EPFO Rules Explained: PF ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ, ଏଣିକି କେତେଥର ଉଠାଇପାରିବେ ଜାଣନ୍ତୁ

Oct 14, 2026 - 16:36
EPFO Rules Explained: PF ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ, ଏଣିକି କେତେଥର ଉଠାଇପାରିବେ ଜାଣନ୍ତୁ

ଆପଣ ଯଦି ନିଜ PF ଆକାଉଣ୍ଟରୁ ବାରମ୍ବାର ଟଙ୍କା ଉଠାଉଛନ୍ତି, ତେବେ ଏହି ନିୟମ ବିଷୟରେ ଜାଣି ରଖନ୍ତୁ। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)ର ଆଡଭାନ୍ସ ଉଠାଣ ନିୟମ ଅନୁଯାୟୀ, ଶିକ୍ଷା, ବିବାହ, ଘର ନିର୍ମାଣ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ PF ଟଙ୍କା ଉଠାଣରେ ଭିନ୍ନ ଭିନ୍ନ ସୀମା ରହିଛି । ତେବେ କେଉଁ କାମ ପାଇଁ କେତେଥର ଟଙ୍କା ଉଠାଇପାରିବେ ଏବଂ ୭୫ ପ୍ରତିଶତ ଟଙ୍କା ଉଠାଣର ନିୟମ କ’ଣ, ଆସନ୍ତୁ ଜାଣିବା।

ଶିକ୍ଷା ପାଇଁ ୧୦ ଥର ଉଠାଇପାରିବେ PF ଟଙ୍କା

ଶିକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ PF ସଦସ୍ୟ ନିଜ ସଦସ୍ୟତା ଅବଧି ମଧ୍ୟରେ ସର୍ବାଧିକ ୧୦ ଥର ଟଙ୍କା ଉଠାଇପାରିବେ। ଏହି ସୁବିଧା ନିଜର ଶିକ୍ଷା ସହ ପରିବାରର ଶିକ୍ଷା ଖର୍ଚ୍ଚ ପାଇଁ ମଧ୍ୟ ଉଦ୍ଦିଷ୍ଟ।

ଚିକିତ୍ସା ଖର୍ଚ୍ଚ ପାଇଁ କେତେଥର ଉଠାଣ?

ଚିକିତ୍ସା ଓ ଅସୁସ୍ଥତାଜନିତ ଆବଶ୍ୟକତା ପାଇଁ PF ଟଙ୍କା ଉଠାଣରେ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟାଗତ ସୀମା ନଥିବା କଥା ଜଣାପଡିଛି। ଏହି ସୁବିଧା କର୍ମଚାରୀ ଓ ତାଙ୍କ ପରିବାରର ଚିକିତ୍ସା ଆବଶ୍ୟକତା ପାଇଁ ଉଦ୍ଦିଷ୍ଟ। ତେବେ ଟଙ୍କା ଉଠାଣ ପାଇଁ ଲାଗୁ ହେଉଥିବା ଅନ୍ୟ ସର୍ତ୍ତ ପୂରଣ କରିବା ଆବଶ୍ୟକ।

ବିବାହ ପାଇଁ ସର୍ବାଧିକ ୫ ଥର ଉଠାଣ

ବିବାହ ଖର୍ଚ୍ଚ ପାଇଁ PF ସଦସ୍ୟ ନିଜ ସଦସ୍ୟତା ଅବଧି ମଧ୍ୟରେ ସର୍ବାଧିକ ୫ ଥର ଆଡଭାନ୍ସ ନେଇପାରିବେ। ଏହି ସୁବିଧା ସଦସ୍ୟଙ୍କ ନିଜ ବିବାହ ସହ ନିୟମରେ ଉଲ୍ଲେଖ ଥିବା ପରିବାର ସଦସ୍ୟଙ୍କ ବିବାହ ପାଇଁ ମଧ୍ୟ ଲାଗୁ ହୁଏ। 

ଘର କିଣିବା ଓ ନିର୍ମାଣ ପାଇଁ ୫ ଥର ସୁଯୋଗ

ଘର କିମ୍ବା ଫ୍ଲାଟ୍ କିଣିବା, ନୂଆ ଘର ନିର୍ମାଣ, ହୋମ୍ ଲୋନ୍ ପରିଶୋଧ ଏବଂ ଘରର ମରାମତି ବା ନବୀକରଣ ପାଇଁ ମଧ୍ୟ PF ଟଙ୍କା ଉଠାଇବାର ବ୍ୟବସ୍ଥା ରହିଛି। ଏହି ବର୍ଗରେ ସଦସ୍ୟତା ଅବଧି ମଧ୍ୟରେ ସର୍ବାଧିକ ୫ ଥର ଆଡଭାନ୍ସ ଉଠାଇବାର ସୁଯୋଗ ରହିଛି। ତେବେ ଟଙ୍କା ଉଠାଣ ପାଇଁ ଲାଗୁ ହେଉଥିବା ଯୋଗ୍ୟତା ଓ ଅନ୍ୟ ସର୍ତ୍ତ ପୂରଣ କରିବାକୁ ପଡ଼ିବ। 

PF ଖାତାରୁ ୭୫% ଟଙ୍କା ଉଠାଇବାର ନିୟମ

EPFOର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ଯୋଗ୍ୟ ସଦସ୍ୟଙ୍କ PF ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ ଉଠାଣ କରିବାର ସୁବିଧା ରହିଛି। ଏଥିରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅବଦାନ ସହ ସୁଧକୁ ମଧ୍ୟ ହିସାବକୁ ନିଆଯାଏ। ଆଂଶିକ ଉଠାଣ ପାଇଁ ସର୍ବନିମ୍ନ ସେବା ଅବଧି ୧୨ ମାସ ରଖାଯାଇଛି। ଅବଶିଷ୍ଟ ୨୫ ପ୍ରତିଶତ ରାଶି ଅବସର ପରବର୍ତ୍ତୀ ସୁରକ୍ଷା ପାଇଁ ରଖିବାର ବ୍ୟବସ୍ଥା ରହିଛି। 

ବିଶେଷ ପରିସ୍ଥିତିରେ ମଧ୍ୟ ଉଠାଇପାରିବେ ଟଙ୍କା

ବିଶେଷ ପରିସ୍ଥିତି ବା ଜରୁରୀ ଆବଶ୍ୟକତା ପାଇଁ PF ଉଠାଣର ନିୟମକୁ ମଧ୍ୟ ସରଳ କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, ଏହି ବର୍ଗରେ ପ୍ରତି ଆର୍ଥିକ ବର୍ଷରେ ସର୍ବାଧିକ ୨ ଥର ଉଠାଣର ବ୍ୟବସ୍ଥା ରହିଛି। ଅସୁସ୍ଥତା ପାଇଁ ଉଠାଣରେ ମଧ୍ୟ ନିୟମ ରହିଛି। ତେଣୁ ଏହାକୁ ସମ୍ପୂର୍ଣ୍ଣ ଅସୀମିତ ବୋଲି ଧରିନେବା ଠିକ୍ ନୁହେଁ। ଆବେଦନ କରିବା ପୂର୍ବରୁ EPFOର ନିୟମ ଯାଞ୍ଚ କରନ୍ତୁ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।