Flydubai Incident: ଫ୍ଲାଏଦୁବାଇ କାଣ୍ଡ: ନମାଜ ବାହାନାରେ ଆକ୍ରମଣ କରିଥିଲା ସହ-ପାଇଲଟ୍
ତେଲ୍ ଅଭିଭ୍: ଫ୍ଲାଏଦୁବାଇ ବିମାନ କକ୍ପିଟ୍ ଆକ୍ରମଣ ଘଟଣାରେ ଭାରତୀୟ କ୍ୟାପଟେନ ସ୍ମିତ୍ ମାଚ୍ଛର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କଥା ହେବା ସମୟରେ ଅତି ଭୟଙ୍କର ତଥ୍ୟ ପ୍ରକାଶ କରିଛନ୍ତି। ସ୍ମିତ୍ ଜଣାଇଛନ୍ତି ଯେ ଓମାନର ସହ-ପାଇଲଟ୍ ହମାମ୍ ଅଲ୍-ହମାମୀ ନମାଜ କରିବା ବାହାନାରେ ପଛପଟୁ ଏକ କୁରାଢ଼ୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲା। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ନିଜର ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇଯାଇଥିବା ସତ୍ତ୍ୱେ ଯାତ୍ରୀମାନଙ୍କୁ ଭିତରକୁ ଆଣିବା ପାଇଁ ସେ କକ୍ପିଟ୍ର କବାଟ ଦୁଇଥର ଖୋଲିଥିଲେ।
ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଏହି ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲର ନାଗରିକ ଥିଲେ। କ୍ୟାପଟେନ ସ୍ମିତ୍ କହିଛନ୍ତି ଯେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନଟି ସ୍ୱାଭାବିକ ଭାବେ ଗତି କରୁଥିବା ବେଳେ ସହ-ପାଇଲଟ୍ ନମାଜ କରିବାକୁ ପ୍ରସ୍ତୁତ ହୋଇଥିଲା। ସେ ସହକର୍ମୀଙ୍କୁ ସମ୍ମାନ ଜଣାଇ ପଛକୁ ଚାହିଁ ନଥିଲେ, କିନ୍ତୁ ପ୍ରାୟ ୪ରୁ ୫ ମିନିଟ୍ ପରେ ତାଙ୍କ ମୁଣ୍ଡ ପଛପଟେ ଏକ ପ୍ରଚଣ୍ଡ ଆଘାତ ଲାଗିଥିଲା। ପ୍ରଥମେ ସେ ଭାବିଥିଲେ ଯେ ବିମାନଟି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ମାତ୍ର ଦ୍ୱିତୀୟ ଆଘାତ ପରେ ସେ ସହ-ପାଇଲଟ୍ର ଅସଲ ରୂପ ଚିହ୍ନିପାରିଥିଲେ। ଆକ୍ରମଣ ଯୋଗୁଁ ବିମାନଟି ଦ୍ରୁତ ଗତିରେ ତଳକୁ ଖସୁଥିବା ବେଳେ ଗୁରୁତର ଅବସ୍ଥାରେ ସେ କକ୍ପିଟ୍ ଦ୍ବାର ପାଖକୁ ପହଞ୍ଚିଥିଲେ।
ସ୍ମିତ୍ଙ୍କ ସୂଚନା ଅନୁଯାୟୀ, ସେ ପ୍ରଥମ ଥର କବାଟ ଖୋଲିଥିଲେ ମଧ୍ୟ ଆକ୍ରମଣକାରୀ ସହ-ପାଇଲଟ୍ ଏହାକୁ ବନ୍ଦ କରିଦେଇଥିଲା ଏବଂ ସେ ଚଟାଣରେ ପଡ଼ିଯାଇଥିଲେ। କିନ୍ତୁ ନିଜର ଶେଷ ଶକ୍ତି ପ୍ରୟୋଗ କରି ସେ ଦ୍ୱିତୀୟ ଥର ପାଇଁ କବାଟର ନବ୍ (ହ୍ୟାଣ୍ଡେଲ) ବୁଲାଇ ଖୋଲିବାରେ ସଫଳ ହେଲେ ଏବଂ ବାହାରେ ଅପେକ୍ଷା କରିଥିବା ଯାତ୍ରୀ ତଥା ଅନ୍ୟ କ୍ରୁ ସଦସ୍ୟମାନେ ତୁରନ୍ତ ଭିତରକୁ ପଶି ଆକ୍ରମଣକାରୀକୁ କାବୁ କରିନେଇଥିଲେ। ଏହି ସାହସିକତା ପାଇଁ ନେତନ୍ୟାହୁ ତାଙ୍କୁ ଇସ୍ରାଏଲ, ଭାରତ ଏବଂ ସମଗ୍ର ବିଶ୍ୱର ‘ବୀର’ ବୋଲି ଆଖ୍ୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ମଶାଲ ପ୍ରଜ୍ଜ୍ୱଳନ ପାଇଁ ଆମନ୍ତ୍ରଣ କରିଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨ ତାରିଖରେ ସ୍ମିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ବେଳେ ସଙ୍କଟ ସମୟରେ ହନୁମାନ ଚାଳିଶା ପାଠ କରି ସାହସ ପାଇଥିବା ପ୍ରକାଶ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।