଦାଜ ଚିକିତ୍ସକ-ଦାର୍ଶନିକ-ଅର୍ଥନୀତିଜ୍ଞ ବର୍ନାଡ ମାଣ୍ଡେଭିଲ୍।୧୭୧୪‌ରେ ପ୍ରଥମେ ପ୍ରକାଶିତ ତାଙ୍କର ରଚନା "ଦି ଫେବ୍‌ଲ ଅଫ୍ ଦି ବିଜ୍" ("ମଧୁମକ୍ଷୀଙ୍କ କାହାଣୀ")ରେ ମାଣ୍ଡେଭିଲ୍ ଏକ ସମୃଦ୍ଧ ମହୁମାଛି ଦଳର କଳ୍ପନା କରିଥିଲେ, ଯେଉଁ ଦଳର ସଦସ୍ୟମାନେ ହେଉଛନ୍ତି ସ୍ବାର୍ଥାନ୍ବେଷୀ, ଉଚ୍ଚାଭିଳାଷୀ ଓ ଲୋଭୀ।

ନୈତିକ ମୂଲ୍ୟବୋଧ ଦୃଷ୍ଟିକୋଣରୁ ଏହା ପ୍ରଶଂସନୀୟ ମନେ ନ ହୋଇପାରେ, କିନ୍ତୁ ସେମାନଙ୍କର ଏଇ ଚରିତ୍ର ସୃଷ୍ଟି କରୁଥିବା ଆତ୍ମବଡ଼ିମା, ଉପଭୋଗ, ପ୍ରତିଯୋଗିତା ଓ ଲାଭ-ଅନ୍ବେଷଣ ଯୋଗୁଁ ଉତ୍ପାଦନ, ନିଯୁକ୍ତି, ବ୍ୟବସାୟ ବାଣିଜ୍ୟ ଆଦିରେ ଯେଉଁ ବୃଦ୍ଧି ଘଟିଥାଏ, ତାହା ସମଗ୍ର ଦଳ ପାଇଁ ସମୃଦ୍ଧି ଆଣିଦେଇଥାଏ।

ଯେତେବେଳେ ସେଇ ଦଳଟି ହଠାତ୍ ଉଚ୍ଚ ନୈତିକ ମୂଲ୍ୟବୋଧ ଦିଗରେ ଆକର୍ଷିତ ହୋଇ ଏଭଳି ଚରିତ୍ର ପରିତ୍ୟାଗ କରି କଠୋର ମିତବ୍ୟୟିତା ଅବଲମ୍ବନ କରେ, ସେତେବେଳେ ତା"ର ଫଳସ୍ବରୂପ ସେଠାରେ ସାମଗ୍ରିକ ଚାହିଦାରେ ତୀକ୍ଷ୍‌ଣ ସଂକୋଚନ ଘଟି ସେ ମହୁମାଛି ଦଳଟିର ସମଗ୍ର ଅର୍ଥନୀତି ଭୁଶୁଡ଼ି ପଡ଼େ; ଅତୀତର ସମୃଦ୍ଧ ଦଳଟି ଉତ୍କଟ ଦାରିଦ୍ର୍ୟ ଦ୍ବାରା କବଳିତ ହୁଏ।

ସେମାନେ ପୁଣି ପୂର୍ବର ଉପଭୋଗଭିତ୍ତିକ ଅର୍ଥନୈତିକ ଆଚରଣକୁ ଲେଉଟି ଆସିଲେ ହିଁ ସମୃଦ୍ଧି ଫେରି ଆସିବ।ଏବେ କଳ୍ପନା କରାଯାଉ ସେଇ ମାଣ୍ଡେଭିଲ୍‌ଙ୍କ ମହୁମାଛିମାନେ ବର୍ତ୍ତମାନ ସେମାନେ ବ୍ୟବହାର କରୁଥିବା "ୟୁପିଆଇ" ପ୍ରତି "ଏମ୍‌ଡିଆର୍" ପ୍ରୟୋଗର ସମ୍ମୁଖୀନ ହୋଇଛନ୍ତି।

ସେମାନଙ୍କର ପ୍ରତିକ୍ରିୟା କ"ଣ ହେବ?

ଏହା ସେମାନଙ୍କ ଠାରେ ନିଶ୍ଚିତ ରୂପେ ତୀବ୍ର ଅସନ୍ତୋଷ ଓ କ୍ରୋଧ ସୃଷ୍ଟି କରିବ।

ସେମାନଙ୍କର ଦଳ ଏକ ସମୃଦ୍ଧ ଦଳରେ ପରିଣତ ହେବାର କାରଣ ହେଲା- ବାଣିଜ୍ୟ।

ପରସ୍ପର ମଧ୍ୟରେ ପ୍ରତିଦିନ ସଂଘଟିତ ଅସଂଖ୍ୟ ଦେଣନେଣ କାରବାର ମାଧ୍ୟମରେ ବ୍ୟକ୍ତି-ସ୍ବାର୍ଥ ରୂପାନ୍ତରିତ ହୋଇଯାଇଥାଏ ସମୂହ ସମୃଦ୍ଧିରେ। (ଅର୍ଥଶାସ୍ତ୍ରର ଜନକ ଆଡାମ୍ ସ୍ମିଥ୍ ଏହା ପ୍ରକାଶ କରିବାର ଛ" ଦଶନ୍ଧି ପୂର୍ବରୁ ମାଣ୍ଡେଭିଲ୍ ସମୃଦ୍ଧିର ଏହି ସୂତ୍ର ଆବିଷ୍କାର କରିସାରିଥିଲେ।) ମହୁମାଛିମାନଙ୍କୁ ଯାହା ବର୍ତ୍ତମାନ କ୍ଷୁବ୍‌ଧ କରିବ, ତାହା ହେଲା ଯେଉଁ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଏଇ ଅସଂଖ୍ୟ କାରବାରଗୁଡ଼ିକୁ ସହଜ, ସରଳ, ସାବଲୀଳ କରି ଆସିଥିଲା ଓ ସାରା ପୃଥିବୀର ମହୁମାଛିମାନଙ୍କ ପାଇଁ ଏକ ଈର୍ଷଣୀୟ ଉଦାହରଣରେ ପରିଣତ ହୋଇଥିଲା, ସେଇ ବ୍ୟବସ୍ଥା ସମ୍ମୁଖରେ "ଏମ୍‌ଡିଆର୍" ମାହାସୁଲ ରୂପକ ଏକ ପ୍ରତିବନ୍ଧକ ଛିଡ଼ା କରି ଦିଆଯାଇଛି।ମନେ ରଖିବା କଥା ଲାହିଡ଼ି କିମ୍ବା ଚାଣକ୍ୟ ସୂଚାଇଥିବା ଭଳି ଭାରତରେ ସରକାର ସେଇ ମହୁମାଛି ନୁହନ୍ତି, ‌ଏଠାରେ ମହୁମାଛି ହେଉଛନ୍ତି ଏ ଦେଶର ଅଗଣିତ ଖାଉଟି ଓ ବ୍ୟବସାୟୀମାନେ ଯେଉଁମାନଙ୍କ ପାଇଁ "ୟୁପିଆଇ" ଅମ୍ଳଜାନ ସଦୃଶ ହୋଇଯାଇଛି।

ନିମ୍ନୋକ୍ତ ସଂକ୍ଷିପ୍ତ ପରିସଂଖ୍ୟାନ ଏ ସମ୍ବନ୍ଧରେ ଏକ ବାସ୍ତବ ଧାରଣା ଆହରଣ କରିବାରେ ସହାୟକ ହେବ।

କେବଳ ଗତ ମାସରେ ଭାରତରେ "ୟୁପିଆଇ" ମାଧ୍ୟମରେ ୨,୪୫୦ କୋଟି ସଂଖ୍ୟକ ଦେଣନେଣ କାରବାର ସଂଘଟିତ ହୋଇଥିଲା, ଯାହା ଥିଲା ଦେଶରେ ସଂଘଟିତ ସମଗ୍ର କାରବାରର ୮୪ ଶତାଂଶ ଏବଂ ଯାହାର ମୋଟ ମୂଲ୍ୟ ଥିଲା ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା।

ଲାହିଡ଼ି ଓ ସରକାର ସଫେଇ ଦେଉଛନ୍ତି ଯେ "ଏମ୍‌ଡିଆର୍" ଲାଗୁ ହେବା ପରେ ଏଥିମଧ୍ୟରୁ ଅଧିକାଂଶ କାରବାର ତଥାପି ଦେୟମୁକ୍ତ ହୋଇ ରହିବ ଏବଂ ଏଇ ମାହାସୁଲ ହାର ମଧ୍ୟ ହେଉଛି ଏକ ଅତ୍ୟନ୍ତ ନୀଚା ୦.୪ ଶତାଂଶ ମାତ୍ର।

କିନ୍ତୁ ସରକାରଙ୍କର ଏଇ ପଦକ୍ଷେପ ପରେ ଖାଉଟି ଓ ବ୍ୟବସାୟୀମାନଙ୍କର ମନସ୍ତତ୍ତ୍ବ ‌େଯଉଁ ଏକ ଆପ୍ତବାକ୍ୟ ଦ୍ବାରା ପ୍ରଭାବିତ ହେବ, ତାହା ହେଲା: "ଅଙ୍ଗୁଳି ପ୍ରବେଶାତ୍ ବାହୁ ପ୍ରବେଶଃ"।

ସେମାନେ ଆଉ ସରକାରଙ୍କୁ ବିଶ୍ବାସ ନ କରି ଏଣିକି ଆତଙ୍କିତ ଅବସ୍ଥାରେ ରହିବେ।ମାଣ୍ଡେଭିଲ୍‌ଙ୍କୁ ଯାହା ବିବ୍ରତ କରନ୍ତା, ତାହା ହେଲା ଏଥିଯୋଗୁଁ ତାଙ୍କ ମହୁମାଛିମାନଙ୍କର ଆଚରଣରେ ଯେଉଁ ପରିବର୍ତ୍ତନ ଘଟିବାର ସମ୍ଭାବନା ଦେଖାଦେବ। "ବି‌େହଭିଅରିଆଲ୍ ଇକୋନମିକ୍‌ସ" ("ଆଚରଣ ଅର୍ଥଶାସ୍ତ୍ର") ଅନୁସାରେ ମନୁଷ୍ୟର ଅର୍ଥନୈତିକ ଆଚରଣ ଅନେକାଂଶରେ ପ୍ରୋତ୍ସାହନ ବା ନିରୁତ୍ସାହନ ଦ୍ବାରା ପ୍ରଭାବିତ ହୋଇଥାଏ।

ଲାହିଡ଼ି କହିଥିବା ଭଳି ୦.୪ ଶତାଂଶ "ଏମ୍‌ଡିଆର୍" ହାର ନଗଣ୍ୟ ହୋଇପାରେ, କିନ୍ତୁ ଏହା ବହନ କରୁଥିବା ନିରୁତ୍ସାହ ସୃଷ୍ଟିକାରୀ ସନ୍ଦେଶ ନଗଣ୍ୟ ନୁହେଁ; ଏହା ଉଭୟ କ୍ରେତା ଓ ବିକ୍ରେତାଙ୍କୁ "ୟୁପିଆଇ" ବ୍ୟବହାର ପ୍ରତି ବିମୁଖ କରି ସେମାନଙ୍କୁ ପୁଣି ନଗଦ ବା କ୍ୟାସ୍‌ ଭଳି ଅଦକ୍ଷ ମାଧ୍ୟମ ବ୍ୟବହାର କରିବାକୁ ପ୍ରବୃତ୍ତ କରିପାରେ।

ଏପରି ଘଟିଲେ ଦେଶର କିଭଳି କ୍ଷତି ସାଧିତ ହେବ, ତାହା ଅନ୍ତତଃ ଲାହିଡ଼ିଙ୍କ ପରି ଅର୍ଥନୀତିଜ୍ଞମାନେ ନିଜର ରାଜନୈତିକ ଆନୁଗତ୍ୟକୁ ଅତିକ୍ରମ କରି ଭଲ ଭାବରେ ହୃଦୟଙ୍ଗମ କରିପାରୁଥିବେ।"ୟୁପିଆଇ" ଭଳି ସାଧନରୁ ଉତ୍ପନ୍ନ ଲାଭ କେବଳ ତା"ର ତାତ୍‌କାଳିକ ଉପଯୋଗିତାରେ ସୀମିତ ନୁହେଁ, ଏହା ହେଉଛି ସୁଦୂରପ୍ରସାରୀ। "ଇକୋନମିକ୍‌ ସର୍ଭେ" ଅନୁସାରେ ଭାରତର "ଜିଡିପି"ରେ "ପ୍ରାଇଭେଟ୍ ଫାଇନାଲ୍ କନ୍‌ସମ୍ପସନ୍ ଏକ୍‌ସପେଣ୍ଡିଚର୍" ବା ଅନ୍ତିମ ଖାଉଟି ବ୍ୟୟର ଅଂଶ ହେଉଛି ଏକ ଉଚ୍ଚ ୬୧.୫ ଶତାଂଶ, ଯେଉଁଥିରେ "ୟୁପିଆଇ"ର ବିଶେଷ ସହାୟକ ଭୂମିକା ଅନସ୍ବୀକାର୍ଯ୍ୟ।

ଯେଉଁ ୭.୮ ଶତାଂଶ ଅଭିବୃଦ୍ଧି ହାରକୁ ନେଇ ସରକାର ଏତେ ଗର୍ବ କରୁଛନ୍ତି, ତାହା "ୟୁପିଆଇ"ର ଅନୁପସ୍ଥିତିରେ ସମ୍ଭବ ହୋଇ ନଥାନ୍ତା; "ଜିଏସ୍‌ଟି" ରାଜସ୍ବ ସଂଗ୍ରହରେ ଯେଉଁ ସଦ୍ୟତମ ୧୪.୮ ଶତାଂଶ ବୃଦ୍ଧି ଘଟିଛି, ତାହା ମଧ୍ୟ "ୟୁପିଆଇ" ବିନା ସମ୍ଭବ ହୋଇ ନଥାନ୍ତା; ରିଜର୍ଭ ବ୍ୟାଙ୍କ୍‌ର ନୋଟ୍ ଛପାଇବା ବ୍ୟୟରେ ଯେଉଁ ଗୋଟିଏ ବର୍ଷରେ ପ୍ରାୟ ୧,୫୦୦ କୋଟି ଟଙ୍କାର ସଞ୍ଚୟ ଘଟିଛି, ତାହା ମଧ୍ୟ ହେଉଛି "ୟୁପିଆଇ"ର ଅବଦାନ- ସଂପୂର୍ଣ୍ଣ ଭାବରେ।

ଏହା ତେଣୁ ଏକ ଆତ୍ମଘାତୀ ବିଡ଼ମ୍ବନା ନୁହେଁ କି, ଅଗଣିତ ମାଗଣା ବଣ୍ଟନ ଯୋଜନା କାର୍ଯ୍ୟକାରୀ କରୁଥିବା ସରକାର, "ୟୁପିଆଇ"କୁ କିନ୍ତୁ ମାହାସୁଲ ଶିକୁଳିରେ ଛନ୍ଦିବାକୁ ଉଚିତ ମନେ କରିଛନ୍ତି?

ମାଣ୍ଡେଭିଲ୍‌ଙ୍କ ମହୁମାଛିମାନେ ଯଦି ଏହାଦ୍ବାରା ଉତ୍‌କ୍ଷିପ୍ତ ହୋଇ ଦଂଶନ କରିବାକୁ ଆଗେଇ ଆସନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।