ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା; ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ
ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ଦିନକୁ ଦିନ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ହତ୍ୟା, ମହିଳା ନିର୍ଯାତନା, ହାଜତ ମୃତ୍ୟୁ ଏବଂ ଦୁଷ୍କର୍ମ ଭଳି ସଂଗୀନ ଅପରାଧ ବଢ଼ିଚାଲିଥିବା ବେଳେ ରାଜ୍ୟରେ ଧନଜୀବନ ଅସୁରକ୍ଷିତ ହୋଇପଡ଼ିଛି। ତଥ୍ୟ ଅନୁସାରେ, ପ୍ରତିଦିନ ଅପରାଧ ଯୋଗୁଁ ୪ ଜଣ ବ୍ୟକ୍ତିଙ୍କ ଜୀବନ ଯାଉଛି। ରାଜ୍ୟର ଏହି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ଏପରି ସ୍ଥିତିକୁ ନେଇ ବିରକ୍ତି ପ୍ରକାଶ କରିବା ସହ ଚିଠି ଲେଖି ଚିନ୍ତା ପ୍ରକଟ କରିଛନ୍ତି।
ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ ଘଟୁଥିବା ବେଳେ ବିରୋଧୀ ସ୍ୱର ଉଠାଇଲେ ସରକାରୀ ଦଳ ଏହାକୁ ରାଜନୀତି ବୋଲି କହି ଏଡ଼ାଇ ଯାଉଛନ୍ତି। ତେବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟର ଆଇନଶୃଙ୍ଖଳା ଉପରେ ରିପୋର୍ଟ ତଲବ କରିବା ଏବଂ କିଛି ଦିନ ପୂର୍ବରୁ ଆମେରିକା ପକ୍ଷରୁ ଆଡଭାଇଜରି ଜାରି ହେବା ଘଟଣାର ଗାମ୍ଭୀର୍ଯ୍ୟକୁ ଦର୍ଶାଉଛି। ସରକାର ସଚେତନ ହେଉ ନଥିବାରୁ ଏବେ ରାଜଧାନୀ ମଧ୍ୟ ଅଶାନ୍ତ ହୋଇପଡ଼ିଛି।
ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ମାତ୍ର ୪ ଦିନ ଭିତରେ ୫ ଜଣଙ୍କୁ ହତ୍ୟା କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟ ସରକାର ତୁରନ୍ତ ଏକ “ଶ୍ୱେତପତ୍ର” ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଆଇନଶୃଙ୍ଖଳା ସ୍ଥିତି ଏପରି ଖରାପ ରହିଲେ ରାଜ୍ୟକୁ ଶିଳ୍ପ ଆସିବ ନାହିଁ କି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ହୋଇପାରିବ ନାହିଁ ବୋଲି ଦଳ ଚେତାବନୀ ଦେଇଛି।
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି ଏବଂ ସରକାରଙ୍କ ଆୟତ୍ତରେ ଆଉ କିଛି ନାହିଁ। ଏହି କଥା ବିରୋଧୀ ବାରମ୍ବାର କହିଆସୁଥିଲେ ସୁଦ୍ଧା ବିଜେପି କେବଳ ରାଜନୀତିର ଆଖ୍ୟା ଦେଉଛି। ତେବେ ବର୍ଦ୍ଧିତ ଅପରାଧ ଓ ସମାଲୋଚନା ଭିତରେ ଶେଷରେ ବିଜେପି ମଧ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।