ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଘରେ ଗଢ଼ା ଚାଲିଛି ପିଲାଙ୍କ ଭବିଷ୍ୟତ
ବିଞ୍ଝାରପୁର : ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଘରେ ଗଢ଼ା ଚାଲିଛି ପିଲାଙ୍କ ଭବିଷ୍ୟତ । ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯାଜପୁର ବିଞ୍ଝାରପୁରରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଅଜିମାବାଦ ପ୍ରାଥମିକ ବିଦ୍ୟାଳୟର ନାହିଁ ନିଜସ୍ବ ଗୃହ। କେତେବେଳେ କାହା ବାରଣ୍ଡା ତ ପୁଣି କେତେବେଳେ ଭଙ୍ଗା ଡାକବଙ୍ଗଳାରେ ପାଠ ପଢୁଛନ୍ତି ପିଲା । ଏଠାରେ ଶିଶୁ ବଟିକା ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ଗୃହ ନଥିବାରୁ ନାହିଁନଥିବା ହଇରାଣ ହେଉଛନ୍ତି । ଗୋଟିଏ ଆଜବେଷ୍ଟସ ଘରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନ, ଅଫିସ କାର୍ଯ୍ୟ ମଧ୍ୟ କରାଯାଉଛି ।
ଖରସ୍ରୋତା ନଦୀ ନିକଟ କାଣ୍ଡିଆରେ ୧୯୮୯ ମସିହାରେ ନିର୍ମାଣ ହୋଇଥିଲା ସ୍କୁଲ। ୧୯୯୯ ମହାବାତ୍ୟାରେ ଖରସ୍ରୋତା ନଦୀ ଗର୍ଭରେ ଲୀନ ହେବା ପରେ ଜଳସମ୍ପଦ ବିଭାଗର ଏକ ପୁରୁଣା ଡ଼ାକବଙ୍ଗଳାରେ ଚାଲିଛି ସ୍କୁଲ। ପୁରୁଣା ନୂଆଣିଆ ଆଜବେଷ୍ଟସ ଘରେ ବିପଦ ସଂକୁଳ ଅବସ୍ଥାରେ ପଢ଼ୁଛନ୍ତି କୁନି କୁନି ପିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇନଥିବାରୁ ସ୍କୁଲ ଗୃହ ମଧ୍ୟ ନିର୍ମାଣ ହୋଇପାରିନାହିଁ । ସେପଟେ ଯଥାଶୀଘ୍ର ଜାଗା ଚି଼ହ୍ନଟ କରାଯାଇ ସ୍କୁଲ ଗୃହ ନିର୍ମାଣ କରାଯିବ ବୋଲି ବିଇଓ କହିଛନ୍ତି |
ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ନିର୍ମାଣ ସହ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।