Eligible Applicants Wait Years for Pension Benefits: ୭୦ ବୟସ ପରେ ମିଳୁନି ଭତ୍ତା, ଭତ୍ତା ପାଇଁ ହଟହଟା ଯୋଗ୍ୟ ଆବେଦନକାରୀ
ବୟସ ସରି ସରି ଆସୁଛି.. ଆଉ ଅପେକ୍ଷା ବଢି ବଢି ଚାଲିଛି। ଏ ଅପେକ୍ଷା ସରକାରୀ ସହାୟତାର। କାହାକୁ ୬୫ ତ କାହାର ୭୦ ପାର। ପୁଣି କିଏ ୮୦ ଛୁଇଁଲେଣି। ଜୀବନ ଯିବା ଆଗରୁ ଭତ୍ତା ପାଇଁ ଚାତକ ଭଳି ଅନାଇ ରହିଛନ୍ତି। ସରପଞ୍ଚଙ୍କୁ ଗୁହାରି କରିଛନ୍ତି, ପଞ୍ଚାୟତ ଅଫିସ ବି ଦୌଡିଛନ୍ତି। ବ୍ଲକ କାର୍ଯ୍ୟାଳୟ ଯାଇ ବଡ ବାବୁଙ୍କୁ ଗୁହାରି ବି କରିଛନ୍ତି। ଅନଲାଇନ୍ ଆବେଦନ ସରିଛି, ସବୁ ପ୍ରମାଣପତ୍ର ଯାଞ୍ଚ ବି ହୋଇସାରିଛି। ତଥାପି ଭତ୍ତା ପାଇବା ଅପେକ୍ଷାର ଅନ୍ତ ହେଉନି। ଇଏ କୋରାପୁଟ ସେମିଳିଗୁଡା ବ୍ଲକ୍ ପାଖଝୋଲା ଗାଁର କାହାଣୀ। ଅଧିକାଂଶ ଆଦିବାସୀ। ବୟସ ବଢ଼ିବା ସହ ରୋଗ ବଢୁଛି, ଖର୍ଚ୍ଚ ବି। ଏଭଳି ସ୍ଥିତିରେ ସରକାରୀ ଭତ୍ତା ହିଁ ଏମାନଙ୍କ ପାଇଁ ମୁଣ୍ଡ ଉପରେ ଛାତ ଭଳି ଭରସା। ହେଲେ ସେତକ ଟିକେ ହୋଇପାରୁନି। କାହିଁକି ନା ଜଣେ ହିତାଧୀକାରୀ ମଲେ ହିଁ ଏମାନଙ୍କ ନମ୍ବର ଆସିବ। ଖାଲି ସ୍ଥାନ ପୂରଣ ହେବ। କେବଳ ଏମାନେ ନୁହଁନ୍ତି ଜିଲ୍ଲାର ୪ ହଜାର ୩୧୯ ଜଣ ଅଛନ୍ତି ଭତ୍ତା ଅପେକ୍ଷାରେ।
ବୟସ ୬୦ ଛୁଇଁଲେ ଭତ୍ତା ମିଳିବା ନେଇ ରହିଛି ସରକାରଙ୍କ ଯୋଜନା। ତେବେ କାହିଁକି ଏମାନେ ଯୋଗ୍ୟ ଥାଇ ବି ଅଯୋଗ୍ୟ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କହିବା ହେଉଛି, ବର୍ତ୍ତମାନ ନିୟମ ଅନୁଯାୟୀ ଡେଥ୍ ଭ୍ୟାକେନ୍ସି ବା ମୃତ ହିତାଧିକାରୀଙ୍କ ସ୍ଥାନ ଖାଲି ହେଲେ ସେହି ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଉଛି। ଭବିଷ୍ୟତରେ ନିୟମରେ ପରିବର୍ତ୍ତନ ହେଲେ କିମ୍ବା ଆଡ଼ିସନାଲ ଟାର୍ଗେଟ ଆସିଲେ ସେହି ଅନୁସାରେ ପଦକ୍ଷେପ ନିଆଯିବ। ଏହାର ଅର୍ଥ, ଭତ୍ତା ପାଇବାକୁ ହେଲେ ଜଣେ ହିତାଧୀକାରୀଙ୍କ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡିବ।
ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ୍ ଧୁଣ୍ଡିମହୁଲ ଗାଁର ବେଲମତି ସାହୁ। ଭୋଟରକାର୍ଡ ତଥ୍ୟ ଅନୁସାରେ ବୟସ ୮୦ ଛୁଇଁଲାଣି। ସରକାରୀ ନିୟମ ଅନୁସାରେ ଭତ୍ତା ବାବଦରେ ସାଢେ ୩ ହଜାର ଟଙ୍କା ମିଳିବା କଥା। ହେଲେ ମିଳୁଛି ସେହି ହଜାରେ ଟଙ୍କା। ସେଥିରେ ନିତିଦିନିଆ ଖର୍ଚ୍ଚ, ଔଷଧ ସବୁ କିଛି କରିବାକୁ ପଡୁଛି। ଭତ୍ତା ବାବଦରେ ବ୍ଲକକୁ ଜଣାଇଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି।
କାନକୁ ଶୁଭୁନି କି ପାଟି ଖୋଲୁନି। ୭୫ ପ୍ରତିଶତ ମୂକ ବଧିର। ପ୍ରଥମ ଶ୍ରେଣୀରେ ପଢୁଥିବା ଗଜପତି ମୋହନା ବ୍ଲକ୍ ଗୁବୁରିଗୁଡ଼ା ଗାଁର ୬ବର୍ଷର ଭାଗ୍ୟଲକ୍ଷ୍ମୀ ରଇତ ବି ଭତ୍ତା ଅପେକ୍ଷାରେ। ଜନ୍ମ ବେଳେ ସବୁ ଠିକଠାକ୍ ଥିଲା, ହେଲେ ବୟସ ବଢ଼ିବା ସହ ପାଟି ଖୋଲିଲାନି। ଚନ୍ଦ୍ରଗିରିରୁ ଭୁବନେଶ୍ବର ଯାଏଁ ଝିଅର ଚିକିତ୍ସା କରି ସବୁ ଟଙ୍କା ସରିଗଲା। ଶେଷରେ ଭାଗ୍ୟକୁ ଆଦରି ସରକାରୀ ଭତ୍ତା ପାଇଁ ଆରମ୍ଭ ହେଲା ଉଦ୍ୟମ। ପଂଚାୟତରୁ ବ୍ଲକ୍ ଯାଏଁ ଦୌଡି ଦୌଡି ନୟାନ୍ତ ହେଲେଣି। ଆବେଦନ କରି ବର୍ଷେ ବିତିଗଲାଣି, ତଥାପି ଭାଗ୍ୟଲକ୍ଷ୍ମୀକୁ ଭତ୍ତା ମିଳିପାରିଲାନି। ଏଭଳି ସ୍ଥିତିରେ ବିଡ଼ିଓଙ୍କ କଥା ଚକିତ କରିଛି ପରିବାରକୁ। ବିଡିଓ କହିଛନ୍ତି, ଦିବ୍ୟାଙ୍ଗ ଭତ୍ତା ପାଇଁ ତାଲିକାରେ ଭ୍ୟାକେନ୍ସି ନାହିଁ। ସରକାରଙ୍କ ପକ୍ଷରୁ ଅଧିକ ଟାର୍ଗେଟ୍ ଆସିଲେ ଭତ୍ତା ମିଳିବ।
ସେ ୬୦ ବର୍ଷ ହେଲେ ସାମାଜିକ ସୁରକ୍ଷା ଭତ୍ତା ହେଉ କି ୮୦ ବର୍ଷୀୟଙ୍କୁ ସାଢେ ୩ ହଜାର ଟଙ୍କାର ବର୍ଦ୍ଧିତ ଭତ୍ତା ଅଥବା ଦିବ୍ୟାଙ୍ଗ ସହାୟତା ଭତ୍ତା। ଡେଥ୍ ଭ୍ୟାକାନ୍ସି ନିୟମରେ ଅଟକିଛି ଯୋଗ୍ୟତା। ଯୋଗ୍ୟ ଥାଇ ବି ସରକାରୀ ସହାୟତାକୁ ଅନାଇ ବସିଛନ୍ତି ହଜାର ହଜାର ଆବେଦନକାରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।