ମାଡ଼ି ଆସୁଛି ମହାବିପଦ
ଭୁବନେଶ୍ବର : ମାଡ଼ି ଆସୁଛି ମହାବିପଦ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀରେ ପିକରେ ରହିବ ପ୍ରଦୂଷଣ। ସ୍କାନରରେ ଭୁବନେଶ୍ବର, କଟକ, କଳିଙ୍ଗନଗର, ରାଉରକେଲା, ଝାରସୁଗୁଡ଼ା, ତାଳଚେର ଓ ଅନୁଗୁଳ । ଏହି ତିନି ମାସ ତାପମାତ୍ରା ପ୍ରତିଲୋମନ ପାଇଁ ଧୂଳି ତଳେ ରହି ପ୍ରଦୂଷଣ ବଢ଼ାଇ ଥାଏ । ଯେଉଁଥିପାଇଁ ଏହି ସାତ ସହରକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଛି ମାର୍ଗଦର୍ଶିକା । ପ୍ରଦୂଷଣ ଯୋଗୁଁ ବୟସ୍କ ଓ ଛୁଆଙ୍କୁ ନିଃଶ୍ବାସ ନେବାରେ ଅସୁବିଧା ହେବ । ତେଣୁ ମାସ୍କ ପିନ୍ଧିବାକୁ ଦିଆଯାଇଛି ପରାମର୍ଶ । ସହର ଭିତରକୁ ଡିଜେଲ ଗାଡିର ପ୍ରବେଶ ଉପରେ ରହିବ କଟକଣା । ଗାଡ଼ି ଗୁଡ଼ିକର PUC ଯାଞ୍ଚ ହେବ କଡ଼ାକଡ଼ି । ମେକାନିକାଲ ସୁଇପିଙ୍ଗ ମେସିନ ଜରିଆରେ ସଫେଇ କାର୍ଯ୍ୟକ୍ରମ କରାଯିବ । ହୋଟେଲରେ କୋଇଲା ବ୍ୟବହାର ହେବ ବାରଣ । ପ୍ରତି ତିନି ଘଣ୍ଟାରେ ସମ୍ବେଦନଶୀଳ ଅଞ୍ଚଳରେ ହେବ ଜଳ ସିଞ୍ଚନ । ଗତ ବର୍ଷ ଏହି ସବୁ ସହର ପ୍ରଦୂଷଣ ମାତ୍ରାରେ ଦିଲ୍ଲୀକୁ ଟପି ଯାଇଥିବାରୁ ପ୍ରାକ ପ୍ରସ୍ତୁତି ଭାବେ ଏହି ସବୁ ପଦକ୍ଷେପ ନିଆଯାଇଛି । ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଗୁରୁତର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିବେଚନା କରିଥାଏ । ଗତ ଦୀପାବଳି ସମୟରୁ ଲଗାତାର ଭାବେ ଭୁବନେଶ୍ବର ଓ କଟକର ପ୍ରଦୂଷଣ ମାତ୍ରା ଦିଲ୍ଲୀ ସହ ସମାନ ଚାଲିବାରୁ ଚିନ୍ତା ବଢିଥିଲା । ଆଗକୁ ବି ଦୀପାବଳି ଆସୁଛି । ଯେତେ କଟକଣା ଲଗାଇଲେ ବି ଗ୍ରୀନ କ୍ରାକର ବଦଳରେ ପ୍ରଦୂଷଣ କରୁଥିବା ବାଣ ଫୁଟାଇବେ ଲୋକ । ଯାହା ବିପଦ ଆହୁରି ବଢାଇ ପାରେ ।
ଶିଳ୍ପ ସଂସ୍ଥାରୁ ନିର୍ଗତ ବିଷାକ୍ତ ଗ୍ୟାସ ସହ ସହରର ପରିମଳ ବ୍ୟବସ୍ଥା ମଧ୍ୟ ପ୍ରଦୂଷଣ ବଢ଼ାଇବାରେ ସହାୟକ ହେଉଛି । ହେଲେ ନିର୍ମାଣ କାର୍ଯ୍ୟ ଓ ଖଣି ଖନନ କାର୍ଯ୍ୟ ବି ପ୍ରଦୂଷଣ ବୃଦ୍ଧିର କାରଣ ପାଲଟିଛି । କମ୍ପାନୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ପ୍ରଦୂଷଣ କମିବା ବଦଳରେ ବଢି ଚାଲିଛି । ଗତ ବର୍ଷ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବାରିପଦା ଯେବେ ଦିଲ୍ଲୀକୁ ପ୍ରଦୂଷଣରେ ଟପିଲା, ତାହା ଚିନ୍ତା ବଢାଇ ଦେଇଥିଲା । ସେ ସମୟରେ ବାରପଦା ସହରରେ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ୫ ଏକରର ଜମିର ୧୭୮୯ ଗଛ କଟା ଯାଇଥିଲା । ପରିବେଶକୁ ଦୃଷ୍ଟିରେ ରଖି ଏହାକୁ ସ୍ଥାନୀୟ ଲୋକ ବିରୋଧ ବି କରିଥିଲେ । ହେଲେ ଗଛ କଟା ହେଲା । ସେପଟେ ଏହାର ଏକ ସପ୍ତାହ ଭିତରେ ବାରିପଦା ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଉଠିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।