ଶୀତଳା ମାତା ମନ୍ଦିର ନିକଟରେ ଭୟଙ୍କର ଦୁର୍ଘଟଣା, ୧୫ ମୃତ
ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶ ଗ୍ୱାଲିୟରରେ ଭୟଙ୍କର ଦୁର୍ଘଟଣା । ଶୀତଳା ମାତା ମନ୍ଦିର ନିକଟରେ ଭକ୍ତଙ୍କ ଉପରକୁ ମାଡ଼ିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୯ ଜଣ ଆହତ କୁହାଯାଉଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୧ଟାରେ ଶୀତଳା ମାତା ମନ୍ଦିର ରୋଡ୍ରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ମନ୍ଦିର ବାହାର ପାଚେରିରେ ଧକ୍କା ହୋଇଥିଲା । ଫଳରେ ପାଚେରିଟି ଭୁଶୁଡ଼ି ପଡ଼ିଥିଲା । ପରେ ଟ୍ରକ୍ଟି ରାସ୍ତାରେ ଥିବା ଲୋକଙ୍କୁ ଧକ୍କା ଦେଇଥିଲା । ପାଚେରି ଭାଙ୍ଗି ପଡ଼ିବା ପରେ ମାଟି ଓ ଭଗ୍ନାବଶେଷ ତଳେ ପ୍ରାୟ ୪୦ରୁ ୫୦ ଜଣ ଲୋକ ଫସିରହିଥିଲେ । ଖବର ପାଇ, ତୁରନ୍ତ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଡାକ୍ତରୀ ଟିମ୍ ସେମାନଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର ଓ ଚିକିତ୍ସା ଜାରି ରଖିଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ, ମହିଳାଙ୍କ ସମେତ ଦୁଇ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡ଼ିଛି ।
ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ ଉପରେ ରୋକ୍ ଥିବା ଓ ପୋଲିସ ଚେକ୍ ପୋଷ୍ଟ ଥିବା ସତ୍ତ୍ୱେ ଧାନ ବୋଝେଇ ଟ୍ରକ୍ କିପରି ସେହି ରାସ୍ତାରେ ପ୍ରବେଶ କଲା, ସେନେଇ ଜିଲ୍ଲାପାଳ ରୁଚିକା ଚୌହାନ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।