Food Safety Teams Raid Festive Food Stalls: ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲ୍ରେ ଚଢ଼ାଉ! ବାସି ଖାଦ୍ୟ ମିଳିଲେ ହେଉଛି କାର୍ଯ୍ୟାନୁଷ୍ଠାନ
ପାର୍ବଣରେ ପୂଜା ମଣ୍ଡପ ବୁଲାବୁଲି ସହ ଖାଦ୍ୟର ମଜା ନେଉଛନ୍ତି ଲୋକେ। ଭିଡ଼ ଜମୁଛି ଫୁଡ୍ ଷ୍ଟଲ୍ରେ, ବିଭିନ୍ନ ସୁଆଦିଆ ଖାଦ୍ୟର ଚାହିଦା ବି ବଢ଼ିଛି। ହେଲେ ଏହି ଖାଦ୍ୟ କେତେ ସୁରକ୍ଷିତ? ଖାଦ୍ୟର ମାନ ଓ ପରିଚ୍ଛନ୍ନତା ଯାଞ୍ଚ ପାଇଁ ଏବେ ଆକ୍ସନ ମୋଡ୍ରେ ଫୁଡ୍ ସେଫ୍ଟି ବିଭାଗ। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ନିକଟରେ ଥିବା ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ଜୋରଦାର ଚଢ଼ାଉ ଚାଲିଛି।
ରସୁଲଗଡ଼ ପୂଜା ମଣ୍ଡପ ନିକଟରେ ଥିବା ଫୁଡ୍ ଷ୍ଟଲ୍ଗୁଡ଼ିକରେ ସ୍ପେଶାଲ ଟିମ୍ ଯାଞ୍ଚ କରୁଛି। ଖାଦ୍ୟ କେଉଁ ପରିବେଶରେ ପ୍ରସ୍ତୁତ ହେଉଛି, ଷ୍ଟଲ୍ରେ ସ୍ୱଚ୍ଛତା ରହୁଛି କି ନାହିଁ ଏବଂ ଖାଦ୍ୟର ମାନ କିପରି ରହିଛି, ସେସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି।
ବିଶେଷ କରି ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଏବଂ ସ୍ୱଚ୍ଛତା ନିୟମ ଉଲ୍ଲଂଘନ କରୁଥିବା ଷ୍ଟଲ୍ଗୁଡ଼ିକ ଉପରେ ବିଭାଗର କଡ଼ା ନଜର ରହିଛି।
ବାସି ଖାଦ୍ୟ ମିଳିଲେ ଆକ୍ସନ
ଯାଞ୍ଚ ସମୟରେ ବାସି ଖାଦ୍ୟ ମିଳିଲେ ସମ୍ପୃକ୍ତ ଷ୍ଟଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପାର୍ବଣ ସମୟରେ ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ବଢ଼ୁଥିବାରୁ ଖାଦ୍ୟର ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେଉଛି ବିଭାଗ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପୂଜା ବୁଲିବାକୁ ଆସୁଥିବା ଲୋକଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା। ଆଗକୁ ମଧ୍ୟ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଥିବା ଫୁଡ୍ ଷ୍ଟଲ୍ଗୁଡ଼ିକରେ ଯାଞ୍ଚ ଜାରି ରହିବା ନେଇ ଗୁରୁତ୍ୱ ଦିଆଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।