Festive Food Safety Scare: ପାର୍ବଣ ଭିଡ଼ରେ ବାସି ଖାଦ୍ୟ ବିକ୍ରି, ଖାଦ୍ୟ ଷ୍ଟଲ୍‌ରେ ରେଡ୍ କଲା ନିରାପତ୍ତା ଟିମ୍

Oct 19, 2026 - 20:21
Festive Food Safety Scare: ପାର୍ବଣ ଭିଡ଼ରେ ବାସି ଖାଦ୍ୟ ବିକ୍ରି, ଖାଦ୍ୟ ଷ୍ଟଲ୍‌ରେ ରେଡ୍ କଲା ନିରାପତ୍ତା ଟିମ୍

ପାର୍ବଣରେ ପାଟିକୁ ସୁଆଦିଆ ଖାଦ୍ୟର ମଜା। ପୂଜା ମଣ୍ଡପ ବୁଲିବା ସହ ଫାଷ୍ଟଫୁଡ୍ ଏବଂ ଗୁପଚୁପ୍ ଖାଇବାକୁ ଲୋକଙ୍କ ଭିଡ଼। କିନ୍ତୁ ଏହି ଖାଦ୍ୟ ପ୍ରସ୍ତୁତିରେ ରହୁଛି ତ ସ୍ୱଚ୍ଛତା ? ବ୍ୟବହାର ହେଉଛି କି ବାରମ୍ବାର ପୋଡ଼ା ତେଲ ? ଗୁପଚୁପର ଖଟାପାଣି କେତେ ସ୍ବାସ୍ଥ୍ୟକର ? ଏ ହେଉଛି ଆପଣଙ୍କ ଚଟପଟା ଖାଦ୍ୟ ଗୁପଚୁପ୍ କିମ୍ବା ଚାଟରେ ବ୍ୟବହାର ହେଉଥିବା ଆଳୁ। କିନ୍ତୁ ଶୁଙ୍ଘିଲେ ନାକଫଟା ଦୁର୍ଗନ୍ଧ। ଗୁପଚୁପରେ ବ୍ୟବହୃତ ପାଣି ବି କେଜାଣି କେଉଁ କାଳର, ଦେଖିଲେ କାଇଁ ଠିକଠାକ୍ ଲାଗୁନି। ଏକପ୍ରକାର କଳା ପଡ଼ିଯାଇଛି। ଏଭଳି ମାଳ ମାଳ ଚିତ୍ର ସାମ୍ନାକୁ ଆସିବା ପରେ ଆଜି ରାଜଧାନୀରେ ନନଷ୍ଟପ୍ ରେଡ୍। ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ନିକଟରେ ଥିବା ଖାଦ୍ୟ ଷ୍ଟଲରେ ଯାଞ୍ଚ କରିଛି ଖାଦ୍ୟ ନିରାପତ୍ତା ବିଭାଗ। ଆଉ ଅସ୍ବାସ୍ଥ୍ୟକର ଖାଦ୍ୟ ଧରାପଡ଼ିବା ପରେ ନଷ୍ଟ କରିଛି ଟିମ୍। ଏ ଚିତ୍ର ନୟାପଲ୍ଲୀ ଅଞ୍ଚଳର। ପ୍ରାୟ ୩୦ କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଛି। ଏଥିସହ ଖାଦ୍ୟ ପ୍ରସ୍ତୁତିରେ ଅନାବଶ୍ୟକ ରଙ୍ଗ ବ୍ୟବହାର ନକରିବାକୁ ଷ୍ଟଲ୍ ମାଲିକମାନଙ୍କୁ ଚେତାଇ ଦିଆଯାଇଛି। 

ଏବେ ଜମିଛି ପାର୍ବଣ, ତାହାରି ଭିତରେ ମଣ୍ଡପ ବୁଲାକୁ ଖିଆପିଆ। ଆଉ ଗ୍ରାହକଙ୍କ ଏହି ମଉକା ଭିତରେ ଫାଇଦା ଉଠାଇ ଯାହା ତାହା ତିଆରି କରି ବିକୁଛନ୍ତି କିଛି ଅମାନିଆ ବେପାରୀ। ନା ଖାଦ୍ୟର ଗୁଣବତ୍ତା ରହୁଛି, ନା ପରିଷ୍କାର ପରିଚ୍ଛନ୍ନତା ନା ଗ୍ରାହକଙ୍କ ସ୍ୱାସ୍ଥ୍ୟ କଥାକୁ ଚିନ୍ତା କରୁଛନ୍ତି। ଅବଶ୍ୟ ସବୁ ନୁହଁନ୍ତି, ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀ ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି। ଗୁପଚୁପ ପାଇଁ ସିଧାସଳଖ ନଳ ପାଣି ବ୍ୟବହାର କରୁଥିବା କହିଛନ୍ତି ଗୁପଚୁପ କିଛି ବ୍ୟବସାୟୀ। ଅପରପକ୍ଷେ, ଖାଦ୍ୟ ବିକ୍ରେତାଙ୍କ ସହ ଗ୍ରାହକମାନେ ମଧ୍ୟ ଖାଦ୍ୟର ମାନ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ବ ଦେଇଛନ୍ତି। 

ସ୍ୱାଦ ନାଁରେ ସ୍ୱାସ୍ଥ୍ୟ ସହ ଖେଳ। ଧରାପଡ଼ିଲେ ଦୋଷୀ, ଧରାନପଡ଼ିଲେ ନିର୍ଦ୍ଦୋଷ। ଏଭଳି ସ୍ଥିତିରେ ଖାଲି ଯେ ଗ୍ରାହକ ସଚେତନ ହେଲେ ଚଳିବନି, ପ୍ରଶାସନ ବି ଘନ ଘନ ରେଡ୍ କରି ଆଖିଦୃଶିଆ ଆକ୍ସନ ନେବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।