ଭାରତର ସୁରକ୍ଷା ପାଇଁ ବିପଦ ମସ୍କଙ୍କ ‘ଷ୍ଟାରଲିଙ୍କ୍’ !
ନନ୍ଦିଘୋଷ ବ୍ୟୁରୋ: ଆମେରିକାର ନାମକରା ଶିଳ୍ପପତି ଏଲନ୍ ମସ୍କ, ଯିଏ ନିଜ ବିବାଦୀୟ ବୟାନ ପାଇଁ ବେଶ୍ ଜଣାଶୁଣା । ହେଲେ ଏଥର ସେ ଏଭଳି ଆରୋପ ଲଗାଇଛନ୍ତି, ଯାହାର ଗମ୍ଭୀରତା ବିଷୟରେ ନିଜେ ମସ୍କ ବି ଜାଣି ନାହାନ୍ତି । ପ୍ରକୃତରେ କଥା ହେଉଛି, ମସ୍କଙ୍କର ସାଟେଲାଇଟ୍-ଭିତ୍ତିକ ଇଣ୍ଟରନେଟ୍ ପ୍ରୋଭାଇଡର୍ କମ୍ପାନୀ ଷ୍ଟାରଲିଙ୍କ୍ କୁ ଭାରତରେ ଅପରେଟ୍ କରିବା ପାଇଁ ସିକ୍ୟୁରିଟି କ୍ଲିଅରାନ୍ସ ମିଳି ପାରିନାହିଁ । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସାଟେଲାଇଟ୍-ଭିତ୍ତିକ କମ୍ପାନୀ ଷ୍ଠାରଲିଙ୍କ୍ କୁ ଏପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇନାହିଁ । ଯାହାକୁ ନେଇ ଏବେ ରାଗ ଜର୍ଜରିତ ହୋଇଯାଇଛନ୍ତି ଏଲନ୍ ମସ୍କ । ସେ ଦାବି କରିଛନ୍ତି ଯେ, ତାଙ୍କ କମ୍ପାନୀ ସମସ୍ତ ଔପଚାରିକତା ପୂରଣ କରିଛି, ତଥାପି ତାକୁ ଏପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମିଳିନାହିଁ । ହେଲେ ଏଲନ୍ ମସ୍କ ହୁଏତ ଭୁଲିଯାଉଛନ୍ତି ଯେ,ଯେକୌଣସି ଦେଶ ପାଇଁ ତାର ଜାତୀୟ ସୁରକ୍ଷା ସର୍ବୋପରି । ଆଉ ଷ୍ଟାରଲିଙ୍କ କୌଣସି ବି ଦେଶର ଜାତୀୟ ସୁରକ୍ଷା ପାଇଁ କେତେ ଯେ ବିପଦପୁର୍ଣ୍ଣ ତାହା ଋଷ-ୟୁକ୍ରେନ୍ ଯୁଦ୍ଧରୁ ପ୍ରମାଣିତ ହୋଇସାରିଛି । ଏହାବ୍ୟତୀତ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ ନିକଟରେ ଏଭଳି ଘଟଣା ଘଟିଛି ଯାହାକୁ କୌଣସି ମୂଲ୍ୟରେ ବି ଅଣଦେଖା କରାଯାଇପାରିବ ନାହିଁ ।
ଯଦି ଦେଖିବା ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା, ଷ୍ଟାରଲିଙ୍କ ଲାଇେସନ୍ସ ଏବଂ ଭିତ୍ତିଭୂମି ପ୍ରସ୍ତୁତ ଥିବା ସତ୍ତ୍ବେ ଭାରତରେ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ପାଇନାହିଁ । କାରଣ ସୁରକ୍ଷା ସମ୍ବନ୍ଧୀୟ ମଞ୍ଜୁରୀକୁ ଷ୍ଟାରଲିଙ୍କର ପଥରେ ସବୁଠାରୁ ବଡ ପ୍ରତିବନ୍ଧକ ଭାବେ ବିବେଚନା କରାଯାଉଛି । କାହିଁକି ନା, ପ୍ରାୟ ଦୁଇ ବର୍ଷ ପୂର୍ବରୁ ଜିଓ ଷ୍ଟାରଲିଙ୍କକୁ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ନିଲାମ ବ୍ୟବସ୍ଥାକୁ ସମର୍ଥନ କରିଥିଲା । ଏୟାରଟେଲ୍ ମଧ୍ୟ ଏହାର ସପକ୍ଷରେ ଥିଲା, କିନ୍ତୁ ସରକାର ସାଟେଲାଇଟ୍ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ଭିନ୍ନ ରାସ୍ତା ଆପଣାଇଥିଲେ । ତେବେ ଭାରତ ପାଇଁ ଉତ୍ତର-ପୂର୍ବ, କାଶ୍ମୀର ଏବଂ ସାମୁଦ୍ରିକ ତସ୍କରି ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଯୋଗୁଁ ସାଟେଲାଇଟ୍ ଯୋଗାଯୋଗ ଉପରେ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରକୃତ ପ୍ରଶ୍ନ ହେଉଛି ଭାରତର ସଂଚାର ବ୍ୟବସ୍ଥାର ନିୟନ୍ତ୍ରଣ କାହା ହାତରେ ରହିବ- କୌଣସି ବିଦେଶୀ ବ୍ୟବସାୟ ନା ଭାରତୀୟ ସୁରକ୍ଷା ନିୟମ ହାତରେ ? ତେଣୁ ସମସ୍ତ କଥାକୁ ଦୃଷ୍ଟିରେ ରଖି ଭାରତ ଏଥିରେ ଟିକେ ପଛଘୁଞ୍ଚା ଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।