ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ, ୨ ଛାତ୍ରୀ ମେଡିକାଲରେ ଭର୍ତ୍ତି

Nov 03, 2026 - 20:00
ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ, ୨ ଛାତ୍ରୀ ମେଡିକାଲରେ ଭର୍ତ୍ତି

ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ, ୨ ଛାତ୍ରୀ ମେଡିକାଲରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ଉତ୍କଳ ବିଶ୍ଵବିଦ୍ୟାଳୟରେ ଜଣ୍ଡିସ ଆତଙ୍କ । ଲେଡିଜ ହଷ୍ଟେଲରେ ବ୍ୟାପିଛି ଜଣ୍ଡିସ । ୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି । ୮ ଜଣଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ କିଛି ଛାତ୍ରୀ ହଷ୍ଟେଲ ଛାଡ଼ିଥିବା ଦେଖିବାକୁ ମିଳିଛି ।

ବିଶ୍ଵବିଦ୍ୟାଳୟର ୬ ନମ୍ବର ନନ୍ଦିନୀ ଶତପଥୀ ଓ ୭ ନମ୍ବର ଶୈଳବାଳା ଛାତ୍ରୀ ନିବାସରେ ୨୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ୨ ଜଣ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଛି । କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ କିଛି ଛାତ୍ରୀ ହଷ୍ଟେଲ ଛାଡ଼ିଥିବା ଦେଖିବାକୁ ମିଳିଛି । ଦୂଷିତ ପାଣି ପାଇଁ ଛାତ୍ରୀମାନେ ରୋଗାକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି ।

ଘଟଣା ପରେ ହଷ୍ଟେଲରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଟିମ୍ । ପାଣି ଓ ୮ ଜଣ ଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପୂଜା ଛୁଟି ପରେ ଗତ ୨୭ ତାରିଖରେ ଖୋଲିଥିଲା ହଷ୍ଟେଲ । ପରେ ଜଣେ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ୨ରୁ ୩ ଦିନ ପରେ ଆଉ ଜଣେ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ୮ ଜଣ ସନ୍ଦିଗ୍ଧଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିପାରେ । ତେବେ ଦୂଷିତ ପାଣି ନା ଖାଦ୍ୟ, ଜଣ୍ଡିସ ବ୍ୟାପିବାର ପ୍ରମୁଖ କାରଣ, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶ୍ଵବିଦ୍ୟାଳୟ ମେଡିକାଲ ଅଫିସର ।

ବର୍ତ୍ତମାନ ସମସ୍ତ ହଷ୍ଟେଲରେ ଚାଲିଛି ଯାଞ୍ଚ । BMCର ଅର୍ବାନ ହେଲଥ ସର୍ଭେଲାନ୍ସ ଟିମ ହଷ୍ଟେଲରେ ପହଞ୍ଚି ପାଣିର ନମୁନା ସଂଗ୍ରହ କରିବା ସହ ସ୍ୱଚ୍ଛତା ଓ ପରିବେଶ ଯାଞ୍ଚ କରିଛନ୍ତି । ଛାତ୍ରଛାତ୍ରୀଙ୍କ ମିଡ ଟର୍ମ ପରୀକ୍ଷାକୁ ଦୁଇ ଦିନ ଘୁଞ୍ଚାଇ ଦିଆଯାଇଛି । ଅନ୍ୟପଟେ ହଷ୍ଟେଲରେ ଜାରି ହୋଇଛି କଟକଣା । ବାହାର ଖାଦ୍ୟ ଖାଇବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ଛାତ୍ରୀମାନଙ୍କୁ ପାଣି ଫୁଟାଇ ଥଣ୍ଡା କରି ପିଇବାକୁ ପରାମର୍ଶ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।