Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
"ଭୁବନେଶ୍ବର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ ଆରମ୍ଭ ହେବ।
ଏହାପରେ ଜାନୁଆରି ୧ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।
ତାଲିକା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ଭୋଟରଙ୍କୁ ୨୦ ଦିନର ସମୟ ଦିଆଯିବ।
ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଏବଂ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ ଫେବ୍ରୁଆରି ୧୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ କମିସନ ମଧୁସୂଦନ ପାଢ଼ୀ କହିଛନ୍ତି।Advertisment ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସର୍ଭେର ଉଦ୍ଦେଶ୍ୟ ହେଉଛି, ଗୋଟିଏ ପରିବାରର ସମସ୍ତ ଭୋଟର ଯେମିତି ଗୋଟିଏ ଭୋଟ୍ ଦାନ କେନ୍ଦ୍ରରେ ଭୋଟ ଦେବେ ଏବଂ ଗୋଟିଏ ଅଞ୍ଚଳର ସମସ୍ତ ଭୋଟର ଯେମିତି ଗୋଟିଏ ଭୋଟ୍ କେନ୍ଦ୍ରରେ ଭୋଟ ଦେଇପାରିବେ।
ସର୍ଭେରେ ଗୋଟିଏ ପରିବାରର ସମସ୍ତ ଭୋଟରଙ୍କ ନାମ ସମାନ ୱାର୍ଡ ଓ ବୁଥ୍ର ଭୋଟର ତାଲିକାରେ କ୍ରମାନୁସାରେ ରଖାଯିବ।
ସବୁ ପରିବାର ପାଇଁ ଗୋଟିଏ ସ୍ୱତନ୍ତ୍ର ଘର ନମ୍ବର ଦିଆଯିବ ଏବଂ ଘରର ସମସ୍ତ ଭୋଟରଙ୍କୁ ସେହି ନମ୍ବର ସହ ଯୋଡ଼ାଯିବ।
ସମସ୍ତ ରାଜନୈତିକ ଦଳଙ୍କୁ ବୁଥ୍ସ୍ତରୀୟ ଏଜେଣ୍ଟ ଦେବା ପାଇଁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ଏହି ସର୍ଭେ ଲୋକାଭିମୁଖୀ ହୋଇପାରିବ।
ଜାନୁଆରି ୧ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଲେ ଭୋଟରମାନେ ନିଜ ନାମ ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିପାରିବେ।
ତାଲିକାରେ କୌଣସି ତ୍ରୁଟି, ଅସଙ୍ଗତି କିମ୍ବା ନାମ ସମ୍ପର୍କିତ ସମସ୍ୟା ଥିଲେ ନିର୍ଦ୍ଧାରିତ ୨୦ ଦିନ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ମିଳିବ।
ଭୋଟର ତାଲିକାରେ ନାମ ଯୋଡ଼ିବା, ତଥ୍ୟ ସଂଶୋଧନ କରିବା କିମ୍ବା ଅଯୋଗ୍ୟ ନାମ ବାଦ୍ ଦେବା ପାଇଁ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳ ନିମନ୍ତେ ନିର୍ଦ୍ଧାରିତ ଫର୍ମ ବ୍ୟବହାର କରାଯିବ।
ନାମ ଯୋଡ଼ିବା ବା ସଂଶୋଧନ ପାଇଁ ଗ୍ରାମାଞ୍ଚଳରେ ଦାବି ଫର୍ମ-୧୬, ସହରାଞ୍ଚଳରେ ଫର୍ମ-III ଏବଂ ମହାନଗର ନିଗମ ଅଞ୍ଚଳରେ ଫର୍ମ-VII ମାଧ୍ୟମରେ ଆବେଦନ କରିପାରିବେ।
ସେହିପରି ନାମ ବାଦ୍ ଦେବା ପାଇଁ ଗ୍ରାମାଞ୍ଚଳରେ ଆପତ୍ତି ଫର୍ମ-୧୭, ସହରାଞ୍ଚଳରେ ଫର୍ମ-IV ଏବଂ ମହାନଗରନିଗମ ଅଞ୍ଚଳରେ ଫର୍ମ-VIII ମାଧ୍ୟମରେ ଆବେଦନ ଦାଖଲ କରିପାରିବେ।
Controversy: ଭୋଟ୍ ଚୋରି ଅଭିଯୋଗ ନେଇ ରାହୁଲଙ୍କୁ ଘେରିଲେ ଅନୁରାଗ ଠାକୁର ଚିଠା ଭୋଟର ତାଲିକା ପ୍ରକାଶ ପରେ ଦାଖଲ ହେଇଥିବା ଦାବି ଓ ଆପତ୍ତିଗୁଡ଼ିକର ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ/ନିର୍ବାଚକ ପଞ୍ଜିକରଣ ଅଧିକାରୀଙ୍କସ୍ତରରେ ଯାଞ୍ଚ କରାଯାଇ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ।
ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ଫେବ୍ରୁଆରି ୧୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ସର୍ଭେ କାର୍ଯ୍ୟକୁ ସୂଚାରୁ ଭାବେ ସମ୍ପାଦନ କରିବା ପାଇଁ ବିଭିନ୍ନ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିୟୋଜିତ କରାଯିବ।
ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ), ଅଙ୍ଗନୱାଡ଼ି କର୍ମୀ, ଜଳସାଥୀ, ସ୍ୱଚ୍ଛସାଥୀ ଏବଂ ଆଶାକର୍ମୀମାନେ ଘରକୁ ଘର ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ।
ଏହି ପ୍ରକ୍ରିୟାର ଠିକ୍ କାର୍ଯ୍ୟାନ୍ୱୟନ ଓ ନିୟମିତ ତଦାରଖ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଦାୟିତ୍ୱ ନିର୍ବାହ କରିବେ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ, ଉପ ସଚିବ ଦୁର୍ଗା ଚରଣ ମୁର୍ମୁ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।