ଦୁଇଟି ମୁଣ୍ତ, ଗୋଟିଏ ଶରୀର: ଏମକେସିଜି ମେଡ଼ିକାଲରେ ବିରଳ ଶିଶୁ ଜନ୍ମ
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ବିରଳ ଶିଶୁ ଜନ୍ମ । ନବଜାତ ଶିଶୁର ଗୋଟିଏ ଶରୀର ଓ ଗୋଟିଏ ହାର୍ଟ ଥିବା ବେଳେ ରହିଛି ଦୁଇଟି ମୁଣ୍ଡ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରୁ ଏମକେସିଜି ମେଡିକାଲକୁ ଆସିଥିବା ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହୋଇଛି ଏହି ବିରଳ ଶିଶୁ । ଗତ ରବିବାର ରାତିରେ ଏହି ଦୁଇ ମୁଣ୍ଡିଆ ଶିଶୁଟି ଜନ୍ମ ହୋଇଛି । ଶିଶୁଟି ବର୍ତ୍ତମାନ ଏମକେସିଜି ମେଡିକାଲ ଶିଶୁ ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଛି।
ଶିଶୁ ବିଭାଗର ବହୁ ବରିଷ୍ଠ ଡ଼ାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ଚିକିତ୍ସା ବିଜ୍ଞାନରେ ଏଭଳି ଘଟଣା ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ। ଡାକ୍ତରୀ ବିଶେଷଜ୍ଞମାନେ ଏହି ଅତ୍ୟନ୍ତ ବିରଳ ସ୍ଥିତିକୁ କ୍ରାନିଓପାଗସ୍ ପାରାସାଇଟିକସ୍ (Craniopagus parasiticus) ଭାବରେ ଚିହ୍ନଟ କରିଛନ୍ତି। ଏହା ହେଉଛି ଯୋଡ଼ି ହୋଇଥିବା ଯାଆଁଳା ଶିଶୁମାନଙ୍କର ଏକ ରୂପ, ଯେଉଁଥିରେ ଶିଶୁମାନେ ଶାରୀରିକ ଭାବରେ ମୁଣ୍ଡ ସହିତ ସଂଯୁକ୍ତ ହୋଇ ଜନ୍ମ ଗ୍ରହଣ କରିଥାନ୍ତି।
ବର୍ତ୍ତମାନ ଏହି ଶିଶୁଟିକୁ ଉନ୍ନତ ଧରଣର ଏସଏନସିୟୁ ସୁବିଧାରେ ନିରନ୍ତର ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଡାକ୍ତରମାନେ ନିଶ୍ୱାସ ପ୍ରଶ୍ୱାସ, ହୃଦସ୍ପନ୍ଦନ ହାର ଓ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟ ସୂଚକାଙ୍କ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।