FIFA World Cup 2026: ଇଂଲଣ୍ଡ ଟିମ୍‌ର ଗୁପ୍ତ ରଣନୀତି! ମେକ୍ସିକୋ ବିପକ୍ଷ ମ୍ୟାଚ୍ ପାଇଁ ବଡ଼ ନିଷ୍ପତ୍ତି

Jul 04, 2026 - 17:12
FIFA World Cup 2026: ଇଂଲଣ୍ଡ ଟିମ୍‌ର ଗୁପ୍ତ ରଣନୀତି! ମେକ୍ସିକୋ ବିପକ୍ଷ ମ୍ୟାଚ୍ ପାଇଁ ବଡ଼ ନିଷ୍ପତ୍ତି


ଫିଫା ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ 'ରାଉଣ୍ଡ ଅଫ୍ ୧୬' ମ୍ୟାଚ୍‌ରେ ମେକ୍ସିକୋକୁ ଭେଟିବାକୁ ଯାଉଛି ଇଂଲଣ୍ଡ। କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଦଳର ଖେଳାଳିମାନଙ୍କୁ 'ଭାୟାଗ୍ରା' ଔଷଧ ସେବନ କରିବା ପାଇଁ ଅନୁମତି ମିଳିଛି। ତେବେ ଖେଳାଳିମାନେ କୌଣସି ଶାରୀରିକ ସମସ୍ୟା ପାଇଁ ନୁହେଁ, ବରଂ ମେକ୍ସିକୋର ଷ୍ଟାଡିୟମ୍‌ର ଭୌଗୋଳିକ ସ୍ଥିତି ଯୋଗୁଁ ସୃଷ୍ଟି ହେବାକୁ ଥିବା ବଡ଼ ସମସ୍ୟାର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।  

ମ୍ୟାଚ୍‌ଟି ମେକ୍ସିକୋ ସିଟିର ପ୍ରସିଦ୍ଧ 'ଏଷ୍ଟାଡିଓ ଆଜ୍‌ଟେକା' ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମ୍ ସମୁଦ୍ର ପତନଠାରୁ ପ୍ରାୟ ୭,୩୫୦ ଫୁଟ ଉଚ୍ଚରେ ଅବସ୍ଥିତ। ଏତେ ଉଚ୍ଚତାରେ ବାୟୁ ପତଳା ଥାଏ, ଯାହାଫଳରେ ଶରୀରକୁ ଅକ୍ସିଜେନ୍ ମିଳିବାରେ ଅସୁବିଧା ହୁଏ। ଏହାଦ୍ୱାରା ଖେଳାଳିମାନେ ଖୁବ୍ ଶୀଘ୍ର କ୍ଲାନ୍ତ ହୋଇଯାନ୍ତି।  

ତେବେ ଭାୟାଗ୍ରା ରକ୍ତବାହିକାଗୁଡ଼ିକୁ ପ୍ରସାରିତ କରି ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ। ଉଚ୍ଚ ସ୍ଥାନରେ ଖେଳିବା ସମୟରେ ଏହା ଖେଳାଳିଙ୍କ ଫୁସଫୁସକୁ ଅଧିକ ଅକ୍ସିଜେନ୍ ଯୋଗାଇବାରେ ଏବଂ କ୍ଲାନ୍ତି ଦୂର କରିବାରେ ସାହାଯ୍ୟ କରିବ ବୋଲି ମେଡିକାଲ୍ ଟିମ୍ ଆକଳନ କରିଛି।  

ବିଶ୍ୱ ଆଣ୍ଟି-ଡୋପିଂ ଏଜେନ୍ସି (WADA) ଦ୍ୱାରା ଭାୟାଗ୍ରା ନିଷିଦ୍ଧ ନୁହେଁ। ଏହା ସମ୍ପୂର୍ଣ୍ଣ ରୂପେ ବୈଧ ହୋଇଥିବାରୁ କୋଚ୍ ଥୋମାସ୍ ଟୁଚେଲ୍‌ଙ୍କ ଦଳକୁ ଏହି ବିକଳ୍ପ ଦିଆଯାଇଛି।  

ମେକ୍ସିକୋ ନିଜର ଘରୋଇ ଗ୍ରାଉଣ୍ଡ 'ଆଜ୍‌ଟେକା'ରେ ଅତ୍ୟନ୍ତ ଶକ୍ତିଶାଳୀ। ସେମାନେ ଏହି ଷ୍ଟାଡିୟମରେ ଖେଳିଥିବା ୮୯ଟି ମ୍ୟାଚ୍ ମଧ୍ୟରୁ ମାତ୍ର ୨ଟି ମ୍ୟାଚ୍ ହାରିଛନ୍ତି। ଚଳିତ ବିଶ୍ୱକପ୍‌ରେ ମଧ୍ୟ ମେକ୍ସିକୋ ନିଜର ସମସ୍ତ ୪ଟି ମ୍ୟାଚ୍ ଜିତି ଦମଦାର ଫର୍ମରେ ରହିଛି। ଅନ୍ୟପଟେ ହାରି କେନ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଗତ ମ୍ୟାଚ୍‌ରେ କଙ୍ଗୋକୁ ୨-୧ ଗୋଲ୍‌ରେ ପରାସ୍ତ କରି କଷ୍ଟେମଷ୍ଟେ ରାଉଣ୍ଡ ଅଫ୍ ୧୬ରେ ପହଞ୍ଚିଛି। ତେଣୁ ଏହି ବଡ଼ ମ୍ୟାଚ୍‌ରେ କୌଣସି ବାହ୍ୟ କାରଣ ଯେପରି ପ୍ରତିବନ୍ଧକ ନ ସାଜେ, ସେଥିପାଇଁ ଇଂଲଣ୍ଡ ଦଳ ଏହି ଅଭିନବ ରଣନୀତି ଆପଣାଇଛି।  

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।