Floodwaters Bring Hunger And Hardship: କାହା ଭାଗ୍ୟରେ ପଖାଳ, କିଏ ଖାଡ଼ା ଉପାସ! ବନ୍ୟାରେ ବେହାଲ ଜୀବନ
ବାହାରେ ଝିପି ଝିପି ବର୍ଷା, ଆଉ ରାସ୍ତା କଡ଼ରେ ଜରିପାଲ ଟଙ୍ଗା ଅସ୍ଥାୟୀ ଆଶ୍ରୟସ୍ଥଳୀ। ତାହାରି ଭିତରେ ବେଲ ମାଉସୀ ହାତରେ ବେଲାଏ ବାସିପଖାଳ। ପଖାଳ କଡ଼ରେ ଜରିରେ ଅଛି କେବଳ ଟିକିଏ ଆଳୁ ଭଜା ଆଉ ଲୁଣ। ତାପୁଣି ପର ହାତ ଟେକାରେ। ବାଲେଶ୍ବର ଫୁଲାଡ଼ି ନିକଟ ୧୬ ନମ୍ବର NH କଡ଼ରେ ଏମିତି ଜୀବନ ଜୀଉଁଛନ୍ତି ୭୦ ବର୍ଷିୟ ବେଲ ମାଉସୀ। ଯାହାଙ୍କ ଦୁଃଖ ଦେଖି ଓଟିଭି ପ୍ରତିନିଧି ବି ଯଥା ସମ୍ଭବ ଆର୍ଥିକ ସହାୟତା ଦେଇଛନ୍ତି। କାରଣ ବେଲ ମାଉସୀ ମୁହଁରୁ ଦାନା ଛଡ଼ାଇ ନେଇଛି ବନ୍ୟା। ଏଠି ତ ଜଳବନ୍ଦୀ ଜୀବନ ଭିତରେ ଯନ୍ତ୍ରଣା ଆଉ ବେଦନା ବିପନ୍ନଙ୍କୁ ଦହଗଞ୍ଜ କରୁଛି। ଏମିତି ରାତି କଟୁଛି, ବତୁରି ଯାଇଥିବା ମାଟି କାନ୍ଥର ଘର କାଳେ ଭୁଶୁଡ଼ି ପଡ଼ିବ, ଭସାଇ ନେବ ଚାଳ ସହ ଚୁଲି, ସେଥିପାଇଁ କାହା ଆଖିକୁ ନିଦ ହିଁ ନାହିଁ। କେତେବେଳେ ଘର ଅଗଣାରେ ସାପ ବୁଲୁଛି ତ କେତେବେଳେ କୁମ୍ଭୀର ଭୟ। ଭଦ୍ରକ ଜିଲ୍ଲାରେ ଗମେଇ ଓ କାଂଶବାଂଶ ନଦୀର ବନ୍ୟା ଆଜି ବେସାହାରା କରିଦେଇଛି ସୁଦର୍ଶନପୁର ବରତୁଆ ଗ୍ରାମବାସୀଙ୍କୁ।
କେନ୍ଦ୍ରାପଡ଼ା କୁଳସାହି ଆଶ୍ରମ ଆବାସିକ ସ୍କୁଲ। ଆଜି ବି ବଢ଼ି ପାଣିରେ ଫସିରହିଛନ୍ତି ପ୍ରାୟ ୩ଶହ ଅନ୍ତେବାସୀ। ସୁରକ୍ଷିତ ତ ଅଛନ୍ତି ନିଶ୍ଚୟ, କିନ୍ତୁ, ଖାଦ୍ୟ ପାନୀୟ ଓ ଶୌଚ ପାଇଁ ନାହିଁ ନଥିବା ସମସ୍ୟା ଭିତରେ ପିଲା ଘାଣ୍ଟି ହେଉଥିବା ଅଭିଯୋଗ କରିଛନ୍ତି। ତେଣେ ଏହି ଜିଲ୍ଲାର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀ କନ୍ଦାଉଛି ଆଳିର ଧୋୟା ଅଞ୍ଚଳ ବାସିନ୍ଦାଙ୍କୁ। ଏଠି ମାସକ ଭିତରେ ତିନି ତିନିଟି ବନ୍ୟା, ୧୬ଟି ପଞ୍ଚାୟତର ଦାନା ପାଣିକୁ ଛଡ଼ାଇନେଇଛି। ଘରେ ଯାହା କିଛି ଖାଦ୍ୟଦ୍ରବ୍ୟ ଥିଲା ସେସବୁ ସରି ସରି ଆସିଲାଣି। ଜଳବନ୍ଦୀ ଜୀବନ ଭିତରେ ଗୋଡ଼ କାଢ଼ି ତେଲ ଲୁଣ ପାଇଁ ବାହାରକୁ ଯିବାକୁ ହେଲେ ଏଭଳି ହୁଲି ଡଙ୍ଗା, ହାଣ୍ଡି ହଣ୍ଡା ହିଁ ସାଜିଛି ସାହା ଭରସା। ଶୁଣି ଆଶ୍ଚର୍ଯ୍ୟ ହେବେ, ମାନପୁର-ଗୋବିନ୍ଦପୁର ରାସ୍ତା ଉପରେ ୭ ଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଦିନକୁ ୫୦୦ ଟଙ୍କା ଭଡ଼ା ଦେଇ ସାମଗ୍ରୀ ଆଣିବାକୁ ଯାଉଛନ୍ତି ବିପନ୍ନ।
ଆଳି ଧୋୟା ଅଞ୍ଚଳରେ ସିନା ବନ୍ୟାର ବିପଦ ବେଳେ ବେପାରର ସୁଯୋଗ ଖୋଜୁଛନ୍ତି ମଣିଷ ପଣିଆ ନଥିବା ଲୋକେ, ହେଲେ ଏଠି ତ ମଣିଷ ସାଜିଛନ୍ତି ଦେବଦୂତ। ବୈତରଣୀର ବଢ଼ିପାଣି ଭିତରେ ବିପନ୍ନଙ୍କ ପାଇଁ ଆଶା ଆଉ ଭରସା ସାଜିଛନ୍ତି ଆଶାକର୍ମୀ। ଧାମନଗର ବ୍ଲକ ନଦୀଗାଁର ଆଶାକର୍ମୀ ମୀନତି ସାହୁ। କେତେବେଳେ ବେକେ ତ କେତେବେଳେ ଛାତିଏ ପାଣିରେ ପଶି ଛୋଟ ପିଲା, ବୟସ୍କ, ଗର୍ଭବତୀଙ୍କୁ ଉଦ୍ଧାର କରୁଛନ୍ତି ଆଶା ଦିଦି ମୀନତି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଆରୁହା ବୃତ୍ତି ଗାଁ। ଚାରିଆଡ଼େ ୪ ଫୁଟର ପାଣି। ଏଭଳି ଜଳ ସଙ୍କଟ ବେଳେ ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ଆଶା ଦିଦି। ପାଣି କାଦୁଅ ଭିତରେ ଘରେ ପହଞ୍ଚି ଯୋଗାଇଛନ୍ତି ସ୍ୱାସ୍ଥ୍ୟସେବା।
ବନ୍ୟା ବେଦନା ଭିତରେ ଉତ୍ତର ଓଡ଼ିଶାରେ କିଏ ଦି’ମୁଠା ଦାନା ପାଇଁ ତ ଆଉ କିଏ ଜୀବନ ବଞ୍ଚାଇବା ପାଇଁ ଚଳାଇଛନ୍ତି ସଂଘର୍ଷ। ମାସେ ହେଲାଣି, ଜାରି ରହିଛି ସଂଗ୍ରାମ। ହେଲେ କିଏ ଓ କେବେ ଏହି ଅସହାୟଙ୍କ ଦୁଃଖ ବୁଝିବେ, କାହା ପାଖରେ ଉତ୍ତର ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।