ନିର୍ମାଣ ସ୍ଥଳରେ ଅସୁରକ୍ଷିତ ଶ୍ରମିକ
ଘଟଗାଁ : ଜୋରସୋରରେ ଚାଲିଛି ମା’ ତାରିଣୀ ପୀଠର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ନିର୍ମାଣ ସ୍ଥଳରେ ଅସୁରକ୍ଷିତ ଭାବେ କାମ କରୁଛନ୍ତି ଶ୍ରମିକ । ବେଫିକର ପ୍ରଶାସନ। କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁ ମା’ ତାରିଣୀ ମନ୍ଦିରର ପାରିପାର୍ଶ୍ଵିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୩୫୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାମ ଚାଲିଛି । ଏଥିପାଇଁ ଏକ ଘରୋଇ ଠିକା ସଂସ୍ଥାକୁ ପ୍ରାୟ ୧୪୬ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଦିଆଯାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ବଡ ବଡ଼ ଵିଲ୍ଡିଂର କାମ ଚାଲିଛି। ହେଲେ ନିର୍ମାଣସ୍ଥଳରେ ହେଲମେଟ୍, ସେଫ୍ଟି ସୁ ଓ ସେଫ୍ଟି ଜ୍ୟାକେଟ ବିନା ଶ୍ରମିକମାନେ କାମ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏପରିକି ଡାଲା ଗାଡ଼ିରେ ଶ୍ରମିକଙ୍କୁ ଅସୁରକ୍ଷିତ ଭାବେ ବୋହି ନିଆଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। କିଛି ଅଘଟଣ ଘଟିଲେ ଦାୟୀ କିଏ ରହିବ ବୋଲି ଉଠିଛି ପ୍ରଶ୍ନ।
ଶ୍ରମିକଙ୍କ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକଙ୍କୁ ସୁରକ୍ଷା କିଟ୍ ଦେବାକୁ ଦାବି ହୋଇଛି। ସେପଟେ ଶ୍ରମିକଙ୍କ ସୁରକ୍ଷାରେ ଅବହେଳା ହୋଇଥିବା ନେଇ ସ୍ବୀକାର କରିଛନ୍ତି ଠିକା ସଂସ୍ଥାର ମ୍ୟାନେଜର। ଖୁବଶୀଘ୍ର ଏଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ତେବେ ବିତଣ୍ଡା ଯୁକ୍ତି ବାଢ଼ିଛନ୍ତି ଠିକା ସଂସ୍ଥାର ସେଫ୍ଟି ଇଞ୍ଜିନିୟର। ଶ୍ରମିକମାନଙ୍କୁ ସୁରକ୍ଷା କିଟ୍ ଦିଆଯାଇଛି, ହେଲେ ଗରମ ଯୋଗୁଁ ସେମାନେ ହେଲମେଟ୍ ଓ ଜୋତା ଖୋଲି କାମ କରୁଥିବା ସେ କହିଛନ୍ତି।
ମା ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି କେବେ ଦୃଷ୍ଟି ଦେବ ପ୍ରଶାସନ। ତା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।