Five Odias Missing After Nepal Flash Flood: ନେପାଳ ପ୍ରଳୟ ପରଠୁ ୫ ଓଡ଼ିଆ ନିଖୋଜ; ଶିବଙ୍କ ଆରାଧନା ପରେ ନିଖୋଜ ଖୋର୍ଦ୍ଧାର ଦମ୍ପତ୍ତି
ନେପାଳ ପ୍ରଳୟ ପରଠୁ କେମିତି ଅଛନ୍ତି ନିଖୋଜ ଓଡ଼ିଆ ? କାରଣ ଆଜି ଯାଏଁ ୫ ଓଡ଼ିଆଙ୍କ ଅବସ୍ଥିତି ସଂପର୍କରେ କୌଣସି ସଠିକ୍ ସୂଚନା ମିଳିପାରୁନି। ବରଂ ନାନା ଆଶା ଆଶଙ୍କାର ଖବର ଆସୁଛି। ତାହାରି ଭିତରେ କେମିତି ଓ କେଉଁ ପରିସ୍ଥିତିରେ ନିଖୋଜ ହୋଇଗଲେ ଖୋର୍ଦ୍ଧାର ଦମ୍ପତ୍ତି ? କେମିତି ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଗଲେ ଚାନ୍ଦବାଲି ଓ କେରଳର ପର୍ଯ୍ୟଟକ, ସାମ୍ନାକୁ ଆସିଛି ଛାତିଥରା କାହାଣୀ। କେମିତି ଜୀବନକୁ ପାଣି ଛଡ଼ାଇ ଲୋକଙ୍କୁ ମରଣମୁହଁରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ, ବଖାଣିଛନ୍ତି ଓଡ଼ିଆ ପର୍ଯ୍ୟଟକ।
ଉପରେ ଦାନା ବାନ୍ଧୁଥିଲା ଖଣ୍ଡ ପ୍ରଳୟ...ତଳେ ମହାଦେବଙ୍କ ଚାଲିଥିଲା ଆରାଧନା। ଧୂପ, ଦୀପ ସହ ଆରାଧନା ପରେ କରାଯାଉଥିଲା ଆଳତୀ। ଏ ହେଉଛି ଅଗଷ୍ଟ ୨୩ର ଚିତ୍ର। ନା କେହି ଜାଣିଥିଲେ ଆଉ କିଛି ଘଣ୍ଟା ପରେ ମାଡ଼ି ଆସିବ ବିପର୍ଯ୍ୟୟ, ନା କେହି ଆକଳନ କରିଥିଲେ ମୃତ୍ୟୁର ତାଣ୍ଡବ ରଚିବ ପ୍ରଳୟ...।
ଖୋର୍ଦ୍ଧାର ସେହି ଓଡ଼ିଆ ଦମ୍ପତ୍ତି ହେଲେ ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ମିଳିଥିବା ସୂଚନା ଅନୁଯାୟୀ, ନେପାଳରେ ଜଳ ପ୍ରଳୟର ତାଣ୍ଡବ ପୂର୍ବରୁ ଅର୍ଥାତ ୨୬ ସକାଳ ସାଢ଼େ ୭ଟାରେ ତିମୁରେ ସ୍ଥିତ ନେପାଳ ଇମିଗ୍ରେସନ ସେଣ୍ଟରରେ ଥିଲେ ସମସ୍ତେ। କିନ୍ତୁ ପ୍ରଳୟ ଆସିବା ଆଗରୁ ଇମିଗ୍ରେସନ୍ ସେଣ୍ଟର ଛାଡ଼ି ସାରିଥିଲେ। ମନରେ କ’ଣ ଭାବନା କିମ୍ବା ଯୋଜନା ଥିଲା କେଜାଣି କାଠମାଣ୍ଡୁ ସ୍ଥିତ ପଶୁପତିନାଥ ମନ୍ଦିର ଦର୍ଶନ ସହ ପୂଜା ସାରି ପୁଅ ଓ ଶାଳୀଙ୍କୁ ଓଡ଼ିଶା ପଠାଇ ଦେଇଥିଲେ ସନ୍ଦୀପ। ଏହାପରେ ପତ୍ନୀ ସିଦ୍ଧାର୍ଥୀଙ୍କୁ ଧରି ଚୀନ୍ ବର୍ଡର ଅଭିମୁଖେ କୈଳାଶ ମାନସରୋବର ଯାଇଥିଲେ ଦମ୍ପତି।
ନୋ ମ୍ୟାନସ୍ ଲ୍ୟାଣ୍ଡ ପାର୍ ହୋଇ ଫ୍ଲାସ୍ ଫ୍ଲଡ୍ ବେଳେ ଚାଇନା ଇମିଗ୍ରେସନ୍ ସେଣ୍ଟରରେ ଥିଲେ ବୋଲି କୁହାଯାଉଛି। କିନ୍ତୁ ଉଭୟଙ୍କ ନା ଫୋନ୍ ଲାଗୁଛି ନା କୌଣସି ପତ୍ତା ମିଳୁଛି। ଅଷ୍ଟ୍ରେଲିଆରେ ରହୁଥିବା ଖୋର୍ଦ୍ଧାର ଏହି ଦମ୍ପତି ଗତ ୨୨ ତାରିଖରେ ନେପାଳ ଯାଇଥିବାବେଳେ ଶେଷଥର ପାଇଁ ପରିବାର ଲୋକଙ୍କ ସହ ଯାହା କଥା ହୋଇଥିଲେ।
ଆଜି ଏମାନେ ସୌଭାଗ୍ୟକୁ ଜୀବନ ଧରି ଫେରିଛନ୍ତି, ତଥାପି ପ୍ରଳୟର ଦୃଶ୍ୟ ତାଙ୍କୁ ବିଚଳିତ କରୁଛି। ଆଖି ସାମ୍ନାରେ କେମିତି ତାସ୍ ପତ୍ତା ଭଳି ଭୁଶୁଡ଼ିଯାଉଥିଲା କୋଠାବାଡ଼ି, କାଦୁଆ ମିଶା ପାଣି ସହ ବନ୍ୟାର ବିଭୀଷିକା ଭିତରକୁ କେମିତି ଠେଲି ହୋଇ ନିଖୋଜ ହୋଇଯାଉଥିଲେ ଶହ ଶହ ମଣିଷ, ପ୍ରତିଟି ଚିତ୍ର ଆଜି ଏମାନଙ୍କ ଛାତିକୁ ଦୋହଲାଇ ଦେଉଛି। ଏମାନେ ହେଲେ ଚାନ୍ଦବାଲି ଓ କେରଳର ୫୧ ପର୍ଯ୍ୟଟକ। ଚାନ୍ଦବାଲି ନାଲଗୁଣ୍ଡା ପଞ୍ଚାୟତର କୈଳାସ ବିଶ୍ବାଳଙ୍କ ଟ୍ରାଭେଲର୍ସ ଜରିଆରେ ନେପାଳ ଯାଇଥିଲେ।
ଏବେ ମନକାମନା ମନ୍ଦିର ନିକଟରେ ଆଶ୍ରୟ ନେଇଛନ୍ତି ସମସ୍ତେ। ତ୍ରିଶୂଳନଦୀ ପୁଣି ଭୟଙ୍କର ରୂପଧାରଣ କରି ଭୂସ୍ଖଳନ ହୋଇ ପାଣି ମାଡ଼ି ଆସୁଥିବାରୁ ନେପାଳ ପୁଲିସ ଓ ଅଧିକାରୀ ରୋପ-ୱେରେ ଭୈରବା ସିଟିକୁ ନେଇଆସିଛନ୍ତି। ତାଙ୍କ କହିବା କଥା, ରସୁଓ୍ବା ଜିଲ୍ଲାର ସୀମାନ୍ତ ଲେହନ୍ଦଖୋଲା ଏବଂ ଭୋଟକୋଶୀ ନଦୀ ପ୍ରଣାଳୀ ଦେଇ ତ୍ରିଶୂଳ ନଦୀରେ ବନ୍ୟାଜଳ ପ୍ରବଳ ବେଗରେ ମାଡ଼ିଆସିଥିଲା। ତେଣୁ ତ୍ରିଶୁଳ ନଦୀ ପଠାରୁ ହିଁ ହଠାତ୍ ଗାଡ଼ି ବୁଲାଇ ଦ୍ରୁତଗତିରେ ୭୦ କିଲୋମିଟର ରାସ୍ତା ପଛକୁ ଫେରିଆସିଥିଲେ। କିନ୍ତୁ ପଛରେ ମାଡ଼ି ଆସୁଥିଲା ପ୍ରଳୟଙ୍କରୀ ବନ୍ୟା ସହ କାଦୁଆ ମିଶା ପାଣି।
ଅପରପକ୍ଷେ ପ୍ରଳୟ ପରଠୁ ଓଡ଼ିଆ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ରାଜ୍ୟର ପର୍ଯ୍ୟଟକ। ନେପାଳ ଯିବାକୁ ଆଉ କେହି ମଙ୍ଗୁ ନାହାଁନ୍ତି। ଫଳରେ କ୍ରମାଗତ ଭାବେ ବାତିଲ୍ ହେଉଛି ବୁକିଂ, କ୍ଷତି ସହୁଛନ୍ତି ଟୁର୍ ଅପରେଟର୍। କାରଣ ତିମୁରେ ସ୍ଥିତ ନେପାଳ ଇମିଗ୍ରେସନ ଅଫିସ ଧୋଇଯିବା ପରେ ଏବର୍ଷ ପାଇଁ ସବୁ ଟୁର୍ କ୍ୟାନସେଲ୍ ହେବାରେ ଲାଗିଛି ବୋଲି କହିଛନ୍ତି ଟୁର୍ ଅପରଟେର୍।
ତେବେ ଖୋର୍ଦ୍ଧାର ଦଂପତି ହୁଅନ୍ତୁ ଅବା ବରଗଡ଼ର ଗୋଟିଏ ପରିବାରର ୩ ସଦସ୍ୟ। ଏହି ୫ ଜଣଙ୍କ ଏଯାଏଁ ପତ୍ତା ମିଳୁନଥିବାବେଳେ ଆଉ କେଉଁ ଓଡ଼ିଆ ଫସିରହିଛନ୍ତି, ତାହା ସ୍ପଷ୍ଟ ହୋଇପାରୁନଥିବାରୁ ବଢ଼ିଛି ଉଦବେଗ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।