Election Commissioners: ଦୁଇ ଇସିଙ୍କ ଆପତ୍ତି ପରେ ଫର୍ମ-୬ରୁ ଏସ୍ଆଇଆର୍ ଘୋଷଣାପତ୍ରକୁ ଅଲଗା କଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ: ଦୁଇ ନିର୍ବାଚନ କମିସନର ଙ୍କ ତୀବ୍ର ଆପତ୍ତି ପରେ ଶେଷରେ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଅନ୍ଲାଇନ୍ ଭୋଟର ପଞ୍ଜୀକରଣ ଫର୍ମ-୬ରୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସମ୍ପର୍କିତ ଘୋଷଣାପତ୍ରକୁ ସମ୍ପୂର୍ଣ୍ଣ ଅଲଗା କରିଛନ୍ତି।
ଏଣିକି ଏହି ଦୁଇଟି ଦସ୍ତାବିଜ୍ ଅଲଗା ଅଲଗା ଦାଖଲ କରିବାକୁ ପଡ଼ିବ।
ଏଥିପାଇଁ ପୃଥକ୍ ଓଟିପି ଓ ଇ-ସ୍ୱାକ୍ଷର ଆବଶ୍ୟକ ହେବ।
ଯେଉଁ ରାଜ୍ୟଗୁଡ଼ିକରେ ଏସ୍ଆଇଆର୍ ଜାରି ରହିଛି, ସେଠାରେ ଏହି ନିୟମ ଲାଗୁ ହେବ।
Advertisment ଫର୍ମ-୬ ହେଉଛି ନୂଆ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ଉଦ୍ଦିଷ୍ଟ ବୈଧାନିକ ଆବେଦନପତ୍ର।
ଏହା ସହିତ ଏସ୍ଆଇଆର୍ ସମ୍ପର୍କିତ ଏକ ଘୋଷଣାପତ୍ର ମଧ୍ୟ ଯୋଡ଼ାଯାଇଥିଲା।
ଏଥିରେ ଆବେଦନକାରୀଙ୍କ ନାମ କିମ୍ବା ତାଙ୍କ ପିତାମାତା ଅଥବା ଜେଜେବାପା, ଜେଜେମା'ଙ୍କ ନାମ ୨୦୦୦ ମସିହାର ପୂର୍ବବର୍ତ୍ତୀ ସଘନ ସଂଶୋଧନ ସମୟର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ୁଥିଲା।
ପୂର୍ବରୁ ଅନ୍ଲାଇନ୍ରେ ଏହି ଦୁଇଟି ଦସ୍ତାବିଜ୍ ଗୋଟିଏ ପ୍ରକ୍ରିୟାରେ ଦାଖଲ ହେଉଥିଲା।
ଗୋଟିଏ ଓଟିପି ଓ ଇ-ସ୍ୱାକ୍ଷର ମାଧ୍ୟମରେ ଉଭୟ କାମ ହୋଇଯାଉଥିଲା।
କିନ୍ତୁ ଏହାଦ୍ୱାରା ଫର୍ମ-୬ରେ ଆଇନଗତ ପରିବର୍ତ୍ତନ କରାଯାଇଥିବା ଭଳି ଧାରଣା ସୃଷ୍ଟି ହେଉଥିବାରୁ ବିବାଦ ଦେଖାଦେଇଥିଲା।
ଦୁଇ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଏହି ପରିବର୍ତ୍ତନକୁ ଅନଧିକୃତ ଓ ବେଆଇନ ବୋଲି ଦର୍ଶାଇଥିଲେ।
ନିୟମ ଅନୁଯାୟୀ, ଫର୍ମ-୬ରେ ପରିବର୍ତ୍ତନ କରିବାର କ୍ଷମତା କେବଳ କେନ୍ଦ୍ର ସରକାରଙ୍କର ରହିଛି ବୋଲି ସେମାନେ ଯୁକ୍ତି ଦେଇଥିଲେ।
ଗତ ୧୦ ମାସ ମଧ୍ୟରେ ଦୁଇ କମିସନର ଅନ୍ତତଃ ୧୪ ଥର ଉଠାଇଛନ୍ତି ଆପତ୍ତି ଏହି ପ୍ରସଙ୍ଗରେ ନିର୍ବାଚନ କମିସନ ଗତ ଅକ୍ଟୋବର ୨୬ ତାରିଖରେ ସୁପ୍ରିମ୍କୋର୍ଟ ରେ ଦାଖଲ କରିଥିବା ସତ୍ୟପାଠରେ ସ୍ପଷ୍ଟ କରିଥିଲେ ଯେ ଫର୍ମ-୬ରେ କୌଣସି ସଂଶୋଧନ କରାଯାଇନାହିଁ।
ତେବେ ଅନ୍ଲାଇନ୍ରେ ଉଭୟ ଦସ୍ତାବିଜ୍କୁ ଗୋଟିଏ ପୃଷ୍ଠାରେ ରଖିବା ଫଳରେ ଫର୍ମରେ ପରିବର୍ତ୍ତନ ହୋଇଥିବା ଭଳି ଧାରଣା ସୃଷ୍ଟି ହେଉଥିବା କମିସନ ସ୍ୱୀକାର କରିଥିଲେ।
ଏହାପରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ କମିସନ ଉଭୟ ଦସ୍ତାବିଜ୍କୁ ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ।
କାଗଜପତ୍ରରେ ଯେପରି ଦୁଇଟି ଅଲଗା ଫର୍ମ ଦାଖଲ କରାଯାଉଛି, ଅନ୍ଲାଇନ୍ରେ ମଧ୍ୟ ସେହି ବ୍ୟବସ୍ଥା ଲାଗୁ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଏସ୍ଆଇଆର୍ ସମ୍ପର୍କିତ ନିଷ୍ପତ୍ତିକୁ ନେଇ ଗତ ୧୦ ମାସ ମଧ୍ୟରେ ଦୁଇ କମିସନର ଅନ୍ତତଃ ୧୪ ଥର ଆପତ୍ତି ଉଠାଇଥିବା ନେଇ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା।
ଫର୍ମ-୬ରୁ ଘୋଷଣାପତ୍ରକୁ ଅଲଗା କରିବା ନିଷ୍ପତ୍ତିକୁ ସେହି ଆପତ୍ତିଗୁଡ଼ିକର ପରିଣାମ ସ୍ୱରୂପ ଏକ ପ୍ରମୁଖ ପଦକ୍ଷେପ ବୋଲି ମନେ କରାଯାଉଛି।
ୟୁରୋପରେ ୧୨ ବିମାନକୁ ଧମକ; ଆକାଶରେ ଅଟକିଗଲା ଯାତ୍ରୀଙ୍କ ଶ୍ବାସକ୍ରିୟା!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।