କେବେ ଖୋଲିବ କଟକ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆହାର କେନ୍ଦ୍ର ଓ ମିଶନ ଶକ୍ତି କଫେ ?
କଟକ : ଲୋକଙ୍କୁ ମିଳୁନି ଆହାର । ଦୁଇବର୍ଷ ହେଲା ବନ୍ଦ ରହିଛି କଟକ ଚାଉଳିଆଗଞ୍ଜ ପରିସରରେ ଥିବା ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ । ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସୁବିଧାରେ ଖାଦ୍ଯ ଯୋଗାଇ ଦେବାକୁ ପୂର୍ବ ସରକାରଙ୍କ ସମୟରେ ନିର୍ମାଣ ହୋଇଥିଲା ଏହି ଆହାର କେନ୍ଦ୍ର । ୩ ଟଙ୍କାରେ ପେଟପୂରା ଆହାର ପାଉଥିଲେ ଲୋକେ । ପାଖାପାଖି ଦୁଇବର୍ଷ ହେବ ନିର୍ମାଣ ହୋଇ ଉଦଘାଟନ ହୋଇଥିଲେ ସୁଦ୍ଧା ସାଧାରଣ ଲୋକମାନଙ୍କ ପାଇଁ ଏହା ଖୋଲାଯାଇ ପାରୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଏହି ଆହାର କେନ୍ଦ୍ରର ଝରକାରେ ଗଛ ଲତା ମାଡ଼ିଥିବା ବେଳେ ମିଶନ ଶକ୍ତି କାଫେରେ ଝୁଲୁଛି ତାଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିଲା ଲୋକେ ଖାଦ୍ୟ ପାଇଁ ବାହାର ହୋଟେଲ ଉପରେ ନିର୍ଭର କରୁଛନ୍ତି ।
ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନାରୀ ନେତ୍ରୀ ଅଂଶୁ ତ୍ରିପାଠୀ । ସରକାରୀ ଡାକ୍ତରଖାନାରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପୂର୍ବ ସରକାର ଅଣ୍ଟା ଭିଡ଼ିଥିଲେ । ଏଥିପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଯୋଜନା ସହ ଅନୁଦାନ ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ଚାଉଳିଆଗଞ୍ଜରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାମିଲ କରାଯାଇଥିଲା । ୨୦୨୩ରେ ଆମ ହସ୍ପିଟାଲ ଯୋଜନାରେ ଅନୁଦାନ ମିଳିବା ମିଳିବା ପରେ ୨୦୨୪ ଫେବୃଆରୀ ସୁଦ୍ଧା ନିର୍ମାଣ ଶେଷ ହୋଇଥିଲା । ଏଥିରେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ସାଧାରଣ ଲୋକମାନଙ୍କ ପାଇଁ ଏହି ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ ଖୋଲା ଯାଇଥିଲା । ମାତ୍ର ସରକାରଙ୍କ ଅପାରଗତାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ।ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସୁବିଧା ପାଇଁ ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହାର କେନ୍ଦ୍ର ଓ ମିଶନ ଶକ୍ତି କାଫେ ଖୁବଶୀଘ୍ର ଖୋଲିବାକୁ ଦାବି ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।