ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର

Oct 26, 2026 - 20:39
ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର

ନନ୍ଦିଘୋଷ ବ୍ୟୁରୋ: ଅପରାଧର ଅଳିନ୍ଦରେ ଅଣନିଶ୍ୱାସ ପୋଲିସ । ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର । ଅପରାଧୀଙ୍କ ପାଇଁ ଅଲୋଡା ରେକର୍ଡର ଅଧିକାରୀ ଓଡ଼ିଶା । ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉଦବେଗ ପରେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଚିଠି । କେତେବେଳେ ଭିଡ଼ ହିଂସା ତ ଆଉ କେତବେଳେ ଦିନ ଦ୍ୱିପ୍ରହରେ ଦୁଷ୍କର୍ମ । ପୁଣି ଅନ୍ୟ କେତବେଳେ ଜେଲ ହାଜତରେ ନିର୍ଯ୍ୟାତନା । ବିଗତ କିଛି ମାସ ଧରି ଓଡ଼ିଶାରେ ବିଗୁଡୁଥିବା ଆଇନଶୃଙ୍ଖଳା ସ୍ଥିତି ଓ ପୋଲିସର କାର୍ଯ୍ୟଶୈଳୀକୁ ନେଇ ଆସିଥିବା ଅଭିଯୋଗକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ହାଜତରେ ହିଂସା ଓ ତଦନ୍ତକାରୀ ସଂସ୍ଥାର କ୍ଷମତାର ଅପବ୍ୟବହାର ସମ୍ପର୍କିତ ୧୦ଟି ଅଭିଯୋଗପତ୍ର ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସେଣ୍ଟର ଷ୍ଟେଟ ଡିଭିଜନ୍‌ ପକ୍ଷରୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ଏହି ୧୦ଟି ଅଭିଯୋଗପତ୍ର ସଂଲଗ୍ନ କରାଯାଇଥିଲା । ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ କରିବା ସହ ଅଭିଯୋଗକାରୀଙ୍କୁ ଜବାବ ଦେବା ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରଣାଳୟକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଚିଠି ପାଇବା ପରେ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ବିଭାଗ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଅଭିଯୋଗଗୁଡ଼ିକର ତଥ୍ୟ ଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ କୁହାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଚିଠି ଓ ସଂଲଗ୍ନ ଦସ୍ତାବିଜ ଆଧାରରେ ଆବଶ୍ୟକ ପଦକ୍ଷେପ ନେଇ ବିଭାଗକୁ ଅବଗତ କରାଇବାକୁ ମଧ୍ୟ ରାଜ୍ୟ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ଅଭିଯୋଗଗୁଡ଼ିକ ଉପରେ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କିଭଳି ହେଉଛି, ଏବେ ତାହା ଉପରେ ନଜର ରହିଛି । ତେବେ ପୋଲିସ ଅଧିକାଂଶ ସମୟରେ ନିଜ ପଦବୀର ଅପବ୍ୟବହାର କରୁଛି । ନିର୍ଦୋଷଙ୍କୁ ଦୋଷୀ ସଜାଉଛି । ଏପରିକି ଅନେକ କ୍ଷେତ୍ରରେ ରାଜନେତାଙ୍କ ହସ୍ତକ୍ଷେପ ରହୁଥିବାରୁ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା କହିଛନ୍ତି ମାନବାଧିକାର କର୍ମୀ ।

ନ୍ୟାସନ୍ୟାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କହୁଛି, ଭାୟୋଲେଣ୍ଟ କ୍ରାଇମରେ ଓଡ଼ିଶା ସାରା ଦେଶରେ ଆଗରେ ଥିବାବେଳେ କ୍ରାଇମ ଏଗେଂଷ୍ଟ ଓମେନ କେସରେ ଦ୍ୱିତୀୟ ସ୍ଥାନରେ ରହିଛି । ଏଦିଗରେ ସତର୍କ ହେବାର ସମୟ ଆସିଥିବା କହିଛନ୍ତି ବିଶେଷଜ୍ଞ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।