eMudhra Shares Crash 31%: ଡିଜିଟାଲ୍ ସୁରକ୍ଷା ତ୍ରୁଟି, ଇମୁଦ୍ରା ସେୟାରରେ ହଇଚଇ

Oct 22, 2026 - 12:21
eMudhra Shares Crash 31%: ଡିଜିଟାଲ୍ ସୁରକ୍ଷା ତ୍ରୁଟି, ଇମୁଦ୍ରା ସେୟାରରେ ହଇଚଇ

ଷ୍ଟକ୍ ମାର୍କେଟରେ ଇମୁଦ୍ରା ଲିମିଟେଡ୍‌ର ସେୟାରକୁ ନେଇ ହଇଚଇ। ଡିଜିଟାଲ୍ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସାମ୍ନାକୁ ଆସିବା ପରେ କମ୍ପାନୀର ସେୟାର ଉପରେ ଚାପ ବଢ଼ିଛି। ଅକ୍ଟୋବର ୨୨ ତାରିଖ ସକାଳ ୧୦ଟା ୨୦ ସୁଦ୍ଧା ସେୟାର ମୂଲ୍ୟ ୧୩.୬୨ ପ୍ରତିଶତ ଖସି ୩୭୩ ଟଙ୍କା ୧୫ ପଇସାରେ ପହଞ୍ଚିଥିଲା।

ଏହି ହ୍ରାସ ପଛରେ ରହିଛି ଡିଜିଟାଲ୍ ସୁରକ୍ଷା ତ୍ରୁଟିକୁ ନେଇ ଚିନ୍ତା। କମ୍ପାନୀର ବିଶ୍ୱସ୍ତରୀୟ ୱେବସାଇଟ୍ ସୁରକ୍ଷା ବ୍ୟବସାୟରେ ବ୍ୟବହୃତ ୮ଟି ମଧ୍ୟବର୍ତ୍ତୀ ଡିଜିଟାଲ୍ ସାର୍ଟିଫିକେଟ୍‌ର ପ୍ରାଇଭେଟ୍ କି’ ପ୍ରସ୍ତୁତିରେ ତ୍ରୁଟି ଚିହ୍ନଟ ହୋଇଛି। ଏହାର ଦୁରୁପଯୋଗ କରି ନକଲି ୱେବସାଇଟ୍ ସାର୍ଟିଫିକେଟ୍ ତିଆରି ହେବାର ଆଶଙ୍କା ରହିଥିବାରୁ ପ୍ରମୁଖ ବ୍ରାଉଜର୍ କମ୍ପାନୀଗୁଡ଼ିକ ପ୍ରଭାବିତ ସାର୍ଟିଫିକେଟ୍‌କୁ ଭରସା ନକରିବା ପାଇଁ ପଦକ୍ଷେପ ନେଇଛନ୍ତି।

ତେବେ କମ୍ପାନୀର କହିବା ଅନୁସାରେ, ଏହାର ସିଷ୍ଟମ୍ ହ୍ୟାକ୍ ହୋଇନାହିଁ କିମ୍ବା କୌଣସି ଡାଟା ଚୋରି ହୋଇନାହିଁ। ଭାରତର ଡିଜିଟାଲ୍ ସିଗ୍ନେଚର୍ ସାର୍ଟିଫିକେଟ୍ (DSC) ଓ eSign ବ୍ୟବସାୟ ମଧ୍ୟ ଏହି ଘଟଣାରୁ ପ୍ରଭାବିତ ହୋଇନାହିଁ। ପ୍ରଭାବିତ ବିଶ୍ୱସ୍ତରୀୟ TLS ବ୍ୟବସାୟ କମ୍ପାନୀର ମୋଟ ଆୟର ପ୍ରାୟ ୧ ପ୍ରତିଶତ। ଏବେ ତ୍ରୁଟିର କାରଣ ଖୋଜିବା ଓ ସମାଧାନ ପାଇଁ ତଦନ୍ତ ଚାଲିଥିବା ବେଳେ, ଏହାର ପ୍ରତିଷ୍ଠା ଓ ନିବେଶକଙ୍କ ଭରସା ଉପରେ କେତେ ପ୍ରଭାବ ପଡ଼ିବ, ତାହା ଉପରେ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।