17 OCTOBER 2026

Welcome!

Unlock your personalized experience.
Sign Up

Fit even at 77: ୭୭ ବର୍ଷରେ ବି ଫିଟ୍‌: ସାଇକେଲ୍‌ରେ ବୁଲି ରୋଗୀ ସେବା କରୁଛନ୍ତି ଡାକ୍ତର ଦୁର୍ଗାପ୍ରସାଦ

Oct 17, 2026 - 03:10
Fit even at 77: ୭୭ ବର୍ଷରେ ବି ଫିଟ୍‌: ସାଇକେଲ୍‌ରେ ବୁଲି ରୋଗୀ ସେବା କରୁଛନ୍ତି ଡାକ୍ତର ଦୁର୍ଗାପ୍ରସାଦ

ରାୟଗଡ଼ା: ବୟସ ୭୭ ବର୍ଷ। ହେଲେ ମନରେ ଉତ୍ସାହ, କାମ କରିବାର ଆଗ୍ରହ ଓ ସେବା ମନୋଭାବ ଆଜି ବି ଅତୁଟ। ଅବସର ପରେ ନିଜକୁ ସକ୍ରିୟ ରଖିବା ସହ ରୋଗୀ ସେବା ଜାରି ରଖିଛନ୍ତି। ସହରରେ ଯେଉଁଠିକୁ ଯିବାର ଥାଏ, ସାଇକେଲ୍‌ ଧରି ବାହାରି ପଡ଼ନ୍ତି। ନା ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ, ନା ନିଜ କାମ ପାଇଁ ଅନ୍ୟ ଉପରେ ନିର୍ଭରଶୀଳତା। ସରଳ ଜୀବନ ଓ ମାନବସେବା ପ୍ରତି ସମର୍ପଣ ମନୋଭାବ ତାଙ୍କୁ ରାୟଗଡ଼ା ସହରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେ ହେଉଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ତ୍ରିପାଠୀ।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ଦୀର୍ଘ ବର୍ଷ ଧରି ସରକାରୀ ଚାକିରି କରିବା ପରେ ୨୦୧୧ରେ ସିଡିଏମ୍‌ଓ ଭାବେ ଅବସର ନେଇଥିଲେ ଡାକ୍ତର ତ୍ରିପାଠୀ। କିନ୍ତୁ ଅବସର ତାଙ୍କୁ ରୋଗୀ ସେବାଠାରୁ ଦୂରେଇ ପାରିନାହିଁ। ଆଜି ବି ନିଜ ଘରେ ସେ ରୋଗୀ ଦେଖିବା ସହ ଲୋକଙ୍କୁ ସ୍ୱାସ୍ଥ୍ୟ ପରାମର୍ଶ ଦେଉଛନ୍ତି। ତାଙ୍କ ପାଇଁ ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ, ମାନବସେବାର ଏକ ମାଧ୍ୟମ। ଡାକ୍ତର ତ୍ରିପାଠୀଙ୍କ ଜୀବନଶୈଳୀ ବେଶ୍‌ ନିଆରା। ସକାଳୁ ଉଠି ଘରଝାଡ଼ୁ କରିବାଠାରୁ ଆରମ୍ଭ କରି ଦୈନନ୍ଦିନ ଘରୋଇ କାମ, ସବୁ ନିଜେ କରିଥାନ୍ତି। ଘରୋଇ ସହାୟକ ରଖିନାହାନ୍ତି। ତାଙ୍କ ପୋଷାକ ପରିଧାନ ମଧ୍ୟ ସରଳ। ହାଫ୍‌ ପ୍ୟାଣ୍ଟ ଓ ଧଳା ଟି ସାର୍ଟ। ସହର ଭିତରେ ଯାତାୟାତ ପାଇଁ ସାଇକେଲ୍‌ ହିଁ ତାଙ୍କର ପ୍ରିୟ ବାହନ। ନିଜ କାମ ନିଜେ କରିବା ଓ ନିୟମିତ ସାଇକେଲ୍‌ ଚାଳନା ତାଙ୍କୁ ସକ୍ରିୟ ରଖିବା ସହ ଆତ୍ମନିର୍ଭରଶୀଳ ଜୀବନର ଏକ ଉଦାହରଣ ସୃଷ୍ଟି କରିଛି।

Khosla Electronics: ପଟିଆରେ ଖୋସଲା ଇଲେକ୍ଟ୍ରୋନିକ୍ସର ସୋରୁମ୍‌

ତାଙ୍କ ରୋଗୀସେବା କେବଳ ନିଜ ଘରେ ସୀମିତ ନୁହେଁ। ସପ୍ତାହକୁ ଥରେ ରବିବାର ସକାଳେ ସେ ସାଇକେଲ୍‌ ଚଳାଇ ରାୟଗଡ଼ା ସହରଠାରୁ ୩ରୁ କିଲୋମିଟର ଦୂର ବାରିଝୋଲାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଯାଆନ୍ତି। ସେଠାରେ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଔଷଧ ଦେଇଥାନ୍ତି। ୭୭ ବର୍ଷ ବୟସରେ ମଧ୍ୟ କିପରି ସକ୍ରିୟ ରହିଛନ୍ତି ସେ ସମ୍ପର୍କରେ ଡାକ୍ତର ତ୍ରିପାଠୀ କହିଛନ୍ତି, ‘ଜୀବନର ଦର୍ଶନ ଅତ୍ୟନ୍ତ ସରଳ ହେବା ଉଚିତ। ମୁଁ ଭଗବାନଙ୍କୁ ଧ୍ୟାନରେ ରଖି ରୋଗୀ ସେବା କରୁଛି। ଯାହା ସତ୍ୟ ବୋଲି ଭାବୁଛି, ତାହା ହିଁ କରୁଛି। ବୋଧହୁଏ ସେଥିପାଇଁ ଭଗବାନ ମୋତେ ଏବେ ବି ସକ୍ରିୟ ରଖିଛନ୍ତି’। ସମାଜସେବୀ ତଥା ବିଶିଷ୍ଟ ସ୍ତମ୍ଭକାର ଲୋକନାଥ ପଣ୍ଡାଙ୍କ ମତରେ, ଡାକ୍ତର ଦୁର୍ଗାପ୍ରସାଦଙ୍କ ଜୀବନୀ ନିଜ କାମ ପ୍ରତି ନିଷ୍ଠା, ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳତା ଓ ସରଳ ଜୀବନଯାପନ ପାଇଁ ପ୍ରେରଣାର ଉତ୍ସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।