NDPS କେସ୍‌ରେ ଓଡ଼ିଶାର କନଭିକ୍ସନ ହାର ୨୫%, ଚିନ୍ତାରେ ପୋଲିସ

Sep 29, 2026 - 18:39
NDPS କେସ୍‌ରେ ଓଡ଼ିଶାର କନଭିକ୍ସନ ହାର ୨୫%, ଚିନ୍ତାରେ ପୋଲିସ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ନଗଣ୍ୟ NDPS କେସରେ ଦଣ୍ଡବିଧାନ । ସାରା ଦେଶରେ ଦଣ୍ଡବିଧାନ ହାରରେ ଆଗରେ ପଞ୍ଜାବ । ୨୫ ପ୍ରତିଶତ ହାରରେ ସଂଘର୍ଷ କରୁଛି ଓଡ଼ିଶା । ତ୍ରୁଟିପୂର୍ଣ୍ଣ ତଦନ୍ତ ଓ ଅନଭିଜ୍ଞ ତଦନ୍ତକାରୀ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ ।୨୦୨୯ ସୁଦ୍ଧା ପୋଲିସ ଦେଖୁଛି ନିଶାମୁକ୍ତ ଓଡ଼ିଶାର ସ୍ୱପ୍ନ । ଅନ୍ୟପଟେ ଓଡ଼ିଶାର ଦଣ୍ଡବିଧାନ ହାରକୁ ନେଇ ବଢିଛି ଚିନ୍ତା। NDPS କେସରେ ୮୯ ପ୍ରତିଶତ ଦଣ୍ଡବିଧାନ ସହ ପଞ୍ଜାବ ସାରା ଦେଶରେ ଆଗରେ ରହିଥିବା ବେଳେ ଓଡ଼ିଶାର ଦଣ୍ଡବିଧାନ ହାର ୨୫ ରୁ ୩୦ ପ୍ରତିଶତ ମଧ୍ୟରେ ରହିଛି । ଯାହାକୁ ବଢାଇବାକୁ ଅଣ୍ଟା ଭିଡ଼ିଛି ଓଡିଶା ପୋଲିସ । ତଦନ୍ତକାରୀ ଅଧିକାରୀ ସମ୍ପୃକ୍ତ କେସ୍ ରେ ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଯଦି ଏ କ୍ଷେତ୍ରରେ ଦୁଇ ମାସ ମଧ୍ୟରେ ଚାର୍ଜସିଟ ଦାଖଲ ନହୁଏ ଓ ଅଭିଯୁକ୍ତ ଅନାୟାସରେ ଜାମିନ ପାଇଯାଏ, ତେବେ ସମ୍ପୃକ୍ତ ଆଇଓ ଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ସେପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସରକାରୀ ଓକିଲ । ନିଶା ବେପାର ଓ ନିଶା ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ସେମାନଙ୍କୁ ଗିରଫ ସହ ନିଶା ସାମଗ୍ରୀ ନଷ୍ଟ କରାଯାଉଛି । ମାଫିଆଙ୍କ ସମ୍ପତ୍ତି ବ୍ୟାଜପ୍ତି ହେଉଛି । ୨୦୨୪ ଅଗଷ୍ଟ ରୁ ୨୦୨୬ ଜୁଲାଇ ମଧ୍ୟରେ ଏନଡିପିଏସ ଆଇନ ଅଧୀନରେ ୪ହଜାର ୮୯୨ ଟି ମାମଲା ରୁଜୁ କରାଯାଇଛି । ୫ ହଜାର ୩୭୬ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ୬୪ ହଜାର ଏକର ରୁ ଅଧିକ ଚାଷ ନଷ୍ଟ କରାଯାଇଛି । ୨ ହଜାର କୋଟି ଟଙ୍କାର ଗଞ୍ଜେଇ, ୫୭ କୋଟି ଟଙ୍କାର ବ୍ରାଉନସୁଗର ମଧ୍ୟ ଜବତ ହୋଇଛି । ଗୋଟିଏ ପଟେ ଇନ୍ଫୋର୍ସମେଣ୍ଟ ବଢ଼ୁଥିଲେ ସୁଦ୍ଧା କନଭିକ୍ସନ ହାର ବଢୁନାହିଁ । ଦୁର୍ବଳ ତଦନ୍ତ ଓ ଅନଭିଜ୍ଞ ତଦନ୍ତକାରୀ ଅଧିକାରୀଙ୍କୁ ଏଥପାଇଁ ଦାୟୀ କରିଛନ୍ତି ବିଶେଷଜ୍ଞ । ଏହାସହ ସାକ୍ଷୀଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ଅଭାବରୁ କୋର୍ଟରେ ବୟାନ ବଦଳୁଛି । ଏ ଦିଗରେ ଗୁରୁତ୍ୱାରୋପ ହେଲେ ତଦନ୍ତ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇପାରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।