ବିହାରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି

Sep 12, 2026 - 12:45
ବିହାରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ :ନଦୀ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ବିହାରର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି । ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ ୧୪ଟି ଜିଲ୍ଲାର ପ୍ରାୟ ୪୪ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଗଙ୍ଗା, ପୁନପୁନ୍, ଶୋନ୍, କୋଶୀ ଏବଂ ଅନ୍ୟାନ୍ୟ ପ୍ରମୁଖ ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଛି । ତଥାପି, ଅନେକ ନଦୀ ଏବେ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗ ଅନୁଯାୟୀ, ପାଟନାରେ ଗଙ୍ଗା ନଦୀର ଜଳସ୍ତର ହ୍ରାସ ପାଇଛି । ୧୪ଟି ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି । ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବର୍ତ୍ତମାନ ୯୬୧ଟି  କମ୍ୟୁନିଟି କିଚେନ ଏବଂ ୧୫ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟ କରୁଛି । ଏହି ସମୟରେ, ଭାଗଲପୁର ଜିଲ୍ଲାର ବାଇପାସ୍ ଥାନା ଅନ୍ତର୍ଗତ କୋଇଲି ଖୁଟାହା ଗ୍ରାମରେ ରାସ୍ତା କଡ଼ରେ ଜମି ରହିଥିବା ବନ୍ୟାଜଳରେ ବୁଡ଼ି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ବିହାର ବିପର୍ଯ୍ୟୟ ପରିଚାଳନା ବିଭାଗର ସର୍ବଶେଷ ତଥ୍ୟ ଅନୁଯାୟୀ, ୧୫ଟି ଜିଲ୍ଲାର ୮୮ଟି ବ୍ଲକ୍ ଏବଂ ୫୬୧ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୪୬.୮୮ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲା ପାଟନା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କଟିହାର, ଲଖିସରାଇ, ଖଗଡ଼ିଆ, ପୂର୍ଣ୍ଣିଆ, ମାଧେପୁରା ଏବଂ ଆରାରିଆ । ଭାଗଲପୁର, ପାଟନା, ସାରଣ, ବୈଶାଳୀ, ବେଗୁସରାଇ, କଟିହାର, ପୂର୍ଣ୍ଣିଆ ଏବଂ ବକ୍ସର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି । ଗଙ୍ଗା, କୋଶୀ, ଗଣ୍ଡକ ଏବଂ ଅନ୍ୟାନ୍ୟ ନଦୀ ବିପଦ ସଙ୍କେତ ଉପରେ ରହିଛି । ଜଳସ୍ତର କ୍ରମାଗତ ଭାବେ ଅଧିକ ରହିଥିବାରୁ ନିମ୍ନ ଅଞ୍ଚଳ ଏବଂ ନଦୀକୂଳବର୍ତ୍ତୀ ଅନେକ ଅଞ୍ଚଳ ପୁନର୍ବାର ବନ୍ୟା ଆଶଙ୍କା ମଧ୍ୟରେ ରହିଛି ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।