Fresh Low-Pressure System Forms Over Bay of Bengal: ପୁଣି ଆସୁଛି ଲଘୁଚାପ, ଦୁଇ ଦିନରେ ବଦଳିପାରେ ପାଗ
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ପ୍ରାୟ ୯.୪ କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି।
ଆସନ୍ତା ୨୪ ଘଣ୍ଟାରେ ଏହି ଲଘୁଚାପ ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାରର ଇରାୱାଡି ଅଞ୍ଚଳ ଆଡ଼କୁ ପ୍ରବେଶ କରିପାରେ। ପରବର୍ତ୍ତୀ ଦୁଇ ଦିନରେ ଏହା ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଅଞ୍ଚଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି।
ତେବେ ଏହି ଲଘୁଚାପର ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ନଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ଦେଇ ଉତ୍ତରପ୍ରଦେଶ ଆଡ଼କୁ ଗତି କରୁଥିବା ଅବପାତ ଆହୁରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।