Experimental Fish Farming Begins: ଧାନ ଜମିରେ ମାଛ ଚାଷ, ବଢ଼ିବ ଚାଷୀଙ୍କ ଆୟ

Sep 06, 2026 - 19:59
Experimental Fish Farming Begins: ଧାନ ଜମିରେ ମାଛ ଚାଷ, ବଢ଼ିବ ଚାଷୀଙ୍କ ଆୟ

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ଆରମ୍ଭ ହୋଇଛି ଗୋଟିଏ ଜମିରେ ଧାନ ଏବଂ ମାଛ ଚାଷ। ଚାଷୀଙ୍କ ଆୟକୁ ବୃଦ୍ଧି କରିବାକୁ କରାଯାଇଛି ଏହି ପ୍ରୟାସ। ଜିଲ୍ଲାରେ ପରୀକ୍ଷା ମୂଳକ ଭାବେ ରାଇଘର, ଉମରକୋଟ ଏବଂ ଚନ୍ଦାହାଣ୍ଡି ବ୍ଲକରେ ଜମି ଚିହ୍ନଟ କରି ଚାଷୀଙ୍କୁ ଏଥିରେ ସାମିଲ କରାଯାଇଛି। ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତର ଧଣ୍ଡାମୁଣ୍ଡା ଅଞ୍ଚଳର ତିନି ଜଣ ଚାଷୀଙ୍କ ଜମିରେ ମାଛ ଓ ଧାନ ଚାଷ କରାଯାଇଛି। ଜଣେ ଲେଖାଏଁ ଚାଷୀଙ୍କ ୧.୨୫ଏକର ଜମିରେ ଧାନ ରୁଆ ସହ ମାଛ ଯାଆଁଳା ଛଡ଼ାଯାଇଛି। ଚାଷୀଙ୍କ ୫ହଜାର ବର୍ଗମିଟର ଜମିରେ ଉଭୟ ପାର୍ଶ୍ୱରେ ୫ମିଟର ଓସାର ଓ ୩ମିଟର ଓସାର ଏକ ଟ୍ରେଞ୍ଚ ଖୋଳାଯାଇଛି। ଟ୍ରେଞ୍ଚ ଜମିର ତିନି ପାର୍ଶ୍ୱ ଖୋଳାହୋଇ ମାଛ ଛାଡିବା ବ୍ୟବସ୍ଥା ହୋଇଥିବା ବେଳେ ମଝିରେ ଧାନ ଚାଷ କରାଯାଇଛି। ଚାଷ ପାଇଁ ନାଳରେ ପାଣି ଭର୍ତ୍ତି ରହିବା ସହ ଧାନ ଚାଷରେ ଏହାକୁ କିପରି ଉପଯୋଗୀ କରାଯାଇ ପାରିବ ତାହାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି। ଏ ହେଉଛନ୍ତି ଚନ୍ଦାହାଣ୍ଡି ବ୍ଲକ ଡଙ୍ଗରିଗୁଡ଼ା ଗାଁର ଡମ୍ବରୁ ଧର ଗୌଡ଼ଙ୍କ ଚାଷ ଜମି। ଜମିରେ ମସ୍ୟ ବିଭାଗ ପକ୍ଷରୁ ମାଛ ଏବଂ ଧାନ ଚାଷ କରିବାର ବ୍ୟବସ୍ଥା କରାଯାଇଛି। କେବଳ ଯେ ମାଛ କି ଧାନ ନୁହେଁ ହିଡ଼ରେ ବିଭିନ୍ନ ପ୍ରକାର ପନିପରିବା ସହ କାନ୍ଦୁଲ ବିରି ଭଳି ସଶ୍ୟ ଜାତୀୟ ଫସଲ ମଧ୍ୟ ଲଗାଇ ରୋଜଗାର କରିବାକୁ ପ୍ରୟାସ କରିଛନ୍ତି ଚାଷୀ। ସେହିଭଳି ଗାଁର ଡମ୍ବରୁ ଧର ନାୟକ ଏବଂ ବିରସିଂ ମାଝୀଙ୍କ ଜମିରେ ମଧ୍ୟ ଏହିଭଳି ଦୁଇଟି ଚାଷ କରିବା ପାଇଁ ବ୍ୟବସ୍ଥା କରିଛି ବିଭାଗ। 

ଚାଷୀଙ୍କୁ ଏହି ଚାଷ କରିବାକୁ ବିଶ୍ବବ୍ୟାଙ୍କ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ଚାଷୀଙ୍କୁ ଏଥିପାଇଁ ୨.୫୬ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ମାଗଣା ସବସିଡି ଭାବେ ପ୍ରକଳ୍ପ ପାଇଁ ଯୋଗାଇ ଦିଆଯାଉଛି। ଏହି ପଦ୍ଦତିରେ ଜଣେ ଚାଷୀ ୧ ଏକରରେ ଧାନ ଚାଷ ଓ ଅଧା ଏକରରେ ମାଛ ଚାଷ କରୁଛନ୍ତି। ଗୋଟିଏ ଜମିରେ ଚାଷୀ ୧୨କୁଇଣ୍ଟାଲ ଧାନ ସହ ୫କୁଇଣ୍ଟାଲ ମାଛ ଉତ୍ପାଦନ ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ତେବେ ଡଙ୍ଗରି ଗୁଡ଼ାର ଡମ୍ବରୁଧର ଗୌଡ଼ଙ୍କ ଏହି ଭଳି ସମନ୍ୱିତ ଚାଷ ଦେଖି ଅନେକ ଚାଷୀ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ଚନ୍ଦାହାଣ୍ଡି ବ୍ଲକ ସହକାରୀ ମତ୍ସ୍ୟ ଅଧିିକାରୀ କହିଛନ୍ତି ବିଶ୍ୱବ୍ୟାଙ୍କ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ ଗୋଟିଏ ଜମିରେ ଦୁଇଟି ଧାନ ଏବଂ ମାଛ ଚାଷ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ତିନି ଜଣ ଚାଷୀଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଇଛି। ଏହି ପଦ୍ଦତି ଦ୍ବାରା ଚାଷୀ ଲାଭବାନ ହେବେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।