+୨ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି
ନନ୍ଦିଘୋଷ ବ୍ୟରୋ: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରକ୍ରିୟା ଜାରି। ଏଥର ବଢ଼ିବ ପରୀକ୍ଷା ହବ୍ ସଂଖ୍ୟା। ଗତ ବର୍ଷ ୨୧୧ ହବ୍ ଥିଲା, ଏଥର ଆଉ ୩ଟି ହବ୍ ବଢ଼ିବ। ସେହିପରି ଗତବର୍ଷ ୧୩୫୭ ସେଣ୍ଟରରେ ପରୀକ୍ଷା ହୋଇଥିବା ବେଳେ, ଏଥର ଆଉ ଅଧିକ ୬୦ଟି ସେଣ୍ଟର କରାଯିବ। ଖାଲି ସେତିକି ନୁହେଁ ଯେଉଁଠି ସେଣ୍ଟର ହୋଇଥିଲା, ସେଠାରେ ଲାଗିଥିବା ସିସିଟିଭି କାମ କରୁଛି କି ନାହିଁ ତାର ରିପୋର୍ଟ ଦେବାକୁ କାଉନସିଲ୍ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୁହାଯାଇଛି। ୨୦୨୭ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍, କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବୋରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ନଭେମ୍ବର ୩୦ ସୁଦ୍ଧା ସବୁ ସେଣ୍ଟରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାର କନେକସନ କାଉନସିଲ୍ ଅଫିସ ଓ ଜିଲ୍ଲାପାଳ କାର୍ଯ୍ୟାଳୟରେ ରହିବ। ନଭେମ୍ବର ୩୦ ସୁଦ୍ଧା କଲେଜ ନାଁ, କୋଡ୍ ଓ ଇଣ୍ଟରନେଟ୍ ପ୍ରୋଭାଇଡର ଆଦି ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଯେଉଁ ଶିକ୍ଷାନୁଷ୍ଠାନ ଧାର୍ଯ୍ୟ ସମୟ ମଧ୍ୟରେ ଏସବୁ କରିନଥିବେ, ସେମାନଙ୍କ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବ। ତେବେ ଜାନୁଆରୀ ୨ରୁ ପ୍ରାକ୍ଟିକାଲ ଓ ଡିସେମ୍ବର ୨୨ରୁ ଇଣ୍ଟରନାଲ ପରୀକ୍ଷା କରାଯିବ ବୋଲି କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ।
ସେପଟେ ଏବେ ବି ପରୀକ୍ଷାକୁ ନେଇ ପିଲାମାନେ ଚାପରେ ଅଛନ୍ତି । ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି ମନସ୍ତତ୍ତ୍ବବିତ୍। ନିଜ ପିଲାକୁ ଅନ୍ୟ କାହା ସହ ତୁଳନା କରନ୍ତୁ ନାହିଁ। ଏପରିକି ମାର୍କ ନେଇ ବି ଭୟଭୀତ କରାନ୍ତୁ ନାହିଁ। ପ୍ରତିଦିନ ପିଲାଙ୍କ ଶୋଇବା ଓ ଖାଇବା ଉପରେ ଅଭିଭାବକମାନେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ମନସ୍ତତ୍ତ୍ବବିତ୍।
ଏଥର ଏକା ସଙ୍ଗେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ବାଣିଜ୍ୟ, ବିଜ୍ଞାନ ଓ କଳା ପରୀକ୍ଷା ଫଳ । ବାଣିଜ୍ୟ ଓ ବିଜ୍ଞାନ ପରି ଚଳିତ ଥର କଳା ଓ ଧନ୍ଦାମୂଳକ ପରୀକ୍ଷା ମୂଲ୍ୟାୟନ ଅନଲାଇନ ଜରିଆରେ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।