ଗଜେଶ୍ୱର ହାଇସ୍କୁଲରେ ଭୂତ ଭୟ! ଛାତ୍ରୀଙ୍କ ଅସ୍ୱାଭାବିକ ଆଚରଣ, ସ୍କୁଲ ଯାଉନାହାନ୍ତି ଛାତ୍ରଛାତ୍ରୀ
ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ପଞ୍ଚାୟତର ଗଜେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଭୂତ ଭୟକୁ ନେଇ ଆତଙ୍କର ପରିବେଶ। ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର କିଛି ଛାତ୍ରୀ ଗତ ୪ ଦିନ ଧରି ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଥିବାରୁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରାୟ ୭ଟି ଗାଁରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସନ୍ତି। ହେଲେ ଗତ କିଛିଦିନ ଧରି ପ୍ରାର୍ଥନା ସମୟରେ କିମ୍ବା କ୍ଲାସ ଚାଲିଥିବା ବେଳେ କିଛି ଛାତ୍ରୀ ହଠାତ୍ ତଳେ ପଡ଼ିଯିବା ସହ ମୁଣ୍ଡ, ଛାତି ଓ ଗୋଡ଼ ବିନ୍ଧା ହେଉଥିବା ଅଭିଯୋଗ ହୋଇଛି। କେତେକ ଛାତ୍ରୀ ଭୟଭୀତ ହୋଇ ଚିତ୍କାର କରି ମୋତେ ଛାଡ଼, ମୁଁ ଘରକୁ ଯିବି ବୋଲି କହୁଥିବା ଜଣାପଡ଼ିଛି। ଘଟଣା ପରେ ବିଦ୍ୟାଳୟ ପକ୍ଷରୁ ଅଭିଭାବକମାନଙ୍କୁ ଡକାଯାଇ ଛାତ୍ରୀମାନଙ୍କୁ ତୁରନ୍ତ ମେଡିକାଲ ନେଇ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଚିକିତ୍ସା ପରେ ଅସୁସ୍ଥ ଛାତ୍ରୀମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟପଟେ ଘଟଣାକୁ ନେଇ କିଛି ଅଭିଭାବକ ବିଦ୍ୟାଳୟରେ ଗୁଣିଗାରେଡ଼ି କିମ୍ବା ଭୂତପ୍ରେତର ପ୍ରଭାବ ଥିବା ଆଶଙ୍କା କରୁଛନ୍ତି। ଏହି ଭୟରେ ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଉନାହାନ୍ତି। ଏପରିକି କିଛି ସ୍ଥାନରେ ଗୁଣିଆକୁ ଡାକି ଝଡ଼ାଫୁଙ୍କା ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।
ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଆଜି ଏକ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କର ବ୍ଲଡ୍ ପ୍ରେସର, ବ୍ଲଡ୍ ଟେଷ୍ଟ ଓ ହିମୋଗ୍ଲୋବିନ ପରୀକ୍ଷା କରିଛି। ଏଥିସହ ଛାତ୍ରୀମାନେ ଏଭଳି ଅସ୍ୱାଭାବିକ ଆଚରଣ କଲେ କିପରି ତୁରନ୍ତ ପଦକ୍ଷେପ ନେବେ, ସେନେଇ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ମେଡିକାଲ ଟିମ୍ ସଚେତନ କରିଛି। ବିଦ୍ୟାଳୟରେ ଚିକିତ୍ସା ଓ ସଚେତନତା ପଦକ୍ଷେପ ଆରମ୍ଭ ହୋଇଥିଲେ ମଧ୍ୟ ଭୂତପ୍ରେତକୁ ନେଇ ଛାତ୍ରୀ ଓ ଅଭିଭାବକଙ୍କ ମନରେ ରହିଥିବା ଭୟ ଏବେ ବି ଦୂର ହୋଇନାହିଁ। ଘଟଣାର ପ୍ରକୃତ କାରଣ ଚିକିତ୍ସା ଓ ବିଶେଷଜ୍ଞ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।