Elderly Woman Crawls for Help: ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ଛୋଟେଇ ଛୋଟେଇ ଗଲେ ବୃଦ୍ଧା, ହେଲେ ଶୁଣିଲେନି କେହି
ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ପ୍ଲାଷ୍ଟିକ ଚେୟାର ଖଣ୍ଡେ ଧରି ନଇଁ ନଇଁ ଚାଲିଛନ୍ତି ବୃଦ୍ଧା । ବୟସ ପାଖପାଖି ୭୫ ହେବ । ଧୁଡୁ ଧୁଡୁ ଚର୍ମ, ଚାଲିବାକୁ ଅଣ୍ଟାରେ ବଳ ନାହିଁ । ଦି' ପାଦ ଚାଲିବା ପରେ ଟିକିଏ ଅଟକି ଯାଉଛନ୍ତି, କାନିରେ ଝାଳକୁ ପୋଛି ପୁଣି ଚାଲିଛନ୍ତି ଖରାରେ । ବାସୁଦେବପୁର ଜାମୁଝାଡି ରାସ୍ତାରେ ଯାଉ ଯାଉ ଆମ ଆଖି ପଡିଥିଲା ଏହି ବୁଢ଼ୀ ମାଉସୀଙ୍କ ଉପରେ । ପାଖକୁ ଯାଇ ପଚାରିବାରୁ ଆଖିରୁ ଟପ୍ ଟପ୍ ଲୁହ ଝରିପଡିଲା ।
ବରଣ୍ଡୁଆ ପଞ୍ଚାୟତ ବିଷ୍ଣୁବିନ୍ଧା ଗାଁର ତୁଳସୀ ସିଂ । ବରଣ୍ଡୁଆ ଗ୍ରାମପଞ୍ଚାୟତକୁ ମିଳିତ ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲାପାଳ ଆସୁଥିବା ଖବର ପାଇ ବହୁ ଆଶା ନେଇ ଗୋଟିଏ କିଲୋମିଟର ଦୂରରୁ ଧାଇଁ ଆସିଥିଲେ ବୃଦ୍ଧା । ଭାବିଥିଲେ ବାବୁମାନଙ୍କୁ ଗୁହାରି ଜଣାଇଲେ ହୁଏତ ଦିବ୍ୟାଙ୍ଗ ଗାଡ଼ି ଖଣ୍ଡିଏ କି ଘର ଖଣ୍ଡିଏ ମିଳିଯିବ । ହେଲେ ବୃଦ୍ଧା ଗୁରୁଣ୍ଡି ଗୁରୁଣ୍ଡି ପହଞ୍ଚିଲା ବେଳକୁ ଅଭିଯୋଗ ଶୁଣାଣି ଶେଷ ହୋଇସାରିଥିଲା । ଜିଲ୍ଲାପାଳଙ୍କ ସମେତ ସବୁ ବଡ଼ ବଡ଼ ଅଧିକାରୀ ଗାଡ଼ିରେ ବସି ଚାଲିଯାଇଥିଲେ । ଗୁହାରି ଶୁଣିବାକୁ କେହି ନଥିବାରୁ, କୋହସମ୍ଭାଳି ନିରାଶ ହୋଇ ଫେରିଥିଲେ ତୁଳସୀ ।
ନଜର ପଖନ୍ତୁ ଏହି ଝୁମ୍ପୁଡି କୁଡିଆ ଉପରେ । ଏଠି ମଣିତ ତ ମଣିଷ, ଗୋରୁଗାଇ ବି ରହିବାକୁ ଡରିବେ । କିନ୍ତୁ ଏହି ଭଙ୍ଗା କୁଡିଆରେ ଜରିପାଲ ତଳେ ଜୀବନ କାଟୁଛନ୍ତି ବୃଦ୍ଧା ତୁଳସୀ ସିଂ । ଦୀର୍ଘ ୧୦ ବର୍ଷ ହେଲା ଏମିତି ଚେୟାରକୁ ସାହାରା କରି ସେ ଚଳପ୍ରଚଳ କରୁଛନ୍ତି ।
ସରକାର ଯିବେ ଲୋକଙ୍କ ପାଖକୁ... ହେଲେ ତୁଳସୀଙ୍କ କ୍ଷେତ୍ରରେ ଏହି ନାରା କେତେ ଫଳପ୍ରଦ, ତାହା ଆଜି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବାସୁଦେବପୁର ବିଡିଓଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, କୌଣସି କାରଣରୁ ସେ ଅଭିଯୋଗ ଶୁଣାଣିକୁ ଆସିପାରିନଥିଲେ । ଖବର ପାଇବା ପରେ ତଦନ୍ତ ପାଇଁ କହିଛୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।