El Nino May Reshape India’s Rainfall: ମାଡ଼ି ଆସୁଛି ବଡ଼ ବିପଦ; ଏମିତି ହେବ ତାଣ୍ଡବ ଥରିବେ ମଣିଷ, ୧୮୮ ବୈଜ୍ଞାନିକ ଦେଲେ ଚେତାବନୀ
ବଢ଼ିପାରେ ତାତି, ବଦଳିପାରେ ବର୍ଷାର ଧାରା। ମରୁଡ଼ିଠାରୁ ଆରମ୍ଭ କରି ଜଙ୍ଗଲ ନିଆଁ, ସମୁଦ୍ରରେ ହିଟ୍ୱେଭ୍ ପର୍ଯ୍ୟନ୍ତ ବିଭିନ୍ନ ଜଳବାୟୁଜନିତ ବିପଦର ଆଶଙ୍କା ବଢ଼ିପାରେ। ୨୦୨୬-୨୭ର ଶକ୍ତିଶାଳୀ ଏଲ୍ ନିନୋକୁ ନେଇ ଏବେ ଭାରତୀୟ ପରିବେଶ ବିଜ୍ଞାନୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଭାରତର ୧୮୮ ଜଣ ଇକୋଲୋଜିଷ୍ଟ ଓ ଗବେଷକ ଏକ ମିଳିତ ଆହ୍ୱାନ ଜାରି କରି ପ୍ରାକୃତିକ ପରିବେଶ ଉପରେ ଏହାର ପ୍ରଭାବକୁ ନିରୀକ୍ଷଣ ପାଇଁ ଏବେଠାରୁ ପ୍ରସ୍ତୁତି ବଢ଼ାଇବାକୁ କହିଛନ୍ତି।
ସେପ୍ଟେମ୍ବର ୧୬ରେ India Ecology Collective ପକ୍ଷରୁ ପ୍ରକାଶିତ ‘Responding to the 2026/27 “Super” El Nino: A Call to Ecologists’ ନାମକ ଦସ୍ତାବିଜରେ ଏହି ଆହ୍ୱାନ ଦିଆଯାଇଛି। ଏଥିରେ ଭାରତର ସ୍ଥଳଭାଗ, ମଧୁର ଜଳ ଓ ସାମୁଦ୍ରିକ ପରିସ୍ଥିତିତନ୍ତ୍ର ଉପରେ ଏକ ଶକ୍ତିଶାଳୀ ଏଲ୍ ନିନୋର ପ୍ରଭାବ ଅଧ୍ୟୟନ ପାଇଁ ଗବେଷଣା ଓ ମନିଟରିଂକୁ ଅଧିକ ବ୍ୟାପକ କରିବାକୁ କୁହାଯାଇଛି।
ଏଲ୍ ନିନୋ ହେଉଛି ମଧ୍ୟ ଓ ପୂର୍ବ ବିଷୁବୀୟ ପ୍ରଶାନ୍ତ ମହାସାଗରର ପୃଷ୍ଠ ଜଳ ସାଧାରଣଠାରୁ ଅଧିକ ଗରମ ହେବା ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା। ଏହା ବିଶ୍ୱର ଅନେକ ଅଞ୍ଚଳର ତାପମାତ୍ରା ଓ ବର୍ଷା ପ୍ୟାଟର୍ନକୁ ପ୍ରଭାବିତ କରିପାରେ। ଭାରତରେ ଏଲ୍ ନିନୋ ଅନେକ ସମୟରେ ଦୁର୍ବଳ ମୌସୁମୀ ବର୍ଷା ସହ ଜଡ଼ିତ ଥାଏ, ଯଦିଓ ପ୍ରତ୍ୟେକ ଏଲ୍ ନିନୋ ବର୍ଷରେ ସମାନ ପ୍ରଭାବ ପଡ଼େ ନାହିଁ।
ଚଳିତ ବର୍ଷ ଏଲ୍ ନିନୋ ଆଗରୁ ହିଁ ସକ୍ରିୟ ହୋଇସାରିଛି। World Meteorological Organization (WMO)ର ସେପ୍ଟେମ୍ବର ଆକଳନ ଅନୁସାରେ ଆଗାମୀ କିଛି ମାସରେ ଏହା ଆହୁରି ଶକ୍ତିଶାଳୀ ହୋଇ ‘very strong’ ଶ୍ରେଣୀରେ ପହଞ୍ଚିପାରେ ଏବଂ ୨୦୨୭ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହା ଜାରି ରହିବାର ସମ୍ଭାବନା ପ୍ରାୟ ୧୦୦ ପ୍ରତିଶତ ବୋଲି WMO କହିଛି।
ଆମେରିକାର Climate Prediction Center ମଧ୍ୟ ସେପ୍ଟେମ୍ବର ୧୦ର ଅପଡେଟ୍ରେ ୨୦୨୬ର ଶରତ ଓ ୨୦୨୬-୨୭ ଶୀତକାଳରେ El Niño ‘very strong’ ହେବାର ସମ୍ଭାବନା ୯୦ ପ୍ରତିଶତରୁ ଅଧିକ ବୋଲି ଆକଳନ କରିଛି। ବିଶେଷକରି ଅକ୍ଟୋବରରୁ ଡିସେମ୍ବର ଅବଧିରେ ଏହା ଐତିହାସିକ ଭାବେ ଅତ୍ୟନ୍ତ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି।
ତେବେ ‘Super El Nino’ କୌଣସି ଆଧିକାରିକ ପାଣିପାଗ ବର୍ଗୀକରଣ ନୁହେଁ। ଭାରତୀୟ ପାଣିପାଗ ବିଭାଗ ଏବଂ WMO ସାଧାରଣତଃ ଏଲ୍ ନିନୋକୁ weak, moderate, strong ଓ very strong ଭଳି ଶ୍ରେଣୀରେ ବର୍ଣ୍ଣନା କରନ୍ତି। କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ ‘Super El Nino’ ନାମରେ କୌଣସି ଆଧିକାରିକ ଶ୍ରେଣୀ ନାହିଁ।
ଶକ୍ତିଶାଳୀ ଏଲ୍ ନିନୋ ଫଳରେ କେତେକ ଅଞ୍ଚଳରେ ଅଧିକ ତାପମାତ୍ରା, ବର୍ଷାରେ ଅସ୍ୱାଭାବିକତା, ମରୁଡ଼ି ଓ ଜଙ୍ଗଲ ନିଆଁର ବିପଦ ବଢ଼ିପାରେ। ସାମୁଦ୍ରିକ ହିଟ୍ୱେଭ୍ ବୃଦ୍ଧି ପାଇଲେ ପ୍ରବାଳ ପ୍ରାଚୀର ଏବଂ ସାମୁଦ୍ରିକ ଜୈବ ବିବିଧତା ମଧ୍ୟ ପ୍ରଭାବିତ ହୋଇପାରେ। ପ୍ରାଣୀଙ୍କ ପ୍ରଜନନ, ଖାଦ୍ୟ ଉପଲବ୍ଧତା ଓ ସ୍ଥାନାନ୍ତରଣ ପ୍ୟାଟର୍ନ ଉପରେ ମଧ୍ୟ ଅସ୍ୱାଭାବିକ ଜଳବାୟୁର ପ୍ରଭାବ ପଡ଼ିପାରେ ବୋଲି ପରିବେଶବିତ୍ମାନେ ଚିନ୍ତା ପ୍ରକାଶ କରୁଛନ୍ତି।
ଏହି କାରଣରୁ ୧୮୮ ଗବେଷକ ଦୀର୍ଘମିଆଦି ନିରୀକ୍ଷଣ, ଅଧିକ ତଥ୍ୟ ସଂଗ୍ରହ ଏବଂ ଦେଶର ବିଭିନ୍ନ ପରିସ୍ଥିତିତନ୍ତ୍ରରେ ହେଉଥିବା ପରିବର୍ତ୍ତନକୁ ବୈଜ୍ଞାନିକ ଭାବେ ରେକର୍ଡ କରିବା ଉପରେ ଜୋର୍ ଦେଇଛନ୍ତି। ଏଥିପାଇଁ ସରକାରୀ ସଂସ୍ଥା, ଗବେଷଣା ପ୍ରତିଷ୍ଠାନ ଏବଂ ଅର୍ଥ ଯୋଗାଣକାରୀ ସଂସ୍ଥାଗୁଡ଼ିକର ସହଯୋଗ ମଧ୍ୟ ଲୋଡ଼ାଯାଇଛି।
ତେବେ ‘very strong’ ଏଲ୍ ନିନୋ ହେଲେ ଭାରତର ପ୍ରତ୍ୟେକ ଅଞ୍ଚଳରେ ନିଶ୍ଚିତ ଭାବେ ମରୁଡ଼ି କିମ୍ବା ଅତ୍ୟଧିକ ତାତି ହେବ ବୋଲି କୁହାଯାଇପାରିବ ନାହିଁ। WMO ଓ ଭାରତ ସରକାର ଉଭୟ କହିଛନ୍ତି ଯେ ଏହାର ବାସ୍ତବ ପ୍ରଭାବ Indian Ocean Dipole ସହ ଅନ୍ୟାନ୍ୟ ସମୁଦ୍ର-ବାୟୁମଣ୍ଡଳୀୟ ପରିସ୍ଥିତି ଉପରେ ମଧ୍ୟ ନିର୍ଭର କରିବ। ସେଥିପାଇଁ ଆତଙ୍କ ନୁହେଁ, ନିରନ୍ତର ମନିଟରିଂ ଓ ଆଗୁଆ ପ୍ରସ୍ତୁତିକୁ ବୈଜ୍ଞାନିକମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।