ପୋଲାଣ୍ଡରୁ ୟୁକ୍ରେନ୍: ମସ୍କଙ୍କ ଷ୍ଟାରଲିଙ୍କକୁ ନେଇ ବିବାଦ, ବିଦେଶୀ କମ୍ପାନୀ ଉପରେ କେତେ ଭରସା କରିହେବ?

Oct 15, 2026 - 14:30
ପୋଲାଣ୍ଡରୁ ୟୁକ୍ରେନ୍: ମସ୍କଙ୍କ ଷ୍ଟାରଲିଙ୍କକୁ ନେଇ ବିବାଦ, ବିଦେଶୀ କମ୍ପାନୀ ଉପରେ କେତେ ଭରସା କରିହେବ?

ନନ୍ଦିଘୋଷ ବ୍ୟୁରୋ: ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭକୁ ନେଇ ଚର୍ଚ୍ଚାରେ ଥିବା ଏଲୋନ୍ ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ଏବେ ୟୁକ୍ରେନ୍‌କୁ ନେଇ ବିବାଦରେ ଫସିଛି। ୟୁକ୍ରେନ୍‌ର ସାମରିକ ଅଭିଯାନ ସମୟରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାର ଗତି ହ୍ରାସ ପାଇଥିବା ଅଭିଯୋଗକୁ ନେଇ ଏହି ବିବାଦ ତୀବ୍ର ହୋଇଛି। ଏହାକୁ ନେଇ ୟୁକ୍ରେନରେ ଉଦବେଗ ପ୍ରକାଶ ପାଇଥିବା ବେଳେ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରାଡୋସ୍ଲା ସିକୋର୍ସ୍କି ମଧ୍ୟ ମସ୍କଙ୍କୁ ସମାଲୋଚନା କରିଛନ୍ତି। ଯୁଦ୍ଧ ସମୟରେ ଏକ ବିଦେଶୀ ଘରୋଇ କମ୍ପାନୀ ଉପରେ ଦେଶର ସାମରିକ ଯୋଗାଯୋଗ ବ୍ୟବସ୍ଥା କେତେଦୂର ନିର୍ଭର କରିପାରିବ, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।

ୟୁକ୍ରେନ୍‌ର ସାମରିକ ଅଭିଯାନ ପ୍ରଭାବିତ ହୋଇଥିବା ଅଭିଯୋଗ

ୟୁକ୍ରେନୀୟ ଅଧିକାରୀଙ୍କ ଅନୁଯାୟୀ, ଅକ୍ଟୋବର ୧୩-୧୪ ରାତିରେ ୟୁକ୍ରେନ୍‌ର ସାମରିକ ଅଭ୍ୟାସ ସମୟରେ ଷ୍ଟାରଲିଙ୍କ ଇଣ୍ଟରନେଟ୍‌ର ଗତି ହଠାତ୍ ହ୍ରାସ ପାଇଥିଲା। ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ସେରଗେଇ ବେସ୍କ୍ରେଷ୍ଟନୋଭ କହିଛନ୍ତି ଯେ, ଏହି ପରିବର୍ତ୍ତନ ଯୋଗୁଁ ମଧ୍ୟମ ଦୂରଗାମୀ ଆକ୍ରମଣକାରୀ ଡ୍ରୋନ୍‌, ଡ୍ରୋନ୍‌କୁ ଅଟକାଇବା ପାଇଁ ବ୍ୟବହୃତ ଇଣ୍ଟରସେପ୍ଟର, ସାମରିକ ଯୋଗାଣ ବ୍ୟବସ୍ଥା ଏବଂ ନିରୀକ୍ଷଣ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏହି ଘଟଣା ପଛରେ ରାଜନୈତିକ ଚାପ ରହିଛି କି ନାହିଁ, ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।

ଷ୍ଟାରଲିଙ୍କ ଓ ଷ୍ଟାରସିଲ୍ଡ ମଧ୍ୟରେ ରହିଛି ପାର୍ଥକ୍ୟ

ଏହି ବିବାଦ ମଧ୍ୟରେ ଏଲୋନ୍ ମସ୍କ କହିଛନ୍ତି ଯେ ଷ୍ଟାରଲିଙ୍କ ଓ ଷ୍ଟାରସିଲ୍ଡକୁ ଗୋଟିଏ ପ୍ରକାରର ସେବା ଭାବେ ବିବେଚନା କରିବା ଠିକ୍ ନୁହେଁ। ଷ୍ଟାରଲିଙ୍କ ହେଉଛି ସାଟେଲାଇଟ୍‌ ମାଧ୍ୟମରେ ଇଣ୍ଟରନେଟ୍‌ ସେବା ଯୋଗାଉଥିବା ଏକ ବ୍ୟବସ୍ଥା। ଅନ୍ୟପକ୍ଷରେ, ଷ୍ଟାରସିଲ୍ଡ ଆମେରିକା ସରକାରଙ୍କ ସାମରିକ ଓ ସୁରକ୍ଷା ଆବଶ୍ୟକତା ପାଇଁ ବିକଶିତ ଏକ ଯୋଗାଯୋଗ ବ୍ୟବସ୍ଥା।

ମସ୍କଙ୍କ ଅନୁଯାୟୀ, ଆମେରିକା ସରକାର ଷ୍ଟାରସିଲ୍ଡର ବ୍ୟବହାରକୁ ନିୟନ୍ତ୍ରଣ କରନ୍ତି ଏବଂ ଏହାର ଗତି କିମ୍ବା ବ୍ୟବହାର ସମ୍ପର୍କରେ ନିଷ୍ପତ୍ତି ଆମେରିକୀୟ ସେନା ଦ୍ୱାରା ନିଆଯାଇଥାଏ। ସେ ଏହି ନିୟନ୍ତ୍ରଣ ପାଇଁ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଦାୟୀ କରିଛନ୍ତି। ତଥାପି, ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ଆମେରିକୀୟ ପ୍ରଶାସନର ଏକ ସ୍ପଷ୍ଟ ସାର୍ବଜନୀନ ବିବୃତ୍ତି ଏପର୍ଯ୍ୟନ୍ତ ବାକି ଅଛି, ଯାହା ପ୍ରକାଶ କରିବ ଯେ କିଏ ଏବଂ କେଉଁ ପରିସ୍ଥିତିରେ ଏହି ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଥିଲା।

ମସ୍କଙ୍କୁ ଘେରିଲେ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ

ଏହି ଘଟଣାକୁ ନେଇ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରାଡୋସ୍ଲା ସିକୋର୍ସ୍କି ମଧ୍ୟ ଏଲୋନ୍ ମସ୍କଙ୍କୁ ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ମସ୍କଙ୍କୁ ସମ୍ବୋଧିତ କରି ସେ ପ୍ରଶ୍ନ କରିଛନ୍ତି ଯେ, ମସ୍କ ପୁଣି ଥରେ ନିଜ ଉତ୍ପାଦକୁ ରାଜନୀତି ସହ ଯୋଡ଼ୁଛନ୍ତି କି? ଏଥିସହ ୟୁରୋପରେ ତାଙ୍କ ଗ୍ରାହକମାନେ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ପାଇଁ ଷ୍ଟାରଲିଙ୍କ ସବସ୍କ୍ରିପସନ୍‌ ବା ସେବା ଶୁଳ୍କ ପୋଲାଣ୍ଡ ବହନ କରୁଛି। ତେଣୁ ଏହି ସେବାର ଉପଲବ୍ଧତା କିମ୍ବା ସର୍ତ୍ତରେ ପରିବର୍ତ୍ତନ ହେଲେ ତାହା ୟୁକ୍ରେନ୍‌ର ସୁରକ୍ଷା ଓ ସାମରିକ ଯୋଗାଯୋଗକୁ ପ୍ରଭାବିତ କରିପାରେ ବୋଲି ଚିନ୍ତା ବଢ଼ିଛି।

ବିଦେଶୀ କମ୍ପାନୀ ଉପରେ ନିର୍ଭରଶୀଳତାକୁ ନେଇ ଚିନ୍ତା

ଷ୍ଟାରଲିଙ୍କକୁ ନେଇ ଉପୁଜିଥିବା ବିବାଦ କେବଳ ୟୁକ୍ରେନ୍‌ ଓ ଏଲୋନ୍ ମସ୍କଙ୍କ ମଧ୍ୟରେ ସୀମିତ ନାହିଁ। ଏହା ୟୁରୋପର ପ୍ରଯୁକ୍ତିଗତ ସ୍ୱାଧୀନତା ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା ପାଇଁ ବିଦେଶୀ ଘରୋଇ କମ୍ପାନୀ ଉପରେ ନିର୍ଭରଶୀଳତାକୁ ନେଇ ନୂଆ ଆଲୋଚନା ସୃଷ୍ଟି କରିଛି।

ଅନ୍ୟପକ୍ଷରେ, ମସ୍କଙ୍କ ସମର୍ଥକମାନେ ଯୁକ୍ତି ଦେଉଛନ୍ତି ଯେ ସ୍ପେସ୍‌ଏକ୍ସ ଏକ ଘରୋଇ କମ୍ପାନୀ ହୋଇଥିବାରୁ ଏହାର ପ୍ରଯୁକ୍ତିବିଦ୍ୟା କିପରି ଓ କେଉଁ ସର୍ତ୍ତରେ ବ୍ୟବହାର ହେବ, ସେନେଇ ନିଜସ୍ୱ ନିୟମ ନିର୍ଦ୍ଧାରଣ କରିବାର ଅଧିକାର ରହିଛି।

ରୁଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନ୍‌ର ଯୋଗାଯୋଗ ବ୍ୟବସ୍ଥାକୁ ସଚଳ ରଖିବାରେ ଷ୍ଟାରଲିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କଥା ମଧ୍ୟ ଏହି ସମର୍ଥକମାନେ ଉଲ୍ଲେଖ କରୁଛନ୍ତି। ତେବେ ଯୁଦ୍ଧ ସମୟରେ ଯୋଗାଯୋଗ ବ୍ୟବସ୍ଥାର ନିୟନ୍ତ୍ରଣ ଏକ ଘରୋଇ କମ୍ପାନୀ ହାତରେ ରହିବା କେତେ ସୁରକ୍ଷିତ, ତାହା ଏବେ ଅନ୍ତର୍ଜାତୀୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇ ଉଭା ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।