Former BJP MLA Dies After Attack: ଭରତପୁରରେ ହିଂସା, ପଥର ମାଡ଼ରେ ପୂର୍ବତନ ବିଜେପି ବିଧାୟକ ମୃତ

Oct 12, 2026 - 12:31
Former BJP MLA Dies After Attack: ଭରତପୁରରେ ହିଂସା, ପଥର ମାଡ଼ରେ ପୂର୍ବତନ ବିଜେପି ବିଧାୟକ ମୃତ

ରାଜସ୍ଥାନର ଭରତପୁର ଜିଲ୍ଲାରେ ଏକ ପଥର କ୍ରଶରକୁ ପୁଣି ଖୋଲିବାକୁ ନେଇ ବିବାଦ ଉଗ୍ରରୂପ ନେବା ମଧ୍ୟରେ ଜଣେ ବିଧାୟକଙ୍କ ମୃତ୍ୟୁ ଘଟିଛି। ବିବାଦକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିବାରୁ ପୂର୍ବତନ ବିଜେପି ବିଧାୟକ ଅତର ସିଂହ ଭଦାନାଙ୍କ ମୃତ୍ୟୁ ହୋଇଛି। ରବିବାର ରାତିରେ ଏହି ଘଟଣା ଘଟିଥିବା ପୋଲିସ ସୋମବାର ସୂଚନା ଦେଇଛି। ଏହି ସଂଘର୍ଷରେ ତାଙ୍କ ସହଯୋଗୀ ଗଗନ ଶର୍ମା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ପୋଲିସର ସୂଚନା ଅନୁସାରେ, ଭରତପୁର ଜିଲ୍ଲାର ଭୋଣ୍ଡା ଗାଁରେ ଥିବା ଏକ ପଥର କ୍ରଶରକୁ ନେଇ ଅତର ସିଂହ ଭଦାନା ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ପ୍ରାୟ ଗୋଟିଏ ବର୍ଷ ଧରି ବନ୍ଦ ଥିବା ଏହି କ୍ରଶରକୁ ପୁଣି ଚାଲୁ କରିବା ପାଇଁ ଉଦ୍ୟମ ହେବା ପରେ ଗାଁରେ ଉତ୍ତେଜନା ବଢ଼ିଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କ୍ରଶର ମାଲିକାନା ଓ ଏହାର କାର୍ଯ୍ୟକଳାପକୁ ନେଇ ସେମାନଙ୍କର ଆପତ୍ତି ରହିଥିଲା। ଭଦାନା ଗୋଚର ଜମି ବା ଗୋରୁଙ୍କ ଚାରଣଭୂମି ଜବରଦଖଲ କରିବା ସହ ବେଆଇନ ଖଣି ଖନନ କରୁଥିବା ସେମାନେ ଅଭିଯୋଗ କରିଥିଲେ। ଏହି କାରଣରୁ କ୍ରଶର ପୁନଃ ଖୋଲିବା ବିରୋଧରେ ଗ୍ରାମବାସୀ ଗତ ୧୦ରୁ ୧୫ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଦାବି କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ରବିବାର ସନ୍ଧ୍ୟାରେ ଭଦାନା ପ୍ରାୟ ୪୦ରୁ ୫୦ ଜଣଙ୍କ ସହ କ୍ରଶର ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରତିବାଦ କରୁଥିବା ଲୋକଙ୍କୁ ହଟାଇବାକୁ ଉଦ୍ୟମ ହେବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହି ସମୟରେ ପିଟିବା ସହ ପଥରରେ ଆକ୍ରମଣ ହୋଇଥିବା ପୋଲିସ କହିଛି।

ଆକ୍ରମଣରେ ଭଦାନା ଓ ତାଙ୍କ ସହଯୋଗୀ ଗଗନ ଶର୍ମା ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ୱେୟାରର ଏକ ହସ୍ପିଟାଲକୁ ନିଆଯାଇଥିଲା। ପରେ ଭଦାନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁରର ସୱାଇ ମାନ ସିଂହ (SMS) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଦାନାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ, ଗୁରୁତର ଆହତ ଗଗନ ଶର୍ମାଙ୍କୁ ଭରତପୁରର ଏକ ହସ୍ପିଟାଲକୁ ପଠାଯାଇଛି।

ଭୁସାୱର ସର୍କଲ ଅଫିସର ନୀରଜ ଭରଦ୍ୱାଜ କହିଛନ୍ତି ଯେ ଏହି ଘଟଣାକୁ ନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ଆକ୍ରମଣର ଅଭିଯୋଗ ଆଣିଛନ୍ତି। ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଅତିରିକ୍ତ ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ଭଦାନାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମର୍ଚ୍ୟୁରୀରେ ରଖାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।