ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡକୁ ଯିବା ସହ ଲୋକଙ୍କ ସହ ଆଲୋଚନା କରିବେ ନବୀନ
ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡକୁ ଯିବା ସହ ଲୋକଙ୍କ ସହ ଆଲୋଚନା କରିବେ ନବୀନ
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ ତାରିଖରେ ଜିଲ୍ଲା ଗସ୍ତ କରିବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଯାଇ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସେମାନଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତି ସମ୍ପର୍କରେ କରିବେ ସିଧାସଳଖ ଆଲୋଚନା । ସେପଟେ ପୂର୍ବ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ବିଜେପି ସରକାର ଆପଣାଇବାକୁ କଂଗ୍ରେସ ଦେଲା ପରାମର୍ଶ ।
ଉଜୁଡ଼ି ଯାଇଛି ଗଞ୍ଚାମ, ଦୁଃଖରେ ବନ୍ୟା ବିପନ୍ନ । କାହାର ଘର ଭାଙ୍ଗିଯାଇଛି ତ କାହାର ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି । ସରକାରୀ ସହାୟତା ବି ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚୁନି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ଟିମ୍ ଜିଲ୍ଲା ଗସ୍ତ କରି ବନ୍ୟାର ସ୍ଥିତିର ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ ଖୋଦ ନବୀନ । ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ ତାରିଖରେ ଜିଲ୍ଲା ଗସ୍ତ କରିବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଆଦି ଚାରିଟି ଅଞ୍ଚଳ ପରିଦର୍ଶନ କରିବେ ନବୀନ । ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସେମାନଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତି ସମ୍ପର୍କରେ ସିଧାସଳଖ ହେବେ ଅବଗତ । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ବନ୍ୟା ପରିଚାଳନାରେ ସରକାର ବିଫଳ ହୋଇଛନ୍ତି । ଲୋକଙ୍କ ପାଖରେ ରିଲିଫ ପହଞ୍ଚି ପାରୁନାହିଁ ।
ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଗସ୍ତକୁ ନେଇ ସରଗରମ ରାଜ୍ୟ ରାଜନୀତି । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ପୂର୍ବ ସରକାର ବନ୍ୟାର ମୁକାବିଲାକୁ ବର୍ତ୍ତମାନ ସରକାର ଷ୍ଟଡି କରିଛନ୍ତି କି ନାହିଁ, ତାହା ଅନୁଧ୍ୟାନ କରାଯାଉ । ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଯିବେ ଓ ଗଞ୍ଜାମ ବୁଲିବେ ତାହା ଭଲ କଥା । ବିଜେଡି ସରକାରର ୨୪ ବର୍ଷର ଶାସନ ସମୟରେ କିଭଳି ବନ୍ୟା ଓ ବାତ୍ୟା ମୁକାବିଲା ହେଉଥିଲା ? ପୂର୍ବ ପ୍ରସ୍ତୁତି କିଭଳି ଥିଲା, ସେମାନେ କେଉଁ ଷ୍ଟଡି କରୁଥିଲେ ଏବଂ ବର୍ତ୍ତମାନ ସରକାର ତାହାକୁ ଅନୁପାଳନ କରିଥିଲେ କି ନାହିଁ ସେ ସମ୍ପର୍କରେ ମଧ୍ୟ ନବୀନ ବାବୁ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ପିସିସି ସଭାପତି କହିଛନ୍ତି । ବିପନ୍ନଙ୍କୁ ରିଲିଫ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ତେଣୁ ଶ୍ବେତପତ୍ର ଜାରି କରିବାକୁ ଓଡିଶା ଜନତା କଂଗ୍ରେସ ଦାବି କରିଛି । ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି ।
ନବୀନଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ବାତ୍ୟା ହେଉ କି ବନ୍ୟା, ଓଡିଶାବାସୀଙ୍କ ସୁଖ ଦୁଃଖର ସାଥି ହୋଇ ନବୀନ ପଟ୍ଟନାୟକ ସବୁବେଳେ ଛିଡାହୋଇଛନ୍ତି । ନବୀନ ବିପର୍ଯ୍ୟୟ ମୁକାବିଲା ମଡେଲ ଦେଶ, ବିଦେଶରେ ଚର୍ଚ୍ଚାରେ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।