ଫ୍ଲାଏ ଦୁବାଇ ଫ୍ଲାଇଟରେ ଭାରତୀୟ ପାଇଲଟଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ NIA

Oct 10, 2026 - 19:15
ଫ୍ଲାଏ ଦୁବାଇ ଫ୍ଲାଇଟରେ ଭାରତୀୟ ପାଇଲଟଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ NIA

ଫ୍ଲାଏ ଦୁବାଇ ଫ୍ଲାଇଟରେ ଭାରତୀୟ ପାଇଲଟଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ NIA

ନନ୍ଦିଘୋଷ ବ୍ୟୁରୋ: ଫ୍ଲାଏ ଦୁବାଇ ବିମାନରେ ଭାରତୀୟ ପାଇଲଟ କ୍ୟାପଟେନ୍ ସ୍ମିଥ ମଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରିବ NIA । କେନ୍ଦ୍ର ସରକାର ମାମଲା ରୁଜୁ କରି ପୂରା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓମାନୀ ଫାଷ୍ଟ ଅଫିସର ବିମାନକୁ ହାଇଜାକ କରିବା କିମ୍ବା କ୍ରାସ କରିବାକୁ ଉଦ୍ୟମ କରିବା ବେଳେ ସ୍ମିଥଙ୍କୁ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ସକାଳ ୭ଟା ୫ରେ ବିମାନଟି ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏଥିରେ ୧୭୪ ଯାତ୍ରୀ ଏବଂ ୬ କ୍ରୁ ସଦସ୍ୟ ଥିଲେ । ଭାରତୀୟ ପାଇଲଟ ସ୍ମିଥ ଏବଂ ଅଭିଯୁକ୍ତ ଅଫିସର ବିମାନ ଉଡାଉ ଥିଲେ । ସମୟ ସକାଳ ପ୍ରାୟ ୯ଟା ୨୧ରେ ଜୋର୍ଡନ ଓ ସାଉଦୀ ଅରବ ସୀମାରେ ବିମାନଟି ହଠାତ ଦ୍ରୁତଗତିରେ ତଳକୁ ଖସିବାକୁ ଲାଗିବା ସହ ସାଉଦୀ ବାୟୁ ସୀମା ଆଡକୁ ମୋଡି ଯାଇଥିଲା ।

ଯାତ୍ରୀଙ୍କ ଅନୁସାରେ ଏହି ସମୟରେ ଓମାନୀ ଫାଷ୍ଟ ଅଫିସର କ୍ୟାପଟେନ ସ୍ମିଥଙ୍କୁ ଆକ୍ରମଣ କରିଥିଲେ । ସେ ବିମାନକୁ ଅପହରଣ କିମ୍ବା କ୍ରାଶ କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ବିମାନ ଯାତ୍ରୀ ଏବଂ କ୍ରୁ ମେମ୍ବର ଏକାଠି ହୋଇ ଅଭିଯୁକ୍ତ ଅଫିସରଙ୍କୁ କାବୁ କରିଥିଲେ । ତେବେ ତାଙ୍କ ଆକ୍ରମଣରେ ସ୍ମିଥଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଏହାପରେ ବିମାନରେ ଥିବା କୋ-ପାଇଲଟ ବିମାନକୁ ନିୟନ୍ତ୍ରଣ କରିବା ସହ ସୁରକ୍ଷିତ ଭାବେ ସାଉଦୀର ତବୁକ ସହର ସ୍ଥିତ ପ୍ରିନ୍ସ ସୁଲତାନ ବି ଅବଦୁଲ୍ଲାଜିଜ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲେ । ଏହାପରେ ଅଭିଯୁକ୍ତ ଅଫିସରଙ୍କୁ ସାଉଦୀ ଅଧିକାରୀ ଗିରଫ କରିଥିଲେ ।

ଏବେ କେନ୍ଦ୍ର ସରକାର ଏହାର ଯାଞ୍ଚ NIAକୁ ଦେଇଛି । କେନ୍ଦ୍ର ସରକାରଙ୍କ ଅନୁସାରେ ଏହି ମାମଲାରେ ଆଣ୍ଟି ହାଇଜାକିଂ ଆକ୍ଟ ୨୦୧୬ର ଧାରା ୩ ଓ ଅବୈଧ କାର୍ଯ୍ୟକଳାପ ଅଧିନୟମ, ୧୯୬୭ର ଧାରା ୧୬ ଏବଂ ଧାରା ୧୫(୧)(a) ଆଧାରରେ ଅପରାଧ ହେଉଛି । ଏହା ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଅଧିନୟମ ୨୦୦୮ ଅନୁସାରେ ନିର୍ଦ୍ଧାରିତ ଅପରାଧରେ ସାମିଲ । ମାମଲାର ଗମ୍ଭୀରତା, ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପ୍ରଭାବ ଏବଂ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବା ଉଦ୍ଦେଶ୍ୟରେ NIAକୁ ଦାୟିତ୍ବ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।