Fake Note Printing Exposed In Rented Room: ଭଡ଼ା ଦେବାକୁ ଟଙ୍କା ନଥିଲା, ଭଡ଼ା ଘରେ ଛାପିଦେଲେ ୩୭ ଲକ୍ଷର ନକଲି ନୋଟ୍!

Oct 25, 2026 - 17:08
Fake Note Printing Exposed In Rented Room: ଭଡ଼ା ଦେବାକୁ ଟଙ୍କା ନଥିଲା, ଭଡ଼ା ଘରେ ଛାପିଦେଲେ ୩୭ ଲକ୍ଷର ନକଲି ନୋଟ୍!

ଘର ଭଡ଼ା ଦେବାକୁ ଟଙ୍କା ନଥିଲା।

ଅନେକ ମାସ ଧରି ଭଡ଼ା ମଧ୍ୟ ଦେଉନଥିଲେ।

ଶେଷରେ ଘର ଖାଲି କରିବାକୁ କହିବାରୁ ଘର ମାଲିକଙ୍କୁ ଧମକ ଦେଇଥିବା ଅଭିଯୋଗ।

ହେଲେ ଭଡ଼ାଟିଆଙ୍କ ଘରୁ ଯାହା ମିଳିଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ!

ଘର ଭିତରେ ଛପା ହେଉଥିଲା ୫୦୦ ଟଙ୍କିଆ ନକଲି ନୋଟ୍।

ପୁଳା ପୁଳା ନକଲି ନୋଟ୍ ସହ ପ୍ରିଣ୍ଟର୍ ଓ ଅନ୍ୟ ସାମଗ୍ରୀ ଜବତ କରିଛି ପୁଲିସ।

ମହାରାଷ୍ଟ୍ରର ନାଗପୁରରେ ଏହି ଘଟଣା ସାମ୍ନାକୁ ଆସିଛି।

ଅଭିଯୁକ୍ତ ଜଣକ ୩୭ ଲକ୍ଷ ଟଙ୍କାର ନକଲି ନୋଟ୍ ଛାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment ସୂଚନା ଅନୁସାରେ, ଅଭିଯୁକ୍ତର ନାମ ପୁଷ୍ପକ କୃଷ୍ଣ ଭଣ୍ଡାରକର ଓରଫ ବେଣ୍ଡାନେ।

ସେ ନାଗପୁରର ତ୍ରିମୂର୍ତ୍ତି ନଗର ଅଞ୍ଚଳର ବାସିନ୍ଦା।

ପ୍ରାୟ ଦେଢ଼ ବର୍ଷ ପୂର୍ବେ ସେ ନାଗପୁରର ଖରବି ଅଞ୍ଚଳରେ ଏକ ଘର ଭଡ଼ା ନେଇଥିଲା।

ତାର ଭଡ଼ା ଚୁକ୍ତି ଜାନୁଆରୀରେ ଶେଷ ହୋଇଥିବାବେଳେ ସେ ଅନେକ ମାସ ଧରି ଘର ଭଡ଼ା ଦେଉନଥିବା ଅଭିଯୋଗ ହୋଇଛି।

ଘର ମାଲିକ ରମେଶ ତାକୁ ଘର ଖାଲି କରିବାକୁ କହିଥିଲେ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା।

ଏପରିକି ଅଭିଯୁକ୍ତ ଛୁରି ଦେଖାଇ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଘର ମାଲିକ ୱାଠୋଡ଼ା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଏକ ଏତଲା ରୁଜୁ କରିଥିଲା।

Advertisment ତାଲା ଭାଙ୍ଗିବା ପରେ ଯାହା ଦେଖିଲେ ଘର ମାଲିକ, ଉଡ଼ିଗଲା ହୋସ୍!

ଦୀର୍ଘ ଦିନ ଧରି ଅଭିଯୁକ୍ତ ଘରକୁ ଆସୁନଥିବାରୁ ଘର ମାଲିକଙ୍କ ସନ୍ଦେହ ବଢ଼ିଥିଲା।

ଶେଷରେ ଶନିବାର ସେ ହାତୁଡ଼ି ସାହାଯ୍ୟରେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ।

ହେଲେ ଘର ଭିତରେ ଯାହା ଦେଖିଲେ, ତାହା ତାଙ୍କୁ ଚକିତ କରିଦେଇଥିଲା।

ଏକ ବାଲ୍‌ଟି ଭିତରେ ଥିଲା ବଣ୍ଡଲ ବଣ୍ଡଲ ଟଙ୍କା।

ଚାରିଆଡ଼େ କାଗଜ ବିଛାଡ଼ି ହୋଇ ପଡ଼ିଥିବାବେଳେ ଘରେ ଏକ ପ୍ରିଣ୍ଟର୍ ମଧ୍ୟ ରଖାଯାଇଥିଲା।

ଟଙ୍କାଗୁଡ଼ିକ ନକଲି ନୋଟ୍ ବୋଲି ସନ୍ଦେହ ହେବାରୁ ରମେଶ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

୩୭ ଲକ୍ଷର ନକଲି ନୋଟ୍, ୪୮ ଲକ୍ଷର ସାମଗ୍ରୀ ଜବତ ଖବର ପାଇ ୱାଠୋଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଘର ଭିତରୁ ୫୦୦ ଟଙ୍କିଆ ନକଲି ନୋଟ୍‌ର ବଣ୍ଡଲ, ପ୍ରିଣ୍ଟର୍ ଓ ନୋଟ୍ ଛାପିବା ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା।

ନୋଟ୍‌ର ପରିମାଣ ଆକଳନ କରିବା ପାଇଁ ପୁଲିସ ଏକ ଟଙ୍କା ଗଣିବା ମେସିନ୍ ମଧ୍ୟ ଆଣିଥିଲା।

ପ୍ରାଥମିକ ଯାଞ୍ଚରୁ ପ୍ରାୟ ୩୭ ଲକ୍ଷ ଟଙ୍କା ମୂଲ୍ୟର ନକଲି ନୋଟ୍ ଛପାଯାଇଥିବା ଜଣାପଡ଼ିଛି।

ଏହା ବ୍ୟତୀତ କିଛି ଅଧା ଛପା ନୋଟ୍ ମଧ୍ୟ ମିଳିଛି।

କେତେକ କାଗଜରେ ନୋଟ୍‌ର କେବଳ ଗୋଟିଏ ପାର୍ଶ୍ୱ ଛପା ହୋଇଥିବାବେଳେ ଅନ୍ୟ ପାର୍ଶ୍ୱ ଖାଲି ଥିଲା।

ଜବତ ନୋଟ୍ ଓ ଅନ୍ୟ ସାମଗ୍ରୀର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୪୮ ଲକ୍ଷ ଟଙ୍କା ବୋଲି କୁହାଯାଇଛି।

ମୁମ୍ବାଇରେ ଥିବା ସୂଚନା, ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ ଘଟଣା ପରେ ପୁଲିସ ସମସ୍ତ ନକଲି ନୋଟ୍ ଓ ଛପା ସାମଗ୍ରୀ ଜବତ କରିଛି।

ଅଭିଯୁକ୍ତ ପୁଷ୍ପକକୁ ଧରିବା ପାଇଁ ଖୋଜାଖୋଜି ଚାଲିଛି।

ତଦନ୍ତକାରୀ ଟିମ୍ ତାଙ୍କ ସହ ଯୋଗାଯୋଗ କରିବା ପରେ ସେ ମୁମ୍ବାଇରେ ଥିବା ସୂଚନା ପାଇଥିଲା।

ତାକୁ ଧରିବା ପାଇଁ ମୁମ୍ବାଇକୁ ପୁଲିସ ଟିମ୍ ପଠାଯିବାର ସମ୍ଭାବନା ରହିଛି।

ତେବେ ଘର ଭଡ଼ା ବିବାଦରୁ ଆରମ୍ଭ ହୋଇଥିବା ଏହି ଘଟଣା ପଛରେ ନକଲି ନୋଟ୍ ଛାପିବାର ଅଭିଯୋଗ ସାମ୍ନାକୁ ଆସିବା ପରେ ତଦନ୍ତ ଜୋରଦାର ହୋଇଛି।

ଏହି କାରବାରରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ତାହା ଅଭିଯୁକ୍ତ ଗିରଫ ହେବା ପରେ ସ୍ପଷ୍ଟ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।