ବନ୍ୟାରେ ଉଜୁଡ଼ିଲା ଚାଷ, ଚିନ୍ତାରେ ଚାଷୀ

Oct 02, 2026 - 17:46
ବନ୍ୟାରେ ଉଜୁଡ଼ିଲା ଚାଷ, ଚିନ୍ତାରେ ଚାଷୀ

ନୟାଗଡ଼: ଦୁଃଖ ଦେଇଗଲା ବନ୍ୟା । ବର୍ଷକର ଫସଲ ଧୋଇ ନେଇଛି ବନ୍ୟାପାଣି । ଉଜୁଡ଼ା କ୍ଷେତକୁ ଦେଖି ଭାଙ୍ଗି ପଡ଼ିଛି ଚାଷୀ । ଏକର ଏକର ଚାଷ ଜମିରେ ଲହଡି ମାରୁଛି ବନ୍ୟାଜଳ। ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ୪ ଚାରିଟି ବନ୍ୟା। ପାଣି ଭିତରେ ବୁଡ଼ିଛି ଧାନ ଓ ପରିବା କିଆରି। ଚିନ୍ତାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ, ମଣିପୁର ଏବଂ କରବର ପଞ୍ଚାୟତର ମାଣିତ୍ରୀ ଗାଁର ଚାଷୀ। କାକୁଡ଼ି, ଭେଣ୍ଡି, ପୋଟଳ, ଜହ୍ନି ଭଳି ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଶେଷ କରି ଧାନ ଗଛ ଥୋଡ଼ ଧରିବା ସମୟରେ ପାଣି ମାଡ଼ି ଯିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ସେପଟେ ଖଣ୍ଡପଡ଼ା ବ୍ଲକ ବିରିଡିହି ଗାଁରେ ମଧ୍ୟ ବନ୍ୟାପାଣି ପଶି ଧାନ ସହ ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏପଟେ ଫସଲ କ୍ଷତି, ସେପଟେ ଋଣ ଚିନ୍ତା । ଚାଷ ପାଇଁ ବିହନ, ସାର, ଔଷଧ ଓ ମଜୁରୀ ବାବଦରେ ଟଙ୍କା ଖର୍ଚ୍ଚ କରିଥିଲେ ଚାଷୀ । ଅମଳ ପରେ ଉତ୍ପାଦ ବିକ୍ରି କରି ଖର୍ଚ୍ଚ ଭରଣା ସହ ଧାରକରଜ ସୁଝିଥାନ୍ତେ ।ହେଲେ ବନ୍ୟା ସବୁ ଆଶା ଧୋଇନେଇଛି । ପ୍ରଶାସନ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।