ଜଗା ଜମି ନେଇ ସରକାରଙ୍କ ନୂଆ ନିୟମ, ସମାଧାନ ନା ଲୋକଙ୍କ ପାଇଁ ନୂଆ ସମସ୍ୟା?

Sep 12, 2026 - 19:09
ଜଗା ଜମି ନେଇ ସରକାରଙ୍କ ନୂଆ ନିୟମ, ସମାଧାନ ନା ଲୋକଙ୍କ ପାଇଁ ନୂଆ ସମସ୍ୟା?

ନନ୍ଦିଘୋଷ ବ୍ୟୁରୋ : ପୁରୀ ଶ୍ରୀଜଗନ୍ନାଥଙ୍କ ଜମିଜମା ବନ୍ଦୋବସ୍ତକୁ ନେଇ ରାଜ୍ୟ ସରକାରଙ୍କ ନୂଆ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିବାଦ ତେଜିଛି। ମହାପ୍ରଭୁଙ୍କ ଜମିର ରେକର୍ଡ ଅଫ୍ ରାଇଟ୍ସ ବା ଆରଓଆର୍ କରିବା ପାଇଁ ବେଞ୍ଚମାର୍କ ଭ୍ୟାଲୁଏସନ୍‌କୁ ଆଧାର କରି ସରକାର ଯେଉଁ ନୂଆ ବ୍ୟବସ୍ଥା ଆଣିଛନ୍ତି, ତାହା ସମସ୍ୟାର ସମାଧାନ ବଦଳରେ ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ାଇବ ବୋଲି ଅଭିଯୋଗ ହୋଇଛି। ଏପରିକି ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶର ବିରୋଧାଚରଣ କରୁଛି ବୋଲି ମଧ୍ୟ ଆଇନଜୀବୀଙ୍କ ଏକ ମହଲ ମତ ଦେଇଛନ୍ତି। ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଜମିଜମା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅନେକ ଆବେଦନ କରାଯାଇଥିଲେ ମଧ୍ୟ ସେଗୁଡ଼ିକର ସମାଧାନ ନକରି ସରକାର ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ଅଭିଯୋଗ ହୋଇଛି। ଏହା ଦ୍ୱାରା ଦୀର୍ଘଦିନ ଧରି ଜମି ସମସ୍ୟାରେ ଫସିଥିବା ଲୋକମାନେ ଆହୁରି ଅସୁବିଧାରେ ପଡ଼ିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏକତରଫା ଭାବେ ନିଷ୍ପତ୍ତି ନନେଇ ଜମି ସମସ୍ୟା ସହ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନର ବାଟ ବାହାର କରିବାକୁ ରାଜ୍ୟସଭା ସାଂସଦ ଅପିଲ୍ କରିଛନ୍ତି। ଏହି ପ୍ରସଙ୍ଗରେ ଜଣେ ବରିଷ୍ଠ ଆଇନଜୀବୀ ମଧ୍ୟ ସରକାରଙ୍କ ବର୍ତ୍ତମାନର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ଏହି ନିଷ୍ପତ୍ତି ଜଗନ୍ନାଥ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ଦେବାରେ ବିଫଳ ହୋଇପାରେ। ଶ୍ରୀମନ୍ଦିର ପାଇଁ ଜମିଦାରୀ ଉଚ୍ଛେଦ ଆଇନ ଲାଗୁ ନକରିବାକୁ ସୁପ୍ରିମକୋର୍ଟ ୨୦୧୫ ମସିହାରେ ନିର୍ଦ୍ଦେଶ ଦେଇଥିବା ଦାବି କରାଯାଉଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ପାଇଁ ସରକାର ଆଣୁଥିବା ନୂଆ ବ୍ୟବସ୍ଥାର ଆଇନଗତ ବୈଧତାକୁ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟ କ୍ୟାବିନେଟରେ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମାବଳୀ-୨୦୨୬କୁ ଅନୁମୋଦନ ଦିଆଯାଇଛି। ଏହି ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଜମିରେ ଦୀର୍ଘଦିନ ଧରି ରହୁଥିବା ଅଣସେବାୟତ, ସେବାୟତ ପରିବାର ଏବଂ ସେବାୟତ ନିଯୋଗ ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଅଣସେବାୟତ ବା ସାଧାରଣ ବର୍ଗର ପରିବାର ୩୦ ବର୍ଷରୁ ଅଧିକ ସମୟ ଧରି ଜଗନ୍ନାଥଙ୍କ ଜମିରେ ରହୁଥିଲେ ବେଞ୍ଚମାର୍କ ଭ୍ୟାଲୁର ୧୦ ପ୍ରତିଶତ ଦେଇ ଜମି ପାଇପାରିବେ। ୨୦ରୁ ୩୦ ବର୍ଷ ଧରି ରହୁଥିବା ପରିବାର ପାଇଁ ଏହି ହାର ୧୫ ପ୍ରତିଶତ ଏବଂ ୧୨ରୁ ୨୦ ବର୍ଷ ଧରି ରହୁଥିଲେ ୨୫ ପ୍ରତିଶତ ରହିଛି। ସେହିପରି ସେବାୟତ ପରିବାରଙ୍କ ପାଇଁ ମୂଲ୍ୟ ହାର ତୁଳନାତ୍ମକ ଭାବେ କମ୍ ରଖାଯାଇଛି। ୩୦ ବର୍ଷରୁ ଅଧିକ ସମୟ ଧରି ରହୁଥିଲେ ବେଞ୍ଚମାର୍କ ଭ୍ୟାଲୁର ୫ ପ୍ରତିଶତ, ୨୦ରୁ ୩୦ ବର୍ଷ ପାଇଁ ୭.୫ ପ୍ରତିଶତ ଏବଂ ୧୨ରୁ ୨୦ ବର୍ଷ ପାଇଁ ୧୨.୫ ପ୍ରତିଶତ ମୂଲ୍ୟ ଧାର୍ଯ୍ୟ ହୋଇଛି। ସେବାୟତ ନିଯୋଗ ପାଇଁ ମଧ୍ୟ ସ୍ୱତନ୍ତ୍ର ହାର ରଖାଯାଇଛି।

ସରକାରଙ୍କ ଯୋଜନା ଅନୁଯାୟୀ, ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ଏବଂ ଭୂସଞ୍ଚାଳନ କମିଟି ମାଧ୍ୟମରେ ଜମିଜମା ସମସ୍ୟାର ସମାଧାନ କରାଯିବ। ଏଥିପାଇଁ ଏକ ସ୍ୱଚ୍ଛ ମୂଲ୍ୟାଙ୍କନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ତେବେ ନୂଆ ନିୟମ ଜଗନ୍ନାଥଙ୍କ ଜମିଜମା ସମସ୍ୟାର ସମାଧାନ କରିବ ନା ଏହାକୁ ଆହୁରି ଜଟିଳ କରିବ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଗୋଟିଏ ପଟେ ସରକାର ଏହାକୁ ସ୍ୱଚ୍ଛ ଓ ସରଳ ବ୍ୟବସ୍ଥା ବୋଲି କହୁଥିବା ବେଳେ ଅନ୍ୟପଟେ ଆଇନଜୀବୀ ଓ ଜମି ହିତାଧିକାରୀଙ୍କ ଏକ ମହଲ ଏହାର ଆଇନଗତ ବୈଧତା ଏବଂ ଆର୍ଥିକ ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେଣୁ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ସହ ଜମିରେ ବସବାସ କରୁଥିବା ଲୋକଙ୍କ ହିତକୁ ମଧ୍ୟ ଦୃଷ୍ଟିରେ ରଖି ସରକାର ଏକ ସ୍ଥାୟୀ ଓ ଆଇନସମ୍ମତ ସମାଧାନ ବାହାର କରିବାକୁ ଦାବି ଜୋର ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।