ଡରାଇଲାଣି ବାତ୍ୟାର ଆଖି !
ନନ୍ଦିଘୋଷ ବ୍ୟୁରୋ: ଦେଖାଗଲା ବାତ୍ୟାର ଆଖି । ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଗତ ୬ ଘଣ୍ଟା ମଧ୍ଯରେ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଅତି ଭୀଷଣ ବାତ୍ୟା ବର୍ତ୍ତମାନ ବିଶାଖାପାଟଣା ଠାରୁ ଦକ୍ଷିଣ -ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୧୭୦ କିମି, କାକିନାଡ଼ାଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୧୪୦ କିମି, ମଛଲିପଟନମ ଠାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ୨୩୦ କିମି, ଗୋପାଳପୁର ଠାରୁ ଦକ୍ଷିଣ ଦିଗରେ ୩୮୦ କିମି, ବାପଟଲା ଠାରୁ ପୂର୍ବ ଦିଗରେ ୩୦୦ କିଲୋମିଟର ଦୂରରେ ରହି ଉପକୂଳ ମୁହାଁ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ପ୍ରବଳ ସମ୍ଭାବନା ରହିଛି I ଏହା ପରେ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି I ଏହି ସମୟରେ ଏହା ଅତି ଭୀଷଣ ବାତ୍ୟା ରୂପେ ବାପଟଲା ଓ ବିଶାଖାପାଟଣା ମଧ୍ଯରେ, ବିଶେଷ କରି ୟାନାମ ନିକଟ ଦେଇ ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୫ ରୁ ୧୩୫ କିଲୋମିଟର ରହିପାରେ। ସେହିପରି ଝଟକା ପବନ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିପାରେ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ଭୀଷଣ ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁଲା ବେଳକୁ ଘଣ୍ଟାପ୍ରତି ୨୧୩ କିଲୋମିଟରରୁ ଅଧିକ ବେଗରେ ବହିବ ପବନ। ଝଟକା ପବନ ୨୫୯ କିଲୋମିଟର ବେଗରେ ବହିପାରେ। ଏହାରି ଭିତରେ ସାଟେଲାଇଟରୁ ମିଳିଛି ବାତ୍ୟାର ଆଖି। ଏହାର ବ୍ୟାସ ୩୩ରୁ ୩୭ କିଲୋମିଟର ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।