Electric wire death in Bihar: ଧାନ କ୍ଷେତରେ ମୃତ୍ୟୁର ଜାଲ! କରେଣ୍ଟ୍ ଲାଗି ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ମୃତ

Oct 03, 2026 - 14:52
Electric wire death in Bihar: ଧାନ କ୍ଷେତରେ ମୃତ୍ୟୁର ଜାଲ! କରେଣ୍ଟ୍ ଲାଗି ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ମୃତ

ଧାନ କ୍ଷେତରେ ବିଛା ହୋଇଥିଲା ମୃତ୍ୟୁର ଜାଲ। ଫସଲକୁ ଜଙ୍ଗଲୀ ବାର୍‌ହାଙ୍କଠାରୁ ରକ୍ଷା କରିବା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ୩ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୨ରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ବିହାରର ସୀତାମଢ଼ି ଜିଲ୍ଲା ବୈରଗନିଆ ବ୍ଲକ୍‌ ଅନ୍ତର୍ଗତ ଅଖ୍ତା ପଶ୍ଚିମୀ ଚକୱା ପଞ୍ଚାୟତର ତକିଆ ଟୋଲା, ୱାର୍ଡ ନମ୍ବର-୫ରେ ଶନିବାର ସକାଳେ ଘଟିଛି ଏହି ଛାତିଥରା ଘଟଣା। ମୃତକମାନେ ହେଲେ ଇସଲାମ ମନସୁରୀ, ତାଙ୍କ ପତ୍ନୀ ରୁବୈଦା ଖାତୁନ ଏବଂ ଅସମତ ଅଲୀ।

ମଇଁଷି ଖୋଜିବାକୁ ଯାଇ ମୃତ୍ୟୁ

ସୂଚନା ଅନୁସାରେ, ତକିଆ ଟୋଲାର କିଛି ଗ୍ରାମବାସୀ ସକାଳୁ ହଜିଯାଇଥିବା ମଇଁଷିକୁ ଖୋଜିବା ପାଇଁ ଘରୁ ବାହାରିଥିଲେ। ସେତେବେଳେ କ୍ଷେତରେ ଅନ୍ଧାର ଓ ଧୁଆଁଳିଆ ପରିବେଶ ଥିଲା। ଏହି ସମୟରେ ଧାନ କ୍ଷେତରେ ବିଛାଯାଇଥିବା ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଗ୍ରାମବାସୀ।

ତାରରେ ଏତେ ମାତ୍ରାରେ କରେଣ୍ଟ୍‌ ଥିଲା ଯେ ଇସଲାମ ମନସୁରୀ, ତାଙ୍କ ପତ୍ନୀ ରୁବୈଦା ଖାତୁନ ଏବଂ ଅସମତ ଅଲୀଙ୍କ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା।

୨ରୁ ୩ ଜଣ ଗୁରୁତର ଆହତ 

କରେଣ୍ଟ୍‌ ଲାଗିବାରୁ ଆଉ ୨ରୁ ୩ ଜଣ ଗ୍ରାମବାସୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଚିତ୍କାର ଶୁଣି ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ଘଟଣାସ୍ଥଳରେ ଦୁଇଟି ଜଙ୍ଗଲୀ ବାର୍‌ହାର ମୃତଦେହ ମଧ୍ୟ ମିଳିଛି। ଏଥିରୁ ଫସଲକୁ ଜଙ୍ଗଲୀ ବାର୍‌ହାଙ୍କଠାରୁ ରକ୍ଷା କରିବା ପାଇଁ କ୍ଷେତରେ ବିଦ୍ୟୁତ୍ ତାର ବିଛାଯାଇଥିବା ଆଶଙ୍କା କରାଯାଉଛି।

ତେବେ ତାର କିଏ ଏବଂ କେଉଁ ଉଦ୍ଦେଶ୍ୟରେ ବିଛାଇଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ଏନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।

ଘଟଣା ପରେ ଗାଁରେ ଶୋକ ଓ ଅସନ୍ତୋଷ

ଗୋଟିଏ ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ପରେ ତକିଆ ଟୋଲାରେ ଶୋକର ଛାୟା ଖେଳିଯାଇଛି। ଏପଟେ ଏଭଳି ଭାବେ କ୍ଷେତରେ ଖୋଲା ବିଦ୍ୟୁତ୍ ତାର ବିଛାଇବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସହ ଅସନ୍ତୋଷ ମଧ୍ୟ ଦେଖାଦେଇଛି।

ବୈରଗନିଆ ଥାନାଧିକାରୀ ଅରବିନ୍ଦ ଗିରି କହିଛନ୍ତି ଯେ, ଜଙ୍ଗଲୀ ବାର୍‌ହାଙ୍କଠାରୁ ଫସଲକୁ ରକ୍ଷା କରିବା ପାଇଁ କ୍ଷେତରେ ବିଦ୍ୟୁତ୍ ତାର ଲଗାଯାଇଥିଲା। ଏହି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।