Excess Wealth Case: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ସାବଧାନ! ସୁପ୍ରିମକୋର୍ଟ କହିଲେ, ହିସାବ ଦେବେ ଅଭିଯୁକ୍ତ
ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ସରକାରୀ ଅଧିକାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ।
ଯଦି ତଦନ୍ତକାରୀ ସଂସ୍ଥା ପ୍ରମାଣ କରେ ଯେ ଜଣେ ସରକାରୀ କର୍ମଚାରୀଙ୍କ ପାଖରେ ତାଙ୍କ ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ରହିଛି, ତେବେ ସେହି ଅତିରିକ୍ତ ସମ୍ପତ୍ତି କେଉଁଠୁ ଆସିଲା, ତାହାର ହିସାବ ଅଭିଯୁକ୍ତଙ୍କୁ ଦେବାକୁ ପଡ଼ିବ।
ପ୍ରତ୍ୟେକ ସମ୍ଭାବ୍ୟ ଆୟର ଉତ୍ସ ଖୋଜିବା ପାଇଁ ତଦନ୍ତକାରୀ ସଂସ୍ଥା ଅସୀମିତ ତଦନ୍ତ କରିବାକୁ ବାଧ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ।
Advertisment ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ଓ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ଆୟଠାରୁ ଅଧିକ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ପୂର୍ବତନ ସରକାରୀ ଅଧିକାରୀ ଭି.
ଗୋପାଳକୃଷ୍ଣନଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି କୋର୍ଟ।
ଦଣ୍ଡର ଅବଶିଷ୍ଟ ଅବଧି ଭୋଗିବା ପାଇଁ ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
କ'ଣ କହିଲେ ସୁପ୍ରିମକୋର୍ଟ?
କୋର୍ଟ କହିଛନ୍ତି, ପ୍ରଥମେ ଅଭିଯୋଗ ପକ୍ଷକୁ ଅଭିଯୁକ୍ତଙ୍କ ଜଣାଶୁଣା ଆୟ, ସମ୍ପତ୍ତି ଓ ଖର୍ଚ୍ଚର ହିସାବ ଦେଇ ଆୟଠାରୁ ଅଧିକ ସମ୍ପତ୍ତି ଥିବା ପ୍ରମାଣ କରିବାକୁ ପଡ଼ିବ।
ଏହା ପରେ ଅତିରିକ୍ତ ସମ୍ପତ୍ତିର ଉତ୍ସ ବୁଝାଇବା ଦାୟିତ୍ୱ ଅଭିଯୁକ୍ତଙ୍କ ଉପରକୁ ଯିବ।
Advertisment ଅଭିଯୁକ୍ତଙ୍କୁ ନିଜ ଦାବି ସପକ୍ଷରେ ବିଶ୍ୱସନୀୟ ଓ ଯାଞ୍ଚଯୋଗ୍ୟ ପ୍ରମାଣ ଦେବାକୁ ହେବ।
କେବଳ ଅନୁମାନ ଆଧାରିତ ଯୁକ୍ତି କିମ୍ବା ପ୍ରମାଣ ନଥିବା ଦାବି ଗ୍ରହଣଯୋଗ୍ୟ ନୁହେଁ।
ସନ୍ତୋଷଜନକ ହିସାବ ଦେଇ ନପାରିଲେ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ପ୍ରତିକୂଳ ନିଷ୍କର୍ସରେ ପହଞ୍ଚିପାରିବେ।
ଗୋପାଳକୃଷ୍ଣନ ୧୯୭୧ ମସିହାରେ ଜଣେ ଲୋୟର ଡିଭିଜନ୍ କ୍ଲର୍କ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ।
ପରେ ୧୯୯୩ରେ ସବ୍-ରେଜିଷ୍ଟ୍ରାର ପଦକୁ ପଦୋନ୍ନତି ପାଇଥିଲେ।
୧୯୯୩ ଜାନୁଆରୀରୁ ୨୦୦୧ ଜାନୁଆରୀ ମଧ୍ୟରେ ତାଙ୍କ ଜଣାଶୁଣା ଆୟ ତୁଳନାରେ ପ୍ରାୟ ୫୧.୮୮ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା।
ଘର ନିର୍ମାଣ ଖର୍ଚ୍ଚ ଓ ପାରିବାରିକ ଖର୍ଚ୍ଚର ଆକଳନକୁ ସେ ଚ୍ୟାଲେଞ୍ଜ କରିଥିଲେ।
କିନ୍ତୁ ନିର୍ମାଣ ଖର୍ଚ୍ଚ କମ୍ ଥିବା ଦାବି ସପକ୍ଷରେ ପର୍ଯ୍ୟାପ୍ତ ପ୍ରମାଣ ଦେଇପାରିନଥିବାରୁ ସୁପ୍ରିମକୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।