‘କାରଣ ନଜଣାଇ ଗିରଫ କରିବା ବେଆଇନ, ଦ୍ବିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ’

Sep 22, 2026 - 18:25
‘କାରଣ ନଜଣାଇ ଗିରଫ କରିବା ବେଆଇନ, ଦ୍ବିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ’

ଭୁବନେଶ୍ବର :କାରଣ ନଜଣାଇ ଗିରଫ କରିବା ବେଆଇନ । ଦ୍ବିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ କାରଣ ନଜଣାଇ ଗିରଫ କରିବା ବେଆଇନ । ଦ୍ୱିତୀୟ ଗିରଫଦାରୀ ପୂର୍ବରୁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଜରୁରୀ । ଆଉ ଚଳିବନି ତଦନ୍ତକାରୀ ସଂସ୍ଥାର ମନମାନି । ପୋଲିସର ଏକଚାଟିଆ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ । କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ବେଳେ ତାଙ୍କୁ ଗିରଫର କାରଣ ଲିଖିତ ଭାବରେ ଜଣାଇବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କରି ଗିରଫ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚନ୍ଦୁରକରଙ୍କ ଖଣ୍ଡପୀଠ କହିଛନ୍ତି, ଗିରଫର କାରଣ ସଂପୃକ୍ତ ବ୍ୟକ୍ତି ବୁଝୁଥିବା ଭାଷାରେ ଲିଖିତ ଭାବରେ ଦିଆଯିବ । ଯଥାଶୀଘ୍ର ଏହାର ଏକ ନକଲ ମଧ୍ୟ ତାଙ୍କୁ ପ୍ରଦାନ କରିବାକୁ ହେବ । କେବଳ ମୌଖିକ ଭାବରେ କାରଣ ଜଣାଇଦେବା ଯଥେଷ୍ଟ ନୁହେଁ । ସମ୍ବିଧାନର ଧାରା ୨୨(୧) କୁ ଉଲ୍ଲଂଘନ କରି ହୋଇଥିବା ଗିରଫ ଏବଂ ଏହା ପରର ରିମାଣ୍ଡ ବେଆଇନ ହେବ । ଏଭଳି ବେଆଇନ ଗିରଫ ପରେ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜାମିନରେ ଛଡ଼ାଯାଇଛି ବୋଲି କୁହାଯିବ ନାହିଁ । ବରଂ ତାଙ୍କୁ ବେଆଇନ ଓ ଅସାମ୍ବିଧାନିକ ଅଟକରୁ ମୁକ୍ତ କରାଯାଇଛି ବୋଲି ଧରାଯିବ । ଏଭଳି ନିର୍ଦ୍ଦେଶକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଣି ଗିରଫ କରିବାକୁ ଚାହିଁଲେ ପ୍ରଥମେ ଲିଖିତ କାରଣ ଦେବାକୁ ପଡ଼ିବ । ଏହା ପରେ ପୂର୍ବରୁ କାହିଁକି କାରଣ ଦିଆଯାଇ ନଥିଲା ଏବଂ ଏବେ କାହିଁକି ତାଙ୍କୁ ହେପାଜତରେ ନେବା ଜରୁରୀ ତାହା ଦର୍ଶାଇ ମ୍ୟାଜିଷ୍ଟ୍ରେଟଙ୍କ ନିକଟରେ ସାନି ଆବେଦନ କରିବାକୁ ପଡ଼ିବ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ମ୍ୟାଜିଷ୍ଟ୍ରେଟ୍ ଯଥାଶୀଘ୍ର ସମ୍ଭବ ହେଲେ ସପ୍ତାହକ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବେ । ପୂର୍ବରୁ ଲିଖିତ କାରଣ ନ ଦେବା ପଛରେ ବାସ୍ତବ ଓ ଯୁକ୍ତିସଙ୍ଗତ କାରଣ ଥିବ । ହେପାଜତ ଏବେ ମଧ୍ୟ ଜରୁରୀ ବୋଲି ସନ୍ତୁଷ୍ଟ ହେଲେ ହିଁ ମ୍ୟାଜିଷ୍ଟ୍ରେଟ୍ ପୁନଃ ଗିରଫ ପାଇଁ ଅନୁମତି ଦେଇପାରିବେ । ପ୍ରଥମେ ବେଆଇନ ଗିରଫ କରିଥିବା ଅଧିକାରୀଙ୍କ ଠାରୁ ତଦନ୍ତ ଦାୟିତ୍ବ ହଟାଇ ଅନ୍ୟ ଜଣେ ଅଧିକାରୀଙ୍କୁ ଦିଆଯିବ । ଏହାସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯିବ । ତଦନ୍ତରେ ଦୋଷ ପ୍ରମାଣିତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସଂପୃକ୍ତ ଅଧିକାରୀଙ୍କର ସର୍ଭିସ ବୁକରେ ମଧ୍ୟ ଏହା ଉଲ୍ଲେଖ କରାଯିବ । ପଞ୍ଜାବର ଯଶ କରଞ୍ଜିତ ସିଂଙ୍କ ଗିରଫ ସମ୍ପର୍କିତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରାୟର ନକଲ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକଙ୍କୁ ପଠାଇବାକୁ ମଧ୍ୟ କୋର୍ଟ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।