ମାଙ୍ଗାଲୁରୁ MRPL ରିଫାଇନାରୀରେ ବଡ଼ ବିସ୍ଫୋରଣ !

Sep 30, 2026 - 14:56
ମାଙ୍ଗାଲୁରୁ MRPL ରିଫାଇନାରୀରେ ବଡ଼ ବିସ୍ଫୋରଣ !

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକର ମାଙ୍ଗାଲୁରୁସ୍ଥିତ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ୍ ପେଟ୍ରୋକେମିକାଲ୍ସ ଲିମିଟେଡ୍ (MRPL) ପରିସରରେ ବୁଧବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଜୋକାଟ୍ଟେ ଅଞ୍ଚଳ ନିକଟରେ ଥିବା ରିଫାଇନାରୀରେ ଘଟିଥିବା ଏହି ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିବା ବେଳେ ପାନାମ୍ବୁର, କାଭୁର, ସୁରଥକାଲ ଓ ଜୋକାଟ୍ଟେ ଅଞ୍ଚଳର ଅନେକ ସ୍ଥାନରେ ଘରଦ୍ୱାର କମ୍ପିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିସ୍ଫୋରଣ ପରେ ରିଫାଇନାରୀ ପରିସରରୁ ଘନ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।

ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF)ର ଦଳକୁ MRPL ପରିସରକୁ ପଠାଯାଇଥିଲା। ନିଆଁ ନିୟନ୍ତ୍ରଣ ଓ ଉଦ୍ଧାର କାର୍ଯ୍ୟ ପାଇଁ ପାଞ୍ଚଟି ଅଗ୍ନିଶମ ବାହିନୀ ଗାଡ଼ି ମୁତୟନ କରାଯାଇଥିବା ସୂଚନା ମିଳିଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ପରିସରରେ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଛି। ଘଟଣାସ୍ଥଳରେ ମାଙ୍ଗାଲୁରୁ ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣ ରିଫାଇନାରୀର କେଉଁ ୟୁନିଟ୍‌ରେ ଘଟିଛି ଏବଂ ଏହାର ପ୍ରକୃତ କାରଣ କ’ଣ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣାରେ କେତେ ଜଣ ଆହତ ହୋଇଛନ୍ତି କିମ୍ବା କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହା ନେଇ ମଧ୍ୟ ଅଧିକାରିକ ଭାବେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇନାହିଁ। ଘଟଣାର ପ୍ରକୃତ କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।