05 SEPTEMBER 2026

Welcome!

Unlock your personalized experience.
Sign Up

Education: ବର୍ଷା କାଦୁଅ ପାଇଁ ଅଧାବାଟରୁ ଫେରିଆସିଲେ ଛାତ୍ରଛାତ୍ରୀ

Jul 07, 2026 - 00:59
Education: ବର୍ଷା କାଦୁଅ ପାଇଁ ଅଧାବାଟରୁ ଫେରିଆସିଲେ ଛାତ୍ରଛାତ୍ରୀ

କାଳିଆପାଣି (ରବି ନାରାୟଣ କର): ଗାଁରେ ନାହିଁ ସ୍କୁଲ। ସ୍କୁଲକୁ ନାହିଁ ରାସ୍ତା। ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ହେଲେ ନିକଟତମ ସ୍କୁଲ ଅଢ଼େଇ କିଲୋମିଟର ଦୂରରେ ଥିବା ପଡ଼ୋଶୀ ଗାଁ ଓ ପଞ୍ଚାୟତରେ ଅବସ୍ଥିତ ସ୍କୁଲ ଯିବାକୁ ପଡ଼ିବ। ଘରୁ ବାହାରି ବିଲହୁଡ଼ା, ଧାନକ୍ଷେତ ଓ ବଣଜଙ୍ଗଲର ଗୁଳାବାଟରେ ଯିବାକୁ ହୋଇଥାଏ। ପାଣିକାଦୁଅ ରାସ୍ତା ଦେଇ ବନ୍ଧବାଡ଼ ଡେଇଁ ପିଲାଏ ଆଜି ଗାଁ ଠାରୁ ପାଖାପାଖି ଅଢ଼େଇ କିଲୋମିଟର ଦୂର ସ୍କୁଲ ବାହାରିଥିଲେ। ହେଲେ ବାଟରେ ବର୍ଷା ହେବାରୁ ସମସ୍ତେ ଅଧାବାଟରୁ ଘର ଫେରି ଆସିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି।

ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ୩ ନମ୍ବର ୱାର୍ଡ ରଗଡ଼ା ପନାସିଆ ଗାଁରେ ଆଜି ଏଭଳି ଦୟନୀୟ ଦୃଶ୍ୟ ସାଧାରଣରେ ଆଲୋଡ଼ନର କାରଣ ହୋଇଛି। ଗାଁର ୬୦ ରୁ ଅଧିକ ଲେଖାଏଁ ଆଦିବାସୀ ପରିବାର ବସବାସ କରୁଥିବା ରଗଡ଼ା ଓ ପନାସିଆ ଗାଁର ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ପଡ଼ୋଶୀ ରାଁସୋଳ ପଞ୍ଚାୟତର କାକୁଡ଼ିଆ ସରକାରୀ ପ୍ରାଥମିକ ସ୍କୁଲ ଯିବାକୁ ହୋଇଥାଏ। ପ୍ରତିକୂଳ ପାଗ ସତ୍ତ୍ବେ ଆଜି ୧୫ ଜଣ ଛାତ୍ରଛାତ୍ରୀ ପାଣିକାଦୁଅ ରାସ୍ତାରେ ସ୍କୁଲ ବାହାରିଥିଲେ। ଛୋଟ ପିଲାଙ୍କ ପଛରେ ଅଭିଭାବକମାନେ କିଛିବାଟ ଆସିଥିଲେ। ଚିକିଟା କାଦୁଅ ପାଇଁ କିଛି ପିଲା ହାତରେ ଜୋତା ଧରିଥିଲେ। ଜଗଦୀଶ ବଦରାଙ୍କ ବିଲ ପାଖରେ ବର୍ଷା ହୋଇଥିଲା। ଜୋତା ପିନ୍ଧିଥିବା ଏକାଧିକ ବଡ଼ ପିଲାଙ୍କ ଗୋଡ଼ ବିଲ କାଦୁଅରେ ଫସି ଯାଇଥିଲା। ଗୋଡ଼ ଓ ଜୋତାରୁ କାଦୁଅ ସଫା କରି ପୁଣି ସ୍କୁଲ ବାହାରିଲା ବେଳକୁ ଛୋଟ ପିଲାଏ ଆଉ ମଙ୍ଗି ନଥିଲେ। କାନ୍ଦିଥିଲେ। ପରିସ୍ଥିତି ଦେଖି ଅଭିଭାବକ ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ। ବସ୍ତି ଗଢ଼ି ଉଠିବା ଦିନରୁ ଆମ ପ୍ରାଥମିକ ଶିକ୍ଷାକୁ ନେଇ ଏହାହିଁ ବାସ୍ତବତା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରନ୍ତି। ଖାଲଢିପ, କାଦୁଅ ପଚପଚ ବଣ ଜଙ୍ଗଲ ଥାଇ ନିଛାଟିଆ ରାସ୍ତାରେ ଯିବାଆସିବାକୁ ଡର ଲାଗେ ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସତ୍ୟ ଲୋହାର, କ୍ରିଷ୍ଣା ବଦରା, ଜୟରାମ ବଦରା, ରାଜେଶ ଲୋହାର, ଗଣେଶ ଗାଗରାଇ, ସୁନିଆ ସଏ, ଆକାଶ ସାୟୋନା, କୁସୁନୁ ଗାଗରାଇ, କନ୍ଦା ଗାଗରାଇ, ଡିବିରି ବଦରା, ମିନାକ୍ଷୀ ସଏ ପ୍ରମୁଖ କହନ୍ତି।  

School Closed: ଜୁଲାଇ ୬ରେ କଟକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି; ପ୍ରବଳ ବର୍ଷା ପାଇଁ ନିର୍ଦ୍ଦେଶ 

ରଗଡ଼ା ପନାସିଆରୁ କାକୁଡ଼ିଆ ଗାଁକୁ ସଡ଼କ ବ୍ୟବସ୍ଥା ନାହିଁ। ଗାଁର ନିକଟତମ ସ୍କୁଲ ହୋଇଥିବାରୁ ସେଠାରେ ଚଳିତବର୍ଷ ଗାଁର ଶିଶୁବାଟିକାରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ୨୩ ଜଣ ଶିଶୁ ପଢ଼ୁଛନ୍ତି। ଗରାମିଆଁ ସରକାରୀ ପ୍ରାଥମିକ ସ୍କୁଲ ଗାଁରୁ ୩ ରୁ ୪ କିଲୋମିଟର ଦୂର। ଏ ସଂପର୍କରେ ସରପଞ୍ଚ ସଞ୍ଜୟ କୁମାର ପରିଡ଼ାଙ୍କୁ ପଚାରିବାରେ ପନାସିଆରେ ସ୍କୁଲ ନଥିବାରୁ ପିଲାଏ ୨ କିଲୋମିଟର ଦୂର କାକୁଡ଼ିଆ ସ୍କୁଲରେ ପଢ଼ୁଥିବା କହନ୍ତି। ଏ ସଂପର୍କରେ ପ୍ରଧାନଶିକ୍ଷକ ତାପସ ମାରାଣ୍ଡିଙ୍କୁ ପଚାରିବାରେ ପନାସିଆ ଓ ରଗଡ଼ା ଗାଁରୁ ଆଜି କେହି ପିଲା ସ୍କୁଲ ଆସିନଥିବା କହିଥିଲେ। ସ୍କୁଲରୁ ପନାସିଆ ଗାଁ ଏକ କିଲୋମିଟରରୁ ଅଧିକ ଦୂରରେ ଥିବା ଦର୍ଶାଯାଇ ଗତ ମାର୍ଚ୍ଚ ମାସରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତୀୟ ଲିଖିତ ରିପୋର୍ଟ ଦିଆଯାଇଥିଲା ବୋଲି ପ୍ରଧାନଶିକ୍ଷକ ଶ୍ରୀ ମାରାଣ୍ଡି କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।