ବିଜେପି ବିଧାୟକଙ୍କ ବିରୋଧରେ ମହାମେଳି, ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଦଳୀୟ କନ୍ଦଳ
ଦିଗପହଣ୍ଡି : ବିଜେପି ବିଧାୟକଙ୍କ ବିରୋଧରେ ମହାମେଳୀ। ଦାଣ୍ଡରେ ପଡି ହାଟରେ ଗଡିଲା ଦଳୀୟ କନ୍ଦଳ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିରୋଧ। ସିଦ୍ଧାନ୍ତଙ୍କ ବିରୋଧରେ ବିଷ ଓଗାଳିଲେ ଖୋଦ୍ ବିଜେପିର ବରିଷ୍ଠ ନେତା ଓ କର୍ମୀ । ଅଢ଼େଇ ବର୍ଷ ଧରି ନିଜର ମନମାନୀ ଶାସନ କରୁଛନ୍ତି ବିଧାୟକ ।ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ଅଣଦେଖା କରୁଛନ୍ତି । ବିଭିନ୍ନ ଯୋଜନାକୁ କିଛି ଟଙ୍କାରେ ଠିକାଦାର ହାତରେ ବିକ୍ରୀ କରୁଛନ୍ତି ବିଧାୟକ । ଏଭଳି କିଛି ସଙ୍ଗୀନ ଅଭିଯୋଗ ଶୁଣିବାକୁ ମିଳିଛି ମହୁରୀ କାଳୁଆ ପୀଠରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ । ଏହିଠାରେ ସିଦ୍ଧାନ୍ତଙ୍କ ବିରୋଧରେ ମେଳି କରିଥିଲେ ବିଜେପି ନେତା ଓ କର୍ମୀ । ବିଜେପିର ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା, କର୍ମୀ, ସରପଞ୍ଚ ଓ ସମିତି ସଭ୍ୟ ଏହି ମେଳିରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ବରିଷ୍ଠ ବିଜେପି ନେତା ଓ କର୍ମୀ ନିଜର ଅସନ୍ତୋଷ ଜାହିର କରିଥିଲେ । ବୈଠକ ଚାଲିଥିବା ବେଳେ ଏଥିରେ ଯୋଗ ଦେଇଥିଲେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ । ସିଦ୍ଧାନ୍ତଙ୍କ ଉପରେ ଅସନ୍ତୋଷ ଜାହିର କରିଥିବା ନେତା ଓ କର୍ମୀଙ୍କୁ ବୁଝାସୁଝା କରିଥିଲେ । ସେପଟେ ସିଦ୍ଧାନ୍ତଙ୍କ ପ୍ରତି ବିଜେପି ନେତା ଓ କର୍ମୀଙ୍କ କିଛି ଅଭିଯୋଗ ରହିଛି, ଯାହାକୁ ଖୁବଶୀଘ୍ର ସମାଧାନ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ବିଜେପିର ଏଭଳି ସାଂଗଠନିକ ସ୍ଥିତି ଦଳକୁ ଅଡୁଆରେ ପକାଇବା ସହ ଶୀର୍ଷ ନେତୃତ୍ବଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।